ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଗଦା କଲେ ଶାସକ, ବିରୋଧୀ

ଭୁବନେଶ୍ବର : ଖରିଫ ଧାନ କିଣା ଠିକ୍ ଚାଲିନି। ମନଇଚ୍ଛା କଟ୍‌ନି ଛଟ୍‌ନି ହେଉଛି। ଏଫ୍‌ଏକ୍ୟୁ ମାନର ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରାଯାଉଛି। ଟୋକନ୍ ପାଇଥିଲେ ବି ଧାନ ବିକି ପାରୁ ନାହାନ୍ତି ଚାଷୀ। ଧାନ କିଣାରେ ମିଲର୍‌ମାନଙ୍କ ରାଜ୍ ଚାଲିଛି। ସରକାର କିଛି କରି ପାରୁ ନାହାନ୍ତି। ଚାଷୀ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କ ମେରୁଦଣ୍ଡ ସରକାର ଭାଙ୍ଗି ‌ ଦେଲେଣି।

ଆଜି ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଏମିତି ଅଭିଯୋଗ ଗଦା କରିଥିଲେ ବିଧାୟକମାନେ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ଥିଲା। କିନ୍ତୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏମିତି ଅଭିଯୋଗ ସହ ଏକମତ ହେ‌ାଇ ନ ଥିଲେ। ତଥ୍ୟ ଦେଇ ଅଭିଯୋଗ କାଟିବାକୁ ଚେଷ୍ଟା କରିଥିଲେ। ‌ପ୍ରଶ୍ନକର୍ତ୍ତା ବିଧାୟକମାନେ ବି ଛାଡ଼ି ନ ଥିଲେ। ନିଜ ନିଜ ନିର୍ବାଚନମଣ୍ଡଳୀର କ୍ଷେତ୍ର ସ୍ତରର ସମସ୍ୟାକୁ ବଖାଣି ଧାନ କିଣା ଠିକ୍ ଚାଲିନି ବୋଲି ରୋକ୍‌ଠୋକ୍ ଜଣାଇ ଦେଇଥିଲେ।

ଆଜି ପ୍ରଶ୍ନକାଳରେ ମୁକେଶ ମହାଲିଙ୍ଗ, ନୃସିଂହ ସାହୁ ଓ ସନ୍ତୋଷ ସିଂହ ସାଲୁଜା ଧାନ କିଣା ସଂକ୍ରାନ୍ତରେ ମୂଳ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଉତ୍ତରରେ ଦର୍ଶାଇଥିଲେ ଯେ ୨୦୧୯-୨୦ ଖରିଫ୍‌ ଋତୁରେ ୫୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ସ୍ଥିର ହୋଇଥିଲା। ୧୩.୨.୨୦୨୦ ସୁଦ୍ଧା ରାଜ୍ୟରେ ୪୩ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ପରିମାଣର ଧାନ ସଂଗୃହୀତ ହୋଇଛି। ସମସ୍ତ ସଂଗୃହୀତ ଧାନ ଏଫ୍‌ଏକ୍ୟୁ ମାନର। ଧାନର ଏଫ୍‌ଏକ୍ୟୁ ମାନ ଭାରତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ। ଭାରତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ଏଫ୍‌ଏକ୍ୟୁ ମାନର ଧାନ ପାଇଁ ପ୍ରଯୁଜ୍ୟ।

ଟୋକନ୍‌ ଅବ୍ୟବସ୍ଥା ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ ଜଣାଇଥିଲେ ଯେ କିଛି ଜାଗାରେ ଚାଷୀମାନେ ଉପଯୁକ୍ତ ସମୟରେ ମଣ୍ଡିରେ ଧାନ ବିକ୍ରି କରିପାରି ନ ଥିବାରୁ ସେମାନଙ୍କ ଟୋକନ୍‌ର ବୈଧତା ଶେଷ ହୋଇଛି। ନିର୍ଦ୍ଧାରିତ କ୍ରୟ ଦିବସରେ ଚାଷୀ ଧାନ ନ ଆଣି ପାରିଲେ ମଧ୍ୟ ପରବର୍ତ୍ତୀ ସାତ ଦିନ ମଧ୍ୟରେ ଧାନ ବିକ୍ରି କରିବାର ସୁଯୋଗ ଦିଆଯାଇଛି। ଟୋକନ୍‌ର ବୈଧତା ଶେଷ ହେଲା ପରେ ମଧ୍ୟ ଦ୍ବିତୀୟ ବାର ଚାଷୀଙ୍କୁ ଟୋକନ୍‌ ଦିଆଯାଇ ଧାନ ବିକ୍ରି କରିବାକୁ ସୁଯୋଗ ଦିଆଯାଉଛି।

ଅଭିଯୋଗ ଗଦା କଲେ ଶାସକ, ବିରୋଧୀ
ମନ୍ତ୍ରୀ, ସଚିବ ଜିଦି ଛାଡ଼ନ୍ତୁ, କ୍ଷେତ୍ର ଯାଆନ୍ତୁ
ଗୃହରେ ରିପୋ‌ର୍ଟ ଉପସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ମୂଳ ପ୍ରଶ୍ନକର୍ତ୍ତା ମୁକେଶ ମହାଲିଙ୍ଗ କହିଥିଲେ, ଗୃହରେ ସବୁବେଳେ ଆଲୋଚନା ହେଉଛି ଧାନ କିଣା ସମସ୍ୟାର ସମାଧାନ କରିବାକୁ। କିନ୍ତୁ କିଛି ହେଉ ନାହିଁ। ନନ୍‌-ଏଫ୍‌ଏକ୍ୟୁ ମାନ ଆଳରେ କଟ୍‌ନି ଛଟ୍‌ନି ଚାଲୁ ରହିଛି। ମନଇଚ୍ଛା ୨/୩ କେଜି ଧାନ କାଟି ଦିଆଯାଉଛି। ମଡେଲ୍‌ ପାକ୍ସ୍‌ କରିବା ପାଇଁ ମନ୍ତ୍ରୀ ଏଠାରେ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଏ ଯାଏ ପ୍ରସ୍ତୁତ ହୋଇପାରିଲା ନାହିଁ। ‌େସହିପରି ନୃସିଂହ ସାହୁ କହିଥିଲେ ଯେ ସବୁ ପଞ୍ଚାୟତରେ ମଣ୍ଡି ଖୋଲିବାର ବ୍ୟବସ୍ଥା ‌େହବା ଦରକାର। ନିର୍ଦ୍ଦିଷ୍ଟ ଦିନରେ ଧାନ ବିକିବାକୁ ଚାଷୀମାନଙ୍କୁ କୁହାଯାଉଛି। କିନ୍ତୁ ମିଲର୍‌ମାନେ ଆସୁ ନ ଥିବାରୁ ଧାନ କିଣାଯାଉନି। ଚାଷୀମାନେ ହଇରାଣ ହେଉଛନ୍ତି। ସନ୍ତୋଷ ସିଂହ ସାଲୁଜା କହିଥିଲେ, ୮/୧୦ କେଜି ଲେଖାଏ କଟ୍‌ନି ଛଟ୍‌ନି ଚାଲିଛି। ଉଚ୍ଚପଦସ୍ଥ ଅଧିକାରୀମାନେ ଧାନ କିଣା ଦୁର୍ନୀତିରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଖାଲି ତଥ୍ୟ ଦେଇ ଅଭି‌େଯାଗ ଟାଳିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସରକାରଙ୍କ ତଥ୍ୟ ବାସ୍ତବତା ଠାରୁ ଦୂରରେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏଫ୍‌ଏକ୍ୟୁ ମାନ ପରୀକ୍ଷା କରିବା ପାଇଁ ମଣ୍ଡିରେ ଏକ ମେସିନ୍ ରହିବା ଦରକାର। ଯଦି ଧାନ ଏଫ୍‌ଏକ୍ୟୁ ମାନର ନୁହେଁ, ତେବେ ଆଉ ଏକ ମେସିନ୍ ମାଧ୍ୟମରେ ତାହାକୁ ଏଫ୍‌ଏକ୍ୟୁ ମାନର କରି ହେବ। କିନ୍ତୁ ମଣ୍ଡିଗୁଡ଼ିକରେ ଉଭୟ ମେସିନ୍ ନାହିଁ। ମିଲର୍‌ମାନେ ହାତରେ ଦେଖି ମାନ ପରୀକ୍ଷା କରୁଛନ୍ତି। ଫଳରେ ମନଇଚ୍ଛା କଟ୍‌ନି ଛଟ୍‌ନି କରାଯାଉଛି। ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ମଣ୍ଡିରେ ଧାନ ପଡ଼ି ରହିଥିବା ସମ୍ପର୍କରେ କହିଥିଲେ। ଭୂପିନ୍ଦର ସିଂହ ମଧ୍ୟ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ଗତ ବର୍ଷ ତୁଳନାରେ ଧାନ କିଣା ଉତ୍ସାହଜନକ ଅଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କାମ ଚାଲିଛି। ଧାନ କିଣାରେ ସବୁ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରାଯାଉଛି। ଏଥିରେ କୌଣସି ଅବହେଳା ଓ ଅନିୟମିତତାକୁ ବରଦାସ୍ତ କରାଯିବନି। ବିଧାୟକମାନେ ନିଜ ନିଜ ଅଞ୍ଚଳର ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ ତୁରନ୍ତ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ।

ଶୂନ୍ୟକାଳରେ ମଧ୍ୟ ବିଧାୟକମାନେ ପୁଣି ଧାନ କିଣା ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ପଶ୍ଚିମ ଓଡ଼ିଶାର ବହୁ ମଣ୍ଡିରେ ଧାନ ପଡ଼ି ରହିଛି। ଯଦି କିଣିବାକୁ ଅଧିକ ଧାନ ରହିଛି, ତେବେ ଏ ନେଇ ରାଜ୍ୟ ସରକାର କେନ୍ଦ୍ରକୁ କାହିଁକି ଚିଠି ଲେଖୁ ନାହାନ୍ତି ? ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ। ବିଜେପିର ବରିଷ୍ଠ ସଭ୍ୟ ଜୟ ନାରାୟଣ ମିଶ୍ର କହିଲେ ଯେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ରହିଛି। ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ମନ୍ତ୍ରୀ ଓ ସଚିବଙ୍କୁ କ୍ଷେତ୍ରକୁ ଯିବା ପାଇଁ ମୁଁ ବାରମ୍ବାର କହିଛି। କିନ୍ତୁ ଉଭୟ ଜିଦିଖୋର ମନୋବୃତ୍ତି ରଖି ଯାଉ ନାହାନ୍ତି। ରବି ଫସଲ ସମୟ ଆସିବା ସମୟ ହୋଇଯାଇଥିଲେ ବି ଏ ଯାଏ ଖରିଫ ଧାନ ଉଠି ନାହିଁ।

ଧାନ କିଣା ସମ୍ପର୍କରେ ମନ୍ତ୍ରୀ ଉତ୍ତର ଦେବାକୁ ବିଧାୟକମାଦେ ଦାବି କରିଥିଲେ। ଗୃହର ଉଦ୍‌ବେଗ ଦେଖି ବାଚସ୍ପତି ରୁଲିଂ ଦେଇଥିଲେ ଯେ ସମସ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲା ଭିତ୍ତିରେ ସମବାୟ ମନ୍ତ୍ରୀ ତୁରନ୍ତ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା କରନ୍ତୁ ଓ ଗୃହରେ ରିପୋର୍ଟ ଉପସ୍ଥାପନ କରନ୍ତୁ।

ସମ୍ବନ୍ଧିତ ଖବର