ଗୃହରେ ପୁଣି ଉଠିଲା ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ : ପଞ୍ଜୀକୃତ ଚାଷୀଙ୍କଠୁ ଧାନ ଉଠୁନି

ଭୁବନେଶ୍ବର : ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଆଜି ପୁଣି ବିଧାନସଭାରେ ଉଠିଛି। ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ କିଣୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଚାଷୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣାଯିବ ବୋଲି ସମବାୟ ମନ୍ତ୍ରୀ କହିଥିଲେ। କିନ୍ତୁ ଅନେକ ଜିଲ୍ଲାରେ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇନି। ବହୁ ଚାଷୀ ପଞ୍ଜୀକରଣ କରିଥିଲେ ବି ତାଙ୍କୁ ଟୋକନ୍ ମିଳି ନାହିଁ। ସେଥି ପାଇଁ କିଏ ଦ‌ାୟୀ ରହିବେ ? ଚାଷୀଙ୍କ ଠାରୁ କେବେ ଧାନ ଉଠିବ, ତାହାର ଉତ୍ତର ସରକାର ଦିଅନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯାଇନି। ବଲାଙ୍ଗୀରରେ ୫୦ ପ୍ରତିଶତ ଜମି ଜଳସେଚିତ ବୋଲି ସରକାର ଦାବି କରୁଛନ୍ତି। କିନ୍ତୁ ଆମେ କହୁଛୁ ମାତ୍ର ୩% ଜମି ଜଳ‌େସଚିତ। ବଲାଙ୍ଗୀରରେ ସମସ୍ତ ଚାଷୀଙ୍କ ଠାରୁ ହେକ୍ଟର ପିଛା ୧୩ କ୍ବିଣ୍ଟାଲ୍‌ ହିସାବରେ ଧାନ କିଣାଯାଉଥିବା ସରକାର କହୁଛନ୍ତି। ନିୟମ ଅନୁଯାୟୀ ଜଳସେଚିତ ଜମିରୁ ହେକ୍ଟର ପିଛା ୧୯ କ୍ବିଣ୍ଟାଲ୍‌ ଧାନ କିଣାଯିବା କଥା। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ବଲାଙ୍ଗୀରରେ ଆଦୌ ଜଳସେଚିତ ଜମି ନାହିଁ। ତେଣୁ କେଉଁ କଥା ଠିକ୍, ତାହା ସରକାର ସ୍ପଷ୍ଟ କରନ୍ତୁ। ଏ ସମ୍ପର୍କରେ ତଥ୍ୟ ରଖିବା ପାଇଁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ବିଜେପିର ବରିଷ୍ଠ ସଭ୍ୟ ଜୟ ନାରାୟଣ ମିଶ୍ର ଧାନ କିଣା ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ। ଏହି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ବାଚସ୍ପତି କହିଥିଲେ।

ସମ୍ବନ୍ଧିତ ଖବର