ରିଜର୍ଭ ବ୍ୟାଙ୍କ ଡଲାର ନିଲାମ କରିବ

ମୁମ୍ବାଇ, : କରୋନାକୁ ନେଇ ମୁଦ୍ରା ବିନିମୟ ବଜାରରେ ଦେଖାଦେଇଥିବା ଅସ୍ଥିରତାର ମୁକାବିଲା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗେଇ ଆସିଛି। ବଜାରରେ ଡଲାରର ଯେଉଁ ଅଭାବ ଦେଖାଦେଇଛି ତାହାକୁ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ୨ ବିଲିଅନ୍ ଡଲାର ବାହାର କରି ନିଲାମ କରିବ। ବ୍ୟାଙ୍କଗୁଡ଼ିକ ଭାରତୀୟ ଟଙ୍କା ଜମା କରି ତାହା ବଦଳରେ ଡଲାର ନେଇପାରିବେ। ଏହିଭଳି ଭାବେ ଡଲାର ଅଭାବକୁ ରିଜର୍ଭ ବ୍ୟାଙ୍କ ଦୂର କରିବାକୁ ଚାହୁଛି।

ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ରହିଛି। ସେଥିରେ ଡଲାର ମାତ୍ରା ଅଧିକ। ଏବେ ୨ ବିଲିଅନ ଡଲାର ନିଲାମ କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ରିଜର୍ଭ ବ୍ୟାଙ୍କ ଉଦ୍ୟମ କରିବ। ଭବିଷ୍ୟତରେ ଦରକାର ହେଲେ ଭଣ୍ଡାରରୁ ଅଧିକ ଡଲାର ବାହାର କରିବାକୁ ମଧ୍ୟ ଏହା ପ୍ରସ୍ତୁତ ଥିବା କହିଛି। ଦେଶର ଚଳନ୍ତି ନିଅଣ୍ଟ (ଆମଦାନି ଓ ରପ୍ତାନି ଭିତରେ ଅନ୍ତର) କମ୍ ଥିବାରୁ ତାହା ଡଲାର ନିଲାମ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। କରୋନା ପ୍ରଭାବରେ ସାରା ବିଶ୍ବର ବିକାଶଶୀଳ ଦେଶଗୁଡ଼ିକର ମୁଦ୍ରାଗୁଡ଼ିକ ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇପଡ଼ିଛନ୍ତି। ବିଶ୍ବର ବିଭିନ୍ନ ସ୍ଥାନରେ ଡଲାର ଚାହିଦା ବଢ଼ିଯାଇଥିବାରୁ ବଜାରରେ ତାହାର ଅଭାବ ସୃଷ୍ଟି ହୋଇଛି। ଭାରତୀୟ ଟଙ୍କା ମଧ୍ୟ ଏହାର ଶିକାର ହୋଇଛି।

ସମ୍ବନ୍ଧିତ ଖବର