ବିଧାୟକଙ୍କ ସହ ଆଲୋଚନା ପାଇଁ ମୋଦି ଭୟଭୀତ କାହିଁକି

ଧାନର ସହାୟକ ମୂଲ୍ୟ ନେଇ ନରସିଂହଙ୍କ ପ୍ରଶ୍ନ

ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ୱର : ଏଥର ବିଧାନସଭା ଅଧିବେଶନରେ କୃଷି ଏବଂ କୃଷିଭିତ୍ତିକ ସମସ୍ୟାକୁ ନେଇ ଆଲୋଚନା ପାଇଁ କଂଗ୍ରେସ ବିଧାୟକ ଦଳ ଅଗ୍ରାଧିକାର ଦେଇଛି। ଏହି ପ୍ରସଙ୍ଗରେ ରହିଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କଥା ପ୍ରସ୍ତାବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ସମସ୍ୟା ସଂପର୍କରେ ଓଡ଼ିଶାର ବିଧାୟକମାନଙ୍କ ସହ ଆଲୋଚନା ପାଇଁ କାହିଁକି ଏତେ ଭୟଭୀତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଯଦି ସେ ଚାଷୀ ପ୍ରେମୀ ତେବେ ଶିଷ୍ଟାଚାର ରକ୍ଷାକରି ଆଲୋଚନା କରି ତାଙ୍କ ମତ ରଖିପାରନ୍ତେ ବୋଲି ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। କେଉଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଦଳ ଘେରିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଲେ ଯେ ରାଜ୍ୟରେ ଅନେକ ଜଟିଳ ସମସ୍ୟା ରହିଛି। ସେଥିମଧ୍ୟରୁ କିଛି ଅର୍ଥନୀତି ସଂପର୍କିତ ହୋଇଥିବା ବେଳେ ରାଜ୍ୟର ସମ୍ମାନ ବାଧାପ୍ରାପ୍ତ ହେବା ଭଳି ବି ପ୍ରସଙ୍ଗ ରହିଛି। କୃଷି ଏବଂ କୃଷକଙ୍କ ସମସ୍ୟାକୁ କଂଗ୍ରେସ ଅଗ୍ରାଧିକାର ଦେଇ ଆଲୋଚନା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ତିନିଥର ଚିଠି ଗଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ। ଏପରି କି ବାଚସ୍ପତି ନିଜେ ଚିଠି ଲେଖିଲେ। ପ୍ରାପ୍ତିସ୍ୱୀକାର କଲେ ନାହିଁ କହି ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଶ୍ରୀ ମିଶ୍ର ନିନ୍ଦା କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆସିଲେ କି ପଦକ୍ଷେପ କଂଗ୍ରେସ ନେବ ବୋଲି ତାଙ୍କୁ ପଚରାଯିବାରୁ ସେ କହିଲେ ଯେ କେଉଁ ନିନ୍ଦା ପ୍ରସ୍ତାବ ଆସିବ ତା’ ଉପରେ ଦଳର ମତାମତ ନିର୍ଭର କରୁଛି। କଂଗ୍ରେସ ଏଥିପାଇଁ ପ୍ରସ୍ତୁତ।

ଇତିମଧ୍ୟରେ କୋରାପୁଟରୁ କେନ୍ଦ୍ରାପଡ଼ା ନାବାଳିକା ଦୁଷ୍କର୍ମ ଅଭାବନୀୟ ଘଟଣାମାନ ଘଟିଛି। କୋରାପୁଟ ଘଟଣାରେ ପୁଲିସ ଦୁଷ୍କର୍ମ ବୋଲି ମାନୁନାହିଁ। କେନ୍ଦ୍ରାପଡ଼ାର ଜଣେ ୩ ବର୍ଷର କନ୍ୟା ଶିଶୁକୁ ଦୁଷ୍କର୍ମ ଘଟଣାରେ ଚାପ ପକାଇବା ପରେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତକୁ ଗିରଫ କରୁନାହିଁ। ଏଭଳି ଦୁଇ ଦୁଇଟା ଦୁଷ୍କର୍ମ ଘଟଣା ଯଦି ଦିଲ୍ଲୀରେ ଘଟିଥାନ୍ତା, ଏତେ ବେଳକୁ ସାରା ପୃଥିବୀ କମ୍ପୁଥାନ୍ତା। କୁନ୍ଦୁଲି ପୀଡ଼ିତାଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରୁନାହିଁ ପୁଲିସ। କୌଣସି ସଭ୍ୟ ସମାଜରେ ଏଭଳି ଉଦାହରଣ ବିରଳ ବୋଲି ବିରୋଧୀ ଦଳ ନେତା କହିଥିଲେ। ଏହାବ୍ୟତୀତ, ମହାନଦୀ ପ୍ରସଙ୍ଗ, ଯୁବକମାନଙ୍କ ବେକାରି, ଦାଦନ ଶ୍ରମିକ ସମସ୍ୟା ଆଦି ଅନେକ ସମସ୍ୟା ରହିଛି, ସେ ସଂପର୍କରେ କଂଗ୍ରେସ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବିରୋଧୀ ଦଳ ନେତା କହିଥିଲେ।

ସମ୍ବନ୍ଧିତ ଖବର