ଶେଷଦିନ ଗୃହ କମ୍ପିଲା: କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ

ନକଲି ସାର୍ଟିଫିକେଟ୍‌ ପ୍ରସଙ୍ଗ ବି ଉଠିଲା, ଅଭିଯୁକ୍ତଙ୍କ ସହ ଫଟୋ ନେଇ ନରସିଂହ-ଅରୁଣ ମୁହାଁମୁହିଁ

ଭୁବ‌ନେଶ୍ବର: ବିଧାନସଭାର ବଜେଟ୍‌ ଅଧିବେଶନର ‌ଶେଷ ଦିନରେ ଗୃହର ପରିବେଶ ଅଶାନ୍ତ ହୋଇପଡ଼ିଥିଲା। କୋଟିଆ ଓ ନକଲି ସାର୍ଟିଫିକେଟ୍‌ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରି ବିରୋଧୀ ପ୍ରବଳ ହୋ’ହଲ୍ଲା କରିଥିଲେ। ବାଚସ୍ପତିଙ୍କ ମାଇକ ଭାଙ୍ଗିବା ସହ ପୋଡିୟମ୍‌ ଉପରକୁ ଚଢ଼ି ଯାଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ବାଚସ୍ପତି ବାଧ୍ୟ ହୋଇଥିଲେ। ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ହିଁ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଥିଲା।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ପାର୍ବତୀପୁରମ୍‌ ଜିଲ୍ଲାପାଳ ଓଡ଼ିଶା ସୀମା ଭିତରେ ପଶି ଲୋକଙ୍କୁ ଆନ୍ଧ୍ରର ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଉଛନ୍ତି। ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ମଧ୍ୟ କୋଟିଆରେ ଆସି ବୈଠକ କରିଥିଲେ। ଆନ୍ଧ୍ର ପ୍ରତି ଲୋକଙ୍କୁ ଆକର୍ଷିତ କରିବାକୁ ସବୁ ପ୍ରକାର ଉଦ୍ୟମ ‌ସେମାନେ କରୁଛନ୍ତି। କୋଟିଆ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ସେଇଟା କେତେଦୂର ଗଲା?
କ’ଣ ସବୁ ‌କାମ ହେଲା? କେବଳ ଆନ୍ଧ୍ର ପଟୁ ନୁହେଁ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ମଧ୍ୟ ପଡ଼ୋଶୀମାନଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ କରନ୍ତୁ। ଶ୍ରୀ ମିଶ୍ର ଆହୁରି କହିଥିଲେ, ରାଜ୍ୟରେ ୫-ଟି ସ୍କୁଲ୍‌ଗୁଡ଼ିକୁ କମ୍ପ୍ୟୁଟର ଯୋଗାଣରେ ‘ବଣିକ’ କୋଚିଂ ସଂସ୍ଥାର ମୁଖ୍ୟ ସୁବ୍ରତ ଛାଟୋଇଙ୍କର କି ଭୂମିକା ରହିଛି? ତାଙ୍କର ଆଇଟି ସଚିବ ଓ ୫-ଟି ସଚିବଙ୍କ ସହ କି ସମ୍ପର୍କ ରହିଛି? ବଲାଙ୍ଗୀର ଜାଲ୍‌ ସାର୍ଟିଫିକେଟ୍‌ ଗ୍ୟାଙ୍ଗ୍‌ ସହ ‘ବଣିକ’ର କି ସମ୍ପର୍କ ରହିଛି? ଏହାର ସ୍ପଷ୍ଟ ଉତ୍ତର ସରକାର ଦିଅନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, କିଛି ବିଭାଗରେ ସଚିବ ବହୁତ ଦିନ ଧରି ରହୁଥିବା ସମ୍ପର୍କରେ ପୂର୍ବରୁ ଗୃହରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ଅନ୍ୟ କୌଣସି ଜାଗାରେ ନିଯୁକ୍ତି ଦିଆଯାଇପାରିବନି। ସୁପ୍ରିମକୋର୍ଟ ଏ ନେଇ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏବେ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କିପରି ପାଳନ ହେଉଛି, ସେ ସମ୍ପର୍କରେ ଦୁଇ ମାସ ଭିତରେ ଜଣାଇବାକୁ କହିଛନ୍ତି। କୋର୍ଟ, ସାମ୍ବିଧାନିକ ବ୍ୟବସ୍ଥା ଆଦି ମାନିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନାହାନ୍ତି। ଏଠି ଆଇନର ଶାସନ ଚାଲିନି।

କୋଇଡ଼ା ବିଡିଓ ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଲେ, କୋଇଡ଼ା ବିଡିଓଙ୍କ ସମ୍ପର୍କରେ ଏ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତାଙ୍କର ବଦଳି ପାଇଁ ଦାବି କରାଯାଇଥିଲା। ଏ ସମ୍ପର୍କରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ। କିନ୍ତୁ ତାହା ପରେ କ’ଣ ହେଲା, ଆମେ ଜାଣିପାରିଲୁନି। ଗୃହର ଉଦ୍‌ବେଗ, ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷର ମୂଲ୍ୟ କିଛି ନାହିଁ? ଏବେ ବିଡିଓଙ୍କ ବାପା ଓ ଭାଇ ତାଙ୍କୁ ମାଡ଼ ମାରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ବିଡିଓ ଆହତ ହୋଇ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏମିତି ପରିଣତି କାହିଁକି ହେଲା? ବିଡିଓଙ୍କୁ ତୁରନ୍ତ ବଦଳି କରିଥିଲେ ଏମିତି ସ୍ଥିତି ହୋଇ ନଥା’ନ୍ତା। ମନ୍ତ୍ରୀ ଗୃହରେ କହିଲା ପରେ ବି ସରକାର କିଛି ପଦକ୍ଷେପ ନେଲେନି। ରାଜ୍ୟରେ ଆଇନ୍‌ଶୃଙ୍ଖଳା ନାହିଁ। ଜଙ୍ଗଲୀରାଜ ଚାଲିଛି। ଏମିତି ଲାଗି ରହିଲେ ଶେଷରେ ଲୋକ ଆଇନକୁ ହାତକୁ ନେବେ ବୋଲି ସେ ସତର୍କ କରାଇ ଦେଇଥିଲେ।
ନକଲି ସାର୍ଟିଫିକେଟ୍‌ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା କହିଲେ, ବଲାଙ୍ଗୀରରେ ନକଲି ସାର୍ଟିଫିକେଟ୍‌ ରାକେଟ୍‌ ଧରାପଡ଼ିଲା। ଏହା ଏବେ ସାରା ରାଜ୍ୟକୁ ବ୍ୟାପିଗଲାଣି। ଏହି ରା‌କେଟ୍‌ର ମୁଖ୍ୟ ଅଭିଯୁକ୍ତ ସହ ବିଜେଡି ବିଧାୟକଙ୍କ ଫଟୋ ବୁଲୁଥିଲା। ଏବେ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ବି ଭାଇରାଲ୍ ହେଉଛି। କେଉଁ ପରିସ୍ଥିତିରେ ଏହି ଫଟୋ ଉଠିଲା, ମନ୍ତ୍ରୀ ଗୃହକୁ ଆସି ବିବୃତି ଦିଅନ୍ତୁ। ବଲାଙ୍ଗୀରର ୫ ନମ୍ବର ୱାର୍ଡରେ ୪ ନମ୍ବର ସରକାରୀ କ୍ବାର୍ଟର୍ସ କାହା ଦଖଲରେ ରହିଛି? ବଲାଙ୍ଗୀରରେ ନକଲି ଔଷଧ ଓ କପ୍‌ସିରପ୍‌ କାରବାର ହେଉଥିବା ଅଭିଯୋଗ ହେଉଛି। ଅପରାଧ ବି ବଢ଼ିଛି।

ବଲାଙ୍ଗୀରରେ କାହିଁକି ଏମିତି ଘଟୁଛି? ଯେତେସବୁ ଅରାଜକତା ହେଉଛି, ସବୁଥିରେ ସରକାରୀ ଦଳର ସଂପୃକ୍ତି ଥିବାର ଅଭିଯୋଗ ଆସୁଛି। ରାଜ୍ୟରେ ସୀମା ସୁରକ୍ଷିତ ନୁହେଁ। ଧନଜୀବନ ସୁରକ୍ଷିତ ନୁହେଁ। ତେବେ ସରକାର କରୁଛନ୍ତି କ’ଣ? କିଛି ଲୋକ କହୁଛନ୍ତି ଗୋଟିଏ ପ୍ରସଙ୍ଗ ବାରମ୍ବାର କାହିଁକି ଉଠାଯାଉଛି। ଯାହାଙ୍କୁ ଶୁଣାଯାଏନି, ତାଙ୍କୁ ଶୁଣାଇବା ପାଇଁ ବାରମ୍ବାର ବଡ଼ ପାଟିରେ କହିବାକୁ ପଡ଼େ। ଯିଏ ଶୁଣିକି ଚୁପ୍ ରହିଲା, ତାଙ୍କର ଜ୍ଞାନ ଉଦୟ ପାଇଁ ବି ବାରମ୍ବାର କୁହାଯାଏ। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି କି ଶୁଣୁନାହାନ୍ତି। ଏ ଗୃହରେ ଯେଉଁମାନେ ଅଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଣାଉ ନାହାନ୍ତି। ଆଜି ବ୍ୟୟମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ‌ଅଛି। କିନ୍ତୁ ଆମ କଥା ନ ଶୁଣିଲେ ଆମେ କାହିଁକି ସେହି ଆଲୋଚନାରେ ଭାଗ ନେବୁ?

ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ମୁଖ୍ୟମନ୍ତ୍ରୀ ଜାପାନ, ଦୁବାଇ, ଇଟାଲି ସବୁଆଡ଼େ ଯାଉଛନ୍ତି। କିନ୍ତୁ କୋଟିଆ ଯିବାକୁ ସମୟ ହେଉନି?

