ମାର୍ବଲ ଓହ୍ଲାଉଥିବା ସମୟରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ, ୨ ଗୁରୁତର

କ୍ଷତିପୂରଣ ଦାବିରେ ଶବରଖି ଧାରଣା

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ପେଲେସଲାଇନପଡ଼ାରେ ଟ୍ରକରୁ ମାର୍ବଲ ଓହ୍ଲାଉଥିବା ସମୟରେ ଅଘଟଣ ଘଟିଛି। ଶ୍ରମିକଙ୍କ ଦେହରେ ମାର୍ବଲ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି ଓ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକ ଜଣକ କାଲସାଏପାଲି ଗାଁର ସୁଧୀର ବନଛୋର(୫୦ବର୍ଷ) ଏବଂ ଗୁରୁତର ଦ୍ବୟ ଆର୍ତ୍ତ କାଲସାଏ ଓ ଜୟନ୍ତ ପୋଢ଼ ବୋଲି ଜଣାପଡ଼ିଛି। ଶ୍ରମିକଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ଯାହାଙ୍କ ମାର୍ବଲ ସେମାନେ ଓହ୍ଲାଉଥିଲେ ସେହି ମାଲିକ ସାଧାରଣ ଭାବରେ ଡାକ୍ତରଖାନାକୁ ବି ଶ୍ରମିକମାନଙ୍କୁ ନେଲେ ନାହିଁ। ଏପରିକି ସ୍ୱାସ୍ଥ୍ୟାବସ୍ଥା ପଚାରିବାକୁ ବି ଗଲେ ନାହିଁ। ଯାହାକୁ ନେଇ କାଲସାଏପାଲି ଗାଁ ଲୋକେ ତାତିବା ସହ କ୍ଷତିପୂରଣ ଦାବି କରି ପେଲେସଲାଇନପଡ଼ା ଗୋପାଳ ଅଗ୍ରୱାଲଙ୍କ ଘର ସମ୍ମୁଖରେ ରାତି ଯାଏ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।

ପ୍ରକାଶ ଯେ, ପେଲେସଲାଇନପଡ଼ାର ଗୋପାଳ ଅଗ୍ରୱାଲ ଘର ତିଆରି ପାଇଁ ବାହାରୁ ମାର୍ବଲ ବୋଝେଇ ଟ୍ରକ୍‌ ଆଣିଥିଲେ। ଘର ସାମ୍ନାରେ ବୁଧବାର ମାର୍ବଲ ଓହ୍ଲାଉଥିବା ସମୟରେ ହଠାତ୍‌ ମାର୍ବଲ ସବୁ ଖସି ଯାଇ ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। କାହାର ମୁଣ୍ଡରେ ତ କାହାର ଛାତିରେ ବଡ଼ବଡ଼ ମାର୍ବଲ ପଥର ପଡ଼ିଥିଲା। ତିନି ଜଣ ଶ୍ରମିକ ଗୁରୁତର ଭାବେ ଛଟପଟ ହେଉଥିଲେ। ସ୍ଥାନୀୟ କିଛି ଲୋକ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସୁଧୀର ବନଛୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଗାଁ ଲୋକ ଆସି ଡାକ୍ତରଖାନାରେ ଜମା ହୋଇଥିଲେ। ସୁଧୀରଙ୍କ ଦୁଇ ଛୋଟ ପିଲା ଥିବା ବେଳେ ସେ ଗରିବ। ଏଣୁ ସେମାନେ କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ ଘର ମାଲିକ କି ପ୍ରଶାସନ ପକ୍ଷରୁ କେହି କିଛି ପ୍ରତିଶ୍ରୁତି ନଦେବାରୁ ଶ୍ରମିକଙ୍କ ଶବ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ କ୍ଷତିପୂରଣ ଦାବି କରି ନାରବାଜି ହେବାରୁ ଆଦର୍ଶ ଥାନା ପୁଲିସ ପହଞ୍ଚି ସେଠାରୁ ଘଉଡ଼ା‌ଇ ଦେଇଥିଲା। ଯାହା ଘରେ ଦୁର୍ଘଟଣା ଘଟିଲା ତାଙ୍କୁ କ୍ଷତିପୂରଣ ମାଗ ବୋଲି ପୁଲିସ କହିଥିଲା। ଜବରଦସ୍ତ ଘଉଡ଼ାଇବା ପରେ ଗାଁ ଲୋକେ ଶବକୁ ନେଇ ଗୋପାଳ ଅଗ୍ରୱାଲଙ୍କ ଘର ସମ୍ମୁଖକୁ ଯାଇଥିଲେ। ସେଠାରେ ସଂଧ୍ୟାରୁ ରାତି ୧୦ଟା ଖବର ଲେଖିବା ଯାଏ ଧାରଣାରେ ଗାଁ ଲୋକ ବସିଛନ୍ତି। ପ୍ରଶାସନ ପକ୍ଷରୁ କେହି ବୁଝାସୁଝା ପାଇଁ ଯାଇନଥିବା ବେଳେ ପୁଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି। ଅନ୍ୟପଟେ ଗାଁ ଲୋକେ କ୍ଷତିପୂରଣ ଦାବି କରି ଅଡ଼ି ବସିଛନ୍ତି। ଏପରିକି ସାଧାରଣ ଭାବେ ଜଣେ ଗୁରୁତର ହେଲେ ଡାକ୍ତରଖାନା ନନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରୁଛନ୍ତି।

ସମ୍ବନ୍ଧିତ ଖବର