ସର୍ବଦଳୀୟ ବୈଠକରେ ବିରୋଧୀ ବର୍ଷିଲେ, ପ୍ରସ୍ତାବ ବି ଦେଲେ

ଭୁବନେଶ୍ବର : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେଲା। ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବିଧାନସଭା ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ସରକାରଙ୍କୁ ଏପରି ତେରଚ୍ଛା ବାଣ ମାରିଛନ୍ତି। ବହୁ ବିଧାୟକମାନଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହିତ କୋଭିଡ ପରିଚାଳନାରେ ସରକାରଙ୍କ ଦୋଷ ଓ ତ୍ରୁଟି ଧରିବା ସହିତ ବହୁ ଉପାଦେୟ ପ୍ରସ୍ତାବ ମଧ୍ୟ ବିରୋଧୀ ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ସଂକଟ ପରିଚାଳନା କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ।

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଥିଲେ, ଗତବର୍ଷ ପରି ପ୍ରତି ପଞ୍ଚାୟତରେ ଟିଏମ୍‌ସି କେନ୍ଦ୍ର ଖୋଲିବାକୁ ଦାବି କରାଯାଇଛି। ଚଳିତ ବର୍ଷ କୋଭିଡ ସଂକ୍ରମଣ ଭୟଙ୍କ ରୂପ ନେଇଥିଲେ ବି ଗତବର୍ଷ ପରି ଆକ୍ରାନ୍ତଙ୍କୁ ଟ୍ରେସିଂ ଓ ଟ୍ରାକିଂ କରାଯାଉନାହିଁ। ଘରକୁ ଘର ବୁଲି କୋଭିଡ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି। ଟିକା ରାଜ୍ୟ ସରକାର ଯେତେ ମାଗିବେ କେନ୍ଦ୍ର ସରକାର ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଟିକା ପରିଚାଳନା ସୁବ୍ୟବସ୍ଥିତ ହେଉନାହିଁ। ଟିକା ଆସିବା ପରେ ଟିକାକରଣ କାର୍ଯ୍ୟ ଜିଲ୍ଲା ସ୍ତରରେ କିପରି ତ୍ବରିତ୍‌ ହେବ ତାକୁ ସରକାର ଗୁରୁତ୍ବ ଦେବା ଦରକାର। ସରକାର କହୁଛନ୍ତି, କୋଭିଡ ହସ୍ପିଟାଲ୍‌ରେ ପର୍ଯ୍ୟାପ୍ତ ଶଯ୍ୟା ରହିଛି। ତାହେଲେ, ନବବଧୁଟିଏ ଶଯ୍ୟା ନ ପାଇ ପ୍ରାଣ ହରାଇଲା କିପରି ବୋଲି ଶ୍ରୀ ମାଝୀ ବୈଠକରେ ପ୍ରଶ୍ନ କରିଥିଲେ। ଗ୍ରାମାଞ୍ଚଳରେ ଆସିୟୁ, ଭେଣ୍ଟିଲେଟର ଓ ଏଚ୍‌ଡିୟୁ ବ୍ୟବସ୍ଥା କୋଭିଡ ରୋଗୀମାନଙ୍କ ପାଇଁ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ ଏହା ସର୍ବଦଳୀୟ ବୈଠକ ନଥିଲା ପ୍ରଚାର ସଭା ଥିଲା। ବୈଠକ ବିଧାନସଭା ଦ୍ବାରା ଡକାଯାଇଛି କି ସରକାର ଡାକିଛନ୍ତି ସେ ନେଇ ବୈଠକରେ ପ୍ରଶ୍ନ ଉଠାଇଥିଲେ। ଶ୍ରୀ ମିଶ୍ର କହିଥିଲେ, ଯେଉଁ ଦଳର ବିଧାନସଭାରେ ପ୍ରତିନିଧିତ୍ବ ନାହିଁ ସେମାନଙ୍କର କଥା ସରକାରଙ୍କ ପାଖରେ କିପରି ପହଞ୍ଚିବ। ଏପରି ବୈଠକ ନ କରି ବିଧାନସଭାର ସ୍ବତନ୍ତ୍ର ଦୁଇ ଦିନିଆ ଅଧିବେଶନ ଡାକିବାକୁ ସେ ପ୍ରସ୍ତାବ ଦେଇଥିଲେ। ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଦିଆଯାଉ। ଯଦି ସରକାରଙ୍କ ପାଖରେ ଅର୍ଥ ଅଭାବ ରହିଛି ତାହେଲେ ଅନ୍ତତଃ ମାସିକ ୨ ହଜାର ଟଙ୍କା ଦିଆଯାଉ। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ିଗଲାଣି। ସ୍ବାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ, ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ଯୋଗୁ କୋଭିଡ ରୋଗୀ ଚିକିତ୍ସା ପାଇପାରୁନାହାନ୍ତି। ଜିଲ୍ଲା ଓ ବ୍ଲକ୍‌ ସ୍ତରର ଅଧିକାରୀ ଓ କର୍ମଚାରୀ ଗ୍ରାମାଞ୍ଚଳ ଲୋକଙ୍କ ପାଖ ମାଡ଼ୁନାହାନ୍ତି। ଆମ୍ବୂଲାନ୍‌ସ୍‌ ମିଳୁନାହିଁ। ଅଥଚ ସବୁ ବ୍ୟବସ୍ଥା କରାଯାଇଛି ବୋଲି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଇ ଦେଉଛନ୍ତି। ଯଦି ସରକାରଙ୍କ ଆନ୍ତରିକତା ଅଛି, ତାହେଲେ ବିଧାୟକମାନଙ୍କୁ ଏପରି ସଂକଟ ସମୟରେ କୋଭିଡ ପରିଚାଳନା ବ୍ୟବସ୍ଥାରେ ସାମିଲ କରାଯାଉ।

ବଲାଙ୍ଗୀର ମେଡିକାଲ କଲେଜ୍‌ରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ଟିକା ପହଞ୍ଚିନି। ତାକୁ ତୁରନ୍ତୁ ସରକାର କାର୍ଯ୍ୟକାରୀ କରନ୍ତୁ। ଏହାସହିତ ବଲାଙ୍ଗୀର ମେଡିକାଲ କଲେଜ୍‌ରେ ଅଧିକ ଆଇସିୟୁ, ଭେଣ୍ଟିଲେଟର ଓ ଅଧିକ ଶଯ୍ୟା ବ୍ୟବସ୍ଥା କରିବାକୁ ସରକାରଙ୍କ ପାଖରେ ଶ୍ରୀ ମିଶ୍ର ଦାବି କରିଥିଲେ। ସେ ଆହୁରି କହିଥିଲେ ଯେ ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍‌ ଟେଷ୍ଟ୍‌ରେ ତାଳମେଳ ରହୁନାହିଁ। ଆର୍‌ଟିପିସିଆର୍‌ ରିପୋର୍ଟ ମିଳିବାରେ ବିଳମ୍ବ ଯୋଗୁ କୋଭିଡ ଲକ୍ଷଣ ଥିବା ରୋଗୀର ଚିକିତ୍ସା ହୋଇପାରୁନି। ଫଳରେ ସେ ପ୍ରାଣ ହରାଉଛି। ଏପରି ଘଟଣା ବଲାଙ୍ଗୀରର ପୁଇଁତଳା ବ୍ଲକରେ ଘଟିଥିବା ସେ ଉଦାହରଣ ଦେଇଥିଲେ।

ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ କୋଭିଡ଼ ସଂକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ଶପଥ ପାଠ କରାଇଥିଲେ ।

ସମ୍ବନ୍ଧିତ ଖବର