ଏହି ସମୟରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ‌ହୋହଲ୍ଲା କରିଥିଲେ। କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ନାରାବାଜି କରିଥିଲେ। ନକଲି ସାର୍ଟିଫିକେଟ୍ ରାକେଟ୍‌ ପ୍ରସଙ୍ଗରେ ଶାସକ ଦଳ ବିରୋଧରେ ଗର୍ଜିଥିଲେ। ଶାସକ ଦଳ ସଭ୍ୟ ଅରୁଣ ସାହୁ କହିଲେ, ବିରୋଧୀ ଡ୍ରାମା କରୁଛନ୍ତି। ତୁମର ୮ ସାଂସଦ ଓ ୩ ମନ୍ତ୍ରୀ ଅଛନ୍ତି। ସେମାନେ କେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କୋଟିଆ ସମସ୍ୟା କଥା କହିଛନ୍ତି କି? ଥରୁଟିଏ କେନ୍ଦ୍ରରେ ପାଟି ଫିଟାଇଛନ୍ତି କି? ‌ସଂଘୀୟ ବ୍ୟବସ୍ଥାରେ ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କର ବି ବଡ଼ ଦାୟିତ୍ବ ରହିଛି। ଆପଣମାନେ କରୁଛନ୍ତି କ’ଣ? ଖାଲି ସଂକୀର୍ଣ୍ଣ ରାଜନୀତି କଲେ ହେବନି। ଏ ଗୃହକୁ ସାଢ଼େ ଚାରି କୋଟି ଲୋକଙ୍କ ସ୍ବାର୍ଥ ପାଇଁ ବ୍ୟବହାର କରାଯାଉ। ଆପଣମାନେ ୫-ଟି କଥା ବାରମ୍ବାର କହୁଛନ୍ତି। ପ୍ରଧାନମନ୍ତ୍ରୀ ବି ୫-ଟି ପଦ୍ଧତ୍ତି ସମ୍ପର୍କରେ କହିସାରିଲେଣି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍‌ କରି ଶ୍ରୀ ସାହୁ କହିଥିଲେ, ଆପଣଙ୍କୁ ଆମେ ଆଦର୍ଶ ଭାବୁଥିଲୁ। କିନ୍ତୁ ଆପଣ ତଳକୁ ଖସି ଫଟୋ ରାଜନୀତି କରୁଛନ୍ତି। ଏହା କହି ସେ ଏକ ସଭାରେ ନରସିଂହ ମିଶ୍ରଙ୍କ ସହ ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଠିଆ ହୋଇଥିବାର ଫଟୋକୁ ଦେଖାଇଥିଲେ। ପରେ ଶ୍ରୀ ମିଶ୍ର ଚାଲେଞ୍ଜ୍ କରି କହିଥିଲେ, ‌ମୋର କୌଣସି ଫଟୋ ଯଦି ଅଛି ତେବେ ମୁଁ ତଦନ୍ତକୁ ସ୍ବାଗତ କରୁଛି। ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ତଦନ୍ତକୁ ସାମ୍ନା କରିବାର ଯଦି ସାହସ ଅଛି ତେବେ ତଦନ୍ତ ପ୍ରକ୍ରିୟାକୁ ଆସନ୍ତୁ। ଏହା ପରେ ଶ୍ରୀ ସାହୁ ଠିଆ ହୋଇ କହିଲେ, ଆମେ ବି ନିରପେକ୍ଷ ତଦନ୍ତ ଚାହୁଛୁ। ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଭିତରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟମଞ୍ଜୁରି ବିଲ୍‌ ଆଗତ କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ଏପରି ନାରାଜାବି କରୁଥିଲେ ଯେ ମନ୍ତ୍ରୀଙ୍କ କଥା ଶୁଣାଯାଇ ନଥିଲା।

ଏହି ସମୟରେ ‌ତାରା ବାହିନୀପତି ଓ ଲକ୍ଷ୍ମଣ ମୁଣ୍ଡ ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କୁ ପୋଡିୟମ୍‌ ବାଡ଼େଇଥିଲେ। ଶ୍ରୀ ମୁଣ୍ଡା ବାଚସ୍ପତିଙ୍କ ମାଇକି ଭାଙ୍ଗି ଦେଇଥିଲେ। ଶ୍ରୀ ବାହିନୀପତିଙ୍କୁ ଅନ୍ୟ ସଦସ୍ୟମାନେ ଟେକି ବାଚସ୍ପତିଙ୍କ ପୋଡିୟମ୍‌ ଉପରେ ବସାଇ ଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ସମାନ ସ୍ଥିତି ଲାଗି ରହିଲା। ଦୁଇଟି ଯାକ ପ୍ରସଙ୍ଗକୁ ଧରି ବିରୋଧୀ ଗୃହ ମଧ୍ୟ ଭାଗରେ ଗର୍ଜିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ବିଭିନ୍ନ ପର୍ଯ୍ୟାୟରେ ୫ଟା ୧୫ ଯାଏ ଗୃହ ମୁଲତବୀ ରହିଲା। ତା’ପରେ ବାଚସ୍ପ ବ୍ୟୟମଞ୍ଜୁରୀ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଫଳରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର