ଅଲିଭ୍‌ରିଡ଼୍‌ଲେ ସୁରକ୍ଷା ପ୍ରସଙ୍ଗ: ଗଞ୍ଜାମରେ ହାଇକୋର୍ଟ ଗଠିତ ଟିମ୍‌

ବ୍ରହ୍ମପୁର : ଅଲିଭ୍‌ରିଡ଼୍‌ଲେ କଇଁଛଙ୍କ ସୁରକ୍ଷା ଲାଗି ନିଆ ଯାଉଥିବା ପଦକ୍ଷେପ ଅନୁଧ୍ୟାନ ଲାଗି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଗଠିତ ୩ ଜଣିଆ ଟିମ୍‌ ରବିବାର ଦିନ ଗଞ୍ଜାମ ଆସି ଅନୁଧ୍ୟାନ କରିଛନ୍ତି। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବେଙ୍ଗାଲୁରୁର କଇଁଛ ଗବେଷକ କାର୍ତ୍ତିକ ଶଙ୍କର, ହାଇକୋର୍ଟ ଆଇନଜୀବୀ ମୋହିତ୍‌ ଅଗ୍ରୱାଲ୍‌ ଏବଂ ରାଜ୍ୟ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଏହି ଟିମ୍‌ରେ ସାମିଲ ଥିଲେ। ଏଥିସହ ବ୍ରହ୍ମପୁର ବନଖଣ୍ଡ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ମତ୍ସ୍ୟ ନିର୍ଦ୍ଦେଶକ ସାମିଲ ଥିଲେ। ଏହି ଟିମ୍‌ ‌ଉପକୂଳବର୍ତ୍ତୀ ‌ପୁରୁଣାବନ୍ଧ ଜେଟି ଠାରୁ ଟ୍ରଲର୍‌ ଯୋଗେ ସମୁଦ୍ର ଭିତରକୁ ଯାଇ ଅଲିଭ୍‌ ରିଡ଼୍‌ଲେଙ୍କ ମିଳନ ପ୍ରକ୍ରିୟା ଓ ସ୍ଥିତି ଅନୁଧ୍ୟାନ କରିଥିଲେ। ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ପୋଡ଼ମ୍‌ପେଟା, ଗୋଖରକୁଦା ଓ ବଟେଶ୍ବର ଯାଇ ଅଲିଭ୍‌ରିଡ଼୍‌ଲେଙ୍କ ସୁରକ୍ଷା ଓ ଗଣଅଣ୍ଡାଦାନ ଲାଗି ବନବିଭାଗ ପକ୍ଷରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏହି ଟିମ୍‌ ବୁଲି ଦେଖିଥିଲେ। ଏହାପରେ ଏହି ଟିମ୍‌ ପୋଡ଼ମ୍‌ପେଟା, ଗୋଖରକୁଦା,ପାଳିବନ୍ଧ ଆଦି ଗ୍ରାମକୁ ଯାଇ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ଗୋଖରକୁଦା ସ୍ଥିତ ବନବିଭାଗ କ୍ୟାବିନ୍‌ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଲିଭ୍‌ରିଡ଼୍‌ଲେଙ୍କ ସୁରକ୍ଷା ଓ ସୁରକ୍ଷିତ ଗଣଅଣ୍ଡଦାନ ଏବଂ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଓଡ଼ିଶା ମତ୍ସ୍ୟକର୍ମୀ ୟୁନିୟନ୍‌ର ସାଧାରଣ ସମ୍ପାଦକ କେ.ଏଲେୟା ଏବଂ ଜିଲ୍ଲା ମତ୍ସ୍ୟକର୍ମୀ ୟୁନିୟନ ସଭାପତି ବି.ସିମାଦ୍ରୀ ଟିମ୍‌ ସଦସ୍ୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେଣ୍ଟ୍ରାଲ ଏମ୍‌ପାୱାର୍‌ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯିବା, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଯୋଜନା ଅନୁଯାୟୀ କ୍ଷତିଗ୍ରସ୍ତ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀଙ୍କୁ ଅଧିକ ସୁବିଧା ପ୍ରଦାନ କରାଯିବା ଓ ସଞ୍ଚୟ ତଥା ସାହାଯ୍ୟ ଯୋଜନାରେ ଅଧିକରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସାମିଲ କରିବା ସହିତ ବନ୍ଦ ହୋଇ ଯାଇଥିବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ପୁନଃକାର୍ଯ୍ୟକାରୀ କରାଯିବା ଲାଗି ଦାବି କରାଯାଇଛି।
ସମ୍ବନ୍ଧିତ ଖବର