ସାମ୍ନାକୁ ଆସିଲା ଧାନ କିଣା ତଥ୍ୟ

ଭୁବନେଶ୍ବର : ଧାନ କିଣାରେ କେଳେଙ୍କାରୀ, ଭୂତ ଚାଷୀ ଧାନ ବିକ୍ରି କରୁଥିବା ଏବଂ ଟୋକନ୍ ବାଜ୍ୟାପ୍ତି କାରଣରୁ ଧାନ କିଣାରେ ସମସ୍ୟା ଆଦି ପ୍ରସଙ୍ଗ ନେଇ ବିଧାନସଭା ଭିତରେ ଓ ବାହାରେ ଯେଉଁ ଉଦ୍‌ବେଗ ପ୍ରକାଶ ପାଇଥିଲା, ସେସବୁ ଅସତ୍ୟ ନୁହେଁ। ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଇଥିବା ଉତ୍ତରରେ ଏକଥା ସ୍ପଷ୍ଟ ହୋଇଛି। ଧାନ କିଣାରେ ଅବ୍ୟବସ୍ଥା କାରଣରୁ ସରକାର ବଡ଼ ବଡ଼ିଆ ଅଧିକାରୀଙ୍କ ବିରୋଧରେ ନ ହେଲେ ବି ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଭୂତ ଚାଷୀ ଧରିଛନ୍ତି ଓ ଟୋକନ୍ ବାଜ୍ୟାପ୍ତି ଘଟଣାରେ କିଛି ସ୍ଥାନରେ ସତ୍ୟତା ଥିବା କାରଣରୁ ଧାନ କିଣାହୋଇଛି ଓ କିଛି ସ୍ଥାନରେ ପ୍ରଶାସନ ତଦନ୍ତ କରୁଛି।

ମନ୍ତ୍ରୀ ତାଙ୍କ ବିବୃତିରେ ସିଧା ସିଧା କହିଛନ୍ତି, ଖାଦ୍ୟ ଯୋଗାଣ ବିଭାଗ ୯୨ ଜଣ ପ୍ୟାକ୍ସ ସଂପାଦକଙ୍କୁ ଧାନ କିଣାରେ ଅବହେଳା ପାଇଁ ନିଲମ୍ବିତ କରିଛି। ପଦ୍ମପୁର ଆର୍‌ଏମ୍‌ସି ସଂପାଦକ ଧାନ କିଣା କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି। ଚାନ୍ଦବାଲି ଆରଏମ୍‌ସି ସଂପାଦକଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ସରକାର ନିର୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଗଜପତି ଓ ଭଦ୍ରକ ଜିଲ୍ଲାରେ ଧାନ କିଣା କାର୍ଯ୍ୟରେ ଜାଲିଆତି କରିଥିବା ଦୁଇଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ୪୦୦ ଭୂତଚାଷୀଙ୍କ ସଂପର୍କରେ ତଦନ୍ତ ଚାଲିଛି।

ସରକାର ନିୟମିତ ଭିଡ଼ିଓ କନଫରେନ୍ସିଂ କରି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ, ଉପ ସମବାୟ ନିବନ୍ଧକ, ସହକାରୀ ସମବାୟ ନିବନ୍ଧକଙ୍କୁ ଧାନ ଥିବା ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଧାନ କିଣିବା ପାଇଁ ନିର୍ଦେଶ ଦେଉଛନ୍ତି। କିନ୍ତୁ ସମାନ୍ତରାଳ ଭାବେ ଭୂତ ଚାଷୀ ଓ ବେପାରିଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି କ୍ଷେତ୍ରାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଯଦି କୌଣସି ଯୋଗ୍ୟ ଚାଷୀ ବିକ୍ରି କରିପାରିନଥାନ୍ତି, ବିଧାୟକମାନେ ସେମାନଙ୍କ ତାଲିକା ଦେଲେ ସରକାର ଧାନ କିଣିବେ ବୋଲି ମନ୍ତ୍ରୀ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଗୃହରେ ଏକଥା ବି କହିଛନ୍ତି ଯେ ଦେବଗଡ଼ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ସମ୍ବଲପୁର ଜିଲ୍ଲାରୁ ଆସି ଏହି ଜିଲ୍ଲା ଧାନ ସଂଗ୍ରହ କରୁଥିବା ୬ଜଣ କଷ୍ଟମ୍ ମିଲରଙ୍କ ଅମାନତ ଜମା ନିୟମକୁ ସରକାର କୋହଳ କରାଯାଇଛି। ଦେବଗଡ ଜିଲ୍ଲାରେ ବୈଧତା ହରାଇଥିବା ୨୯୦୦ ଟୋକନ୍ ବାବଦରେ ଜିଲ୍ଲାପାଳ ତଦନ୍ତ କରୁଥିବା ବେଳେ ମୟୂରଭଂଜରେ ଏପରି ୫୦୦୦ ଟୋକନ୍‌ ସଂପର୍କରେ ପ୍ରଶାସନ ଅନୁସନ୍ଧାନ କରୁଛି। ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ଯେଉଁ ଚାଷୀଙ୍କର ଧାନ ଉଠିନାହିଁ, ତାର ତଦନ୍ତ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୨୦୦ ଚାଷୀଙ୍କ ବାବଦରେ ତଦନ୍ତ ଜାରି ରହିଛି। ସତ୍ୟତା ସାମ୍ନାକୁ ଆସିଲେ ସରକାର ଧାନ କିଣିବେ। ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ପୁନର୍ବାର ଚାଲୁ କରାଯାଇ ୮୧୬ ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଛି।

ମନ୍ତ୍ରୀ ଗୃହରେ ଆହୁରି ତଥ୍ୟ ରଖିଛନ୍ତି ଯେ ଯେଉଁ ଜିଲ୍ଲାରୁ ଧାନ କିଣାଯାଉଛି, ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସରକାର ଯୋଗାଯୋଗରେ ଅଛନ୍ତି। ରାଜ୍ୟରେ ଚଳିତବର୍ଷ ଅଦ୍ୟାବଧି ୬୦.୪୦ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୧୯ ପ୍ରତିଶତ ଅଧିକ। ଗତବର୍ଷ ଏବେ ସୁଦ୍ଧା ୫୦.୮୭ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା। ସେହିପରି ଚଳିତବର୍ଷ ଏଯାଏ ୧୧.୨୫ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୯.୧୭ ଲକ୍ଷ ଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗତ ୨୬ ତାରିଖରେ ବିଧାନସଭାରେ ବିବୃତି ରଖିଥିଲେ, ସେବେଠାରୁ ଇତିମଧ୍ୟରେ ପ୍ରାୟ ୭୨ ହଜାର ଚାଷୀଙ୍କ ଠାରୁ ୨.୭୩ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚାଷୀ କେତେ ଜମି ପଞ୍ଜୀକୃତ କରିଛନ୍ତି ଏବଂ ପଟ୍ଟା ଅନୁଯାୟୀ ସେମାନଙ୍କର ଜମି କେତେ? ଚାଷୀ କେତେ ଜମି ଚାଷ କରିଛନ୍ତି ଓ ତାଙ୍କ ନିକଟରେ ପ୍ରକୃତରେ ଧାନ ଅଛି କି ନାହିଁ? ଚାଷୀ କାହିଁକି ଟୋକେନ୍ ଉଲ୍ଲିଖିତ କ୍ରୟ ତାରିଖର ୩୦ ଦିନ ମଧ୍ୟରେ ଧାନ ବିକ୍ରୟ କରିପାରିଲେ ