ଓଜେଇଇ ରେଜଲ୍ଟ: ୪୮,୭୮୩ ଜଣଙ୍କୁ ରାଙ୍କ୍‌

ଏମ୍‌ବିଏରେ ସତ୍ୟଜିତ୍‌, ଏମ୍‌ଏସ୍‌ସିରେ ଅପୂର୍ବ ଟପ୍‌ର

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ/ଏମ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ବି.କାର୍ଟ, ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା), ଏଣ୍ଟ୍ରି-ଟେକ୍ନୋଲୋଜି(ବିଏସ୍‌ସି), ବି.ଫାର୍ମା, ଇଣ୍ଟ୍ରିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି-ଫାର୍ମା, ଏମ୍‌ ଫାର୍ମା, ଏମ୍‌ ଆର୍କିଟେକ୍‌, ଏମ୍‌ ପ୍ଲାନ୍‌ ଓ ଏମ୍‌.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷା ପାଇଁ ୫୫ହଜାର ୯୭୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୮ହଜାର ୮୧୫ଜଣ ପରୀକ୍ଷା ଦେଇଥିବା ବେଳେ ୪୮ହଜାର ୭୮୩ଜଣ ପରୀକ୍ଷାର୍ଥୀଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି। କୃତୀ ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ୍‌ www.ojee.nic.in, www.odishajee.com ମାଧ୍ୟମରୁ ସେମାନଙ୍କ ରୢାଙ୍କ କାର୍ଡ ପାଇପାରିବେ। ରୢାଙ୍କ ଅନୁଯାୟୀ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ହେବାକୁ ଥିବା କାଉନସେଲିଂରେ ଅଂଶଗ୍ରହଣ କରିପାରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି।

ଏଣ୍ଟ୍ରି-ଟେକ୍ନୋଲୋଜି (ଡିପ୍ଲୋମା) ପାଠ୍ୟକ୍ରମରେ ସର୍ବାଧିକ ୧୫ହଜାର ୯୮୧ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫ହଜାର ୯୭୨ଜଣଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି। ବି.ଫାର୍ମାରେ ୧୧୧ ହଜାର ୯୬୨, ଏମ୍‌ସିଏ/ଏସ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ)ରେ ୮୦୮୫, ଏମ୍‌ବିଏରେ ୭୮୦୨, ଏମ୍‌ଫାର୍ମାରେ ୧,୧୧୮ ଜଣଙ୍କୁ ରୢାଙ୍କ ମିଳିଛି। ଏହି ଅବସରରେ ବିଭିନ୍ନ ପାଠ୍ୟକ୍ରମର ଟପ୍‌ରମାନଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଓଜେଇଇ ଫଳାଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଉଷା ପାଢ଼ୀଙ୍କ ସମେତ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଓଜେଇଇ ଅଧ୍ୟକ୍ଷ ଓ ସଚିବ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ମେ’ ୮ରୁ ୧୫ ତାରିଖ ମଧ୍ୟରେ ଓଜେଇଇ ଅନୁଷ୍ଠିତ ହୋଇଥିଲା। ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା(ସିପିଟି) କରଯାଇଥିଲା। ଏହା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୪୪ କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କୋଲକାତା, ପାଟଣା ଏବଂ ରାଞ୍ଚିରେ ୩ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

ସମ୍ବନ୍ଧିତ ଖବର