ମେ’ ୧୨ ଓ ୧୩ରେ ଓଜେଇଇ, ପିଜି ପାଠ୍ୟକ୍ରମ ଲାଗି ଅନ୍‌ଲାଇନ୍‌ ପରୀକ୍ଷା

ଭୁବନେଶ୍ବର: ବି.ଟେକ୍‌ ଲାଟେରାଲ ଏଣ୍ଟ୍ରି ସମେତ ଲାଟେଲାର ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଏମ୍‌.ଆର୍କ, ଏମ୍‌.ଟେକ୍‌, ଏମ୍‌ସିଏ, ଏମ୍‌.ପ୍ଲାନ୍‌, ଏମ୍‌ବିଏ, ଏମ୍‌.ଫାର୍ମା, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୧୨ ଓ ୧୩ ତାରିଖରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାର ପ୍ରଥମ ଦିନରେ ପେନ୍‌ ଆଣ୍ଡ ପେପର ବେସ୍‌ଡ ପରୀକ୍ଷା ହେବାକୁ ଥିବା ବେଳେ ଦ୍ବିତୀୟ ଦିବସରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା କରାଯିବ। ପ୍ରଥମଥର ଲାଗି ପିଜି ପାଠ୍ୟକ୍ରମଗୁଡ଼ିକ ଲାଗି କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷାକୁ ଆଉ ମାତ୍ର ୧୩ ଦିନ ଥିବା ବେଳେ ଆଜି ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ‘www.ojee.nic.in’ ରେ ଛଡ଼ା ଯାଇଛି। ପରୀକ୍ଷାର୍ଥୀ ଓଜେଇଇଇ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌‌ଲୋଡ୍‌ କରିପାରିବେ। ଯଦି କୌଣସି ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ‌ନାହିଁ, ତେବେ ସେମାନେ ମେ’ ୫ ତାରିଖ ସୁଦ୍ଧା ଭୁବନେଶ୍ବର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ‌ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି। ୧୨ ତାରିଖରେ ବି.ଫାର୍ମା ପାଇଁ ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବା ବେଳେ ବି.ଟେକ୍‌ ଲାଟେରାଲ ଏଣ୍ଟ୍ରି ଫର୍‌ ବି.ଏସ୍‌ସି, ଲାଟେଲାର ଏଣ୍ଟ୍ରି ବି.ଫାର୍ମା ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଲାଗି ପୂର୍ବାହ୍ନ ୯ଟାରୁ ୧୦ଟା ଏବଂ ବି‌.ଟେକ୍‌ ଲାଟେରାଲ ଏଣ୍ଟ୍ରି ଫର୍‌ ଡିପ୍ଲୋମା ଷ୍ଟୁଡେଣ୍ଟଙ୍କ ଲାଗି ଅପରାହ୍‌ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ୧୩ ତାରିଖରେ ଏମ୍‌ବିଏ ପାଇଁ ପୂର୍ବାହ୍ନ ୯ଟାରୁ ୧୧ଟା, ଏମ୍‌.ଆର୍କ, ଏମ୍‌.ଟେକ୍‌, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ଲାଗି ଅପରାହ୍‌ଣ ୨ଟାରୁ ୪ଟା ଓ ଏମ୍‌.ଫାର୍ମା ଓ ଏମ୍‌.ପ୍ଲାନ୍‌ ଲାଗି ଅପରାହ୍‌ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର