‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ୨୮ରେ: କଟକ ସ୍ମୃତିସଭାର ଅତିଥି ଜଷ୍ଟିସ୍ ବିଶ୍ବନାଥ ରଥ

ବକ୍ତୃତା ଦେବେ ପ୍ରଫେସର କିଶୋର କୁମାର ବସା

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବକୁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସାରାରାଜ୍ୟରେ ‘ସ୍ବାଭିମାନ ଦିବସ’ ରୂପେ ପାଳନ କରାଯାଉଛି। ଗତ ଦୁଇବର୍ଷ ଧରି କରୋନା କଟକଣା ଦୃଷ୍ଟିରୁ ସ୍ବାଭିମାନ ଦିବସ ସାଧାରଣ ସଭା ବାତିଲ କରାଯାଇଥିଲା। ମାତ୍ର, ଏବର୍ଷ ଏହି ଉତ୍ସବ ନିର୍ଦ୍ଧାରିତ କଟକଣା ମଧ୍ୟରେ ରାଜ୍ୟର ପ୍ରତି ବ୍ଲକ୍‌ ଓ ପୌରାଞ୍ଚଳରେ ପାଳନ କରାଯିବ।

ରାଜ୍ୟସ୍ତରୀୟ ଉତ୍ସବ ଅବସରରେ ୨୮ ତାରିଖ, ଗୁରୁବାର ସକାଳ ୬ଟା ୩୦ରେ କଟକ ଗୋରାକବରଠାରେ ଏକ ସ୍ମତିସଭାର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଜଷ୍ଟିସ୍ ବିଶ୍ବନାଥ ରଥ ଯୋଗଦେବେ। ଏହାଛଡ଼ା ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର, ୟୁନିଟ୍-୩ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସ୍ବାଭିମାନ ଦିବସ’ ଓ ‘ଆମ ଓଡ଼ିଶା ବକ୍ତୃତାମାଳା’ ଆୟୋଜିତ ହେବ। ଏଥିରେ ପ୍ରଖ୍ୟାତ ନୃତତ୍ତ୍ୱବିତ୍ ତଥା ମାନବବିଜ୍ଞାନୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋରକୁମାର ବସା ଯୋଗଦେଇ ‘ଓଡ଼ିଶାର ଐତିହ୍ୟ: ଅତୀତ, ବର୍ତ୍ତମାନ ଓ ସମ୍ଭାବନା’ ପ୍ରସଙ୍ଗରେ ବକ୍ତୃତା ଦେବେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବାପାଇଁ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର