କନ୍ଧମାଳରୁ କେରଳ ଓ ତାମିଲନାଡ଼ୁ ମୁହାଁ ଶ୍ରମିକ, ନାବାଳକ ଓ ନାବାଳିକା ମଧ୍ୟ ସାମିଲ୍‌

 

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲାରେ କାମଧନ୍ଦା ନପାଇ ଏବେ ଶହଶହ ଶ୍ରମିକ କେରଳ, ତାମିଲନାଡ଼ୁ ଭଳି ରାଜ୍ୟକୁ ମୁହାଁଇଛନ୍ତି। ଜିଲ୍ଲାର ପଛୁଆ ଅଞ୍ଚଳ ତୁମୁଡ଼ିବନ୍ଧ, କୋଟଗଡ଼ ସମେତ ବାଲିଗୁଡ଼ା, କ.ନୂଆଗାଁ, ରାଇକିଆ ଓ ଦାରିଙ୍ଗବାଡ଼ି ଅଞ୍ଚଳରୁ ପ୍ରତିଦିନ ବସ୍‌ ଯୋଗେ ଦଲାଲ୍‌ଙ୍କ ସହାୟତାରେ ଯାଉଛନ୍ତି। କେବଳ ମହିଳା ଓ ପୁରୁଷ ନୁହଁନ୍ତି, ଶିଶୁମାନେ ମଧ୍ୟ କାମ ଅନ୍ୱେଷଣରେ ଯାଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ଏଭଳି ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଯାଉଥିବାବେଳେ ଜିଲ୍ଲା ପ୍ରଶାସନ ଜାଣି ବି ନିରବଦ୍ରଷ୍ଟା ସାଜିଛି। ଫଳରେ ଦିନକୁଦିନ ଦାଦନ ଶ୍ରମିକ ଚାଲାଣ ବୃଦ୍ଧି ପାଉଛି। ବିଭିନ୍ନ ସ୍ଥାନରେ ଦଲାଲମାନେ ଖୋଲାଖୋଲି ବୋର୍ଡ, ବ୍ୟାନର୍‌ ଓ ପୋଷ୍ଟର୍‌ ମାରି ଶ୍ରମିକମାନଙ୍କୁ ଆକୃଷ୍ଟ କରି ରାଜ୍ୟ ବାହାରକୁ  ପଠାଉଛନ୍ତି। ଜିଲ୍ଲାରୁ ଶହଶହ ଶ୍ରମିକ ଚାଲାଣ ହେଉଥିବା ବେଳେ ଏହାର ହିସାବ କାହାରି ପାଖରେ ନାହିଁ। ଏ ନେଇ କୌଣସି ବ୍ୟକ୍ତି ପ୍ରତିବାଦ କଲେ ଦଲାଲ୍‌ମାନେ ଧମକଚମକ ମଧ୍ୟ ଦେଉଛନ୍ତି। ଯାହାକୁ ବୁଦ୍ଧିଜୀବୀ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଏମାନଙ୍କୁ ନିଜ ଅଞ୍ଚଳକୁ ଆଣି କାମଧନ୍ଦା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କାମ ମିଳିଲାନି। ଜିଲ୍ଲା ପ୍ରଶାସନର ଶ୍ରମ ବିଭାଗ ସ୍ଥାଣୁ ପାଲିଟିଯାଇଛି। ସମସ୍ତ ପ୍ରବାସୀଙ୍କୁ ବ୍ଲକ୍ ପ୍ରଶାସନ ମନରେଗା ଯୋଜନାରେ କାମ ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ କେବଳ ଭାଷଣ ଓ କାଗଜକଲମରେ ସୀମିତ। କିଛି ଦିନ ତଳେ ତୁମୁଡ଼ିବନ୍ଧ ଅଞ୍ଚଳରୁ ଶ୍ରମିକ ଚାଲାଣ ହେଉଥିବା ବେଳେ ବହୁ ଶିଶୁ ଯାଉଥିବା ଦେଖିବାକୁ ମିଳିଥିଲା। ଯଦି ଜିଲ୍ଲା ପ୍ରଶାସନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍‌ ନ ଲଗାନ୍ତି ତେବେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ି ଚାଲିବ ଓ ପରବର୍ତ୍ତୀ ସମୟରେ ଦାଦନଙ୍କ ଦୁଃଖ ମଧ୍ୟ ବଢ଼ିବ ବୋଲି ଆଲୋଚନା ହେଉଛି।
ସମ୍ବନ୍ଧିତ ଖବର