ମେଗା ଜଳ ପ୍ରକଳ୍ପ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଜଣେ ଗିରଫ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡାସ୍ଥିତ ଜେଏମସି ମେଗା ଜଳ ପ୍ରକଳ୍ପ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢେ଼ ଦଶଟା ସମୟରେ ପଶି ଭଂଗାରୁଜା କରିବା ସହ ପାଟିତୁଣ୍ଡ କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଘଟଣା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ଼ ଦଶଟା ବେଳେ ଗୁଣ୍ଠାଗୁଡାର ମନୋଜ ବାରିକ (୨୭) ନାମକ ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରିବା ସହ ମେଗା ଜଳ ପ୍ରକଳ୍ପ କାର୍ଯ୍ୟାଳୟରେ ପଶି ସିକ୍ୟୁରିଟି ଗାର୍ଡକୁ ଧକ୍କା ଦେବା ସହ ଧମକ ଚମକ ଦେଇ ମ୍ୟାନେଜରକୁ ଡାକିବାକୁ କହିଲା।

ତେବେ ସିକ୍ୟୁରିଟି ଗାର୍ଡ ମ୍ୟାନେଜର ଦିଲ୍ଲୀପ କୁମାର ସ୍ବାଇଁକୁ ଡାକିବା ପାଇଁ ଯାଇଥିଲେ। କିନ୍ତୁ ମନୋଜର ଅବସ୍ଥା ଜାଣି ମ୍ୟାନେଜର ସକାଳୁ ଭେଟିବା ପାଇଁ କହିଥିଲେ। ସିକ୍ୟୁରିଟି ଗାର୍ଡ ଏସଂପର୍କରେ ମନୋଜକୁ ଜଣାଇବାରୁ ସେ ଧକ୍କା ମାରି ମ୍ୟାନେଜରଙ୍କ ଶୋଇବା ଘର ଭିତରକୁ ଜବରଦସ୍ତ ପଶିଯାଇ ମ୍ୟାନେଜରଙ୍କୁ ଲକ୍ଷେ ଟଙ୍କା ଦେବା ପାଇଁ ଜିଦ୍ କରିଥିଲା। ଟଙ୍କା ନଦେଲେ କାମ କରେଇ ଦେବେ ନାହିଁ ଏବଂ ଜୀବନରେ ମାରି ଦେବେ ବୋଲି ଧମକ ଧମକ ଦେଇଥିଲେ। ତେବେ ଶ୍ରୀ ସ୍ବାଇଁ ସକାଳୁ ଆସି ଭେଟିବା ପାଇଁ କହିବା ପରେ ବି ସେ ନିଜ ଜିଦ୍ରେ ଅଟଳ ରହିବା ସହ ଧମକ ଚମକ ଦେବାରୁ ଶ୍ରୀ ସ୍ବାଇଁ ପୁଲିସରେ ଜଣାଇବା ପାଇଁ ବାଧ୍ୟ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମନୋଜକୁ ଗିରଫ କରିଥିଲେ। ଆଜି ତାକୁ କୋର୍ଟ ଚାଲାଣ କରିଥିବା ପୁଲିସ ଆଇଆଇସି ଈଶ୍ଵର ତାଣ୍ଡି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର