ଭୁବନେଶ୍ୱରରେ ୮୦ ଛୁଇଁବ ଡିଜେଲ : ୧୫ ଦିନରେ ଡିଜେଲ ବଢ଼ିଲାଣି ୪ ଟଙ୍କା, ପେଟ୍ରୋଲ ୩ ଟଙ୍କା

ବଢ଼ିଲା ବସ୍‌ ଭଡ଼ା : ସାଧାରଣ ଓ ଏକ୍ସପ୍ରେସ୍‌ ୨, ଡିଲକ୍ସ ଓ ଏସି ଡିଲକ୍ସ ୪ ପଇସା ବଢ଼ିଲା

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ତ୍ରାହି ମିଳି ପାରୁନାହିଁ। ଶନିବାର ତୁଳନାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୨୮ ପଇସା ଏବଂ ୨୦ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ଶନିବାର ଡିଜେଲ ଦର ୭୮ ଟଙ୍କା ୯୧ ପଇସା ଥିବା ବେଳେ ରବିବାର ପ୍ରଥମ ଥର ପାଇଁ ୭୯ ଟଙ୍କା ଟପିଛି। ୧ ଲିଟର ଡିଜେଲ ଦର ୭୯ ଟଙ୍କା ୧୧ ପଇସା ହୋଇଛି। ସେହିଭଳି ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୭୫ ପଇସାକୁ ବୃଦ୍ଧି ପାଇଛି।

ଗତ କିଛିଦିନ ହେଲା ତେଲ ଦର ଯେଉଁ ହାରରେ ବଢ଼ୁଛି ରାଜଧାନୀରେ ଡିଜେଲ ଦର ୮୦ ଛୁଇଁବା ଲାଗି ଆଉ ଦୁଇ ତିନିରୁ ଅଧିକ ସମୟ ଲାଗିନପାରେ। ଚଳିତମାସ ୧ ତାରିଖରୁ ୧୬ ତାରିଖ ମଧ୍ୟରେ ଡିଜେଲ ଦର ଭୁବନେଶ୍ୱରରେ ପ୍ରାୟ ୪ ଟଙ୍କା (୩ ଟଙ୍କା ୭୯ ପଇସା) ବଢ଼ିଗଲାଣି। ଗତମାସ ୩୦ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଡିଜେଲ ଦର ୭୫ ଟଙ୍କା ଟପିଥିଲା। ଏହାର ୪ ଦିନ ପରେ ଅର୍ଥାତ୍‌ ଚଳିତମାସ ୩ ତାରିଖରେ ଡିଜେଲ ଦର ୭୬ ଟଙ୍କା, ୭ ତାରିଖରେ ୭୭ ଟଙ୍କା ଟପିଥିଲା। ସେହିଭଳି ୧୦ ତାରିଖରେ ୭୮ ଟଙ୍କା ଟପିଥିବା ବେଳେ ୧୬ ତାରିଖରେ ୭୯ ଟଙ୍କା ଟପିଯାଇଛି। ଡିଜେଲ ଦରକୁ ୭୭ରୁ ୭୮ ଟଙ୍କାରେ ପହଞ୍ଚିବା ଲାଗି ୩ ଦିନ ଲାଗିଥିବା ବେଳେ ୭୮ରୁ ୭୯ ଟଙ୍କାରେ ପହଞ୍ଚିବା ଲାଗି ୫ ଦିନ ସମୟ ଲାଗିଛି। ସେହିଭଳି ରାଜଧାନୀରେ ପେଟ୍ରୋଲ ଦର ଚଳିତମାସରେ ୩ ଟଙ୍କା ୨୦ ପଇସା ମହଙ୍ଗା ହୋଇଗଲାଣି। ଗତମାସ ୨୯ ତାରିଖରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୭ ଟଙ୍କା ଟପିଥିଲା।

ବଢ଼ିଲା ବସ୍‌ ଭଡ଼ା : ସାଧାରଣ ଓ ଏକ୍ସପ୍ରେସ୍‌ ୨, ଡିଲକ୍ସ ଓ ଏସି ଡିଲକ୍ସ ୪ ପଇସା ବଢ଼ିଲା

ଭୁବନେଶ୍ୱର : ତୈଳ ଦର ବୃଦ୍ଧିକୁ ନଜରରେ ରଖି ଆଜି ଘରୋଇ ବସ୍‌ ଭଡ଼ା ବୃଦ୍ଧି ହୋଇଛି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ରେ କି.ମି. ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୪ପଇସା ବୃଦ୍ଧି ହୋଇଛି। ଗତ ମେ’ମାସରେ ଶେଷ ଥର ପାଇଁ ଘରୋଇ ବସ୍‌ ଭଡ଼ା ବୃଦ୍ଧି ହୋଇଥିଲା।

ପୂର୍ବରୁ ସାଧାରଣ ବସ୍‌ କି.ମି. ପିଛା ୭୦ ପଇସା ଥିବା ବେଳେ ତାହା ଏବେ ୭୨ ପଇସା ହୋଇଛି। ସେହିପରି ଡିଲକ୍ସ ୧ଟା ୦୧ପଇସାରୁ ୧ଟଙ୍କା ୦୫ ପଇସାକୁ ବୃଦ୍ଧି ହୋଇଛି। ଏସି ଡିଲକ୍ସ ବସ୍‌ ଭଡ଼ା ୧ଟା ୨୩ ପଇସାରୁ ୧ଟଙ୍କା ୨୭ପଇସାକୁ ବୃଦ୍ଧି ପାଇଛି। ଏଥିଯୋଗୁଁ ଦୂରଗାମୀ ବସ୍‌ଗୁଡ଼ିକରେ ଭଡ଼ା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ କହିବାନୁଯାୟୀ, ଗତ ମେ’ ୨୮ତାରିଖରେ ବସ୍‌ଭଡ଼ା ବୃଦ୍ଧି ସମୟରେ ଡିଜେଲ ଦର ୭୪.୧୫ଟଙ୍କା ଥିବା ବେଳେ ଏବେ ଡିଜେଲ ଲିଟର ପିଛା ୭୮.୯୧ଟଙ୍କାରେ ପହଞ୍ଚିଛି। ଗତ ୪ମାସରେ ଲିଟର ପିଛା ଡିଜେଲ ଦର ପ୍ରାୟ ୫ଟଙ୍କା ବୃଦ୍ଧି ହୋଇଛି। ଏ ପରିସ୍ଥିତିରେ ବସ୍‌ ଭଡ଼ା ବୃଦ୍ଧି ଜରୁରୀ ଥିଲା। ବାରମ୍ବାର ବସ୍‌ ଭଡ଼ା ବୃଦ୍ଧି ଯୋଗୁଁ ଘରୋଇ ବସ୍‌ଗୁଡ଼ିକ ଯାତ୍ରୀ ହରାଉଛନ୍ତି। ଟ୍ରେନ୍‌ ଟିକେଟ୍‌ ନିୟମିତ ବୃଦ୍ଧି ହେଉ ନ ଥିବାରୁ ଯାତ୍ରୀମାନେ ଏବେ ଟ୍ରେନ୍‌ ମୁହାଁ ହୋଇଛନ୍ତି। ଡିଜେଲ ଦରକୁ ସ୍ଥିର ରଖିବାକୁ ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତେଲ ଉପରେ ନେଉଥିବା ଟିକସକୁ କମାଇବାକୁ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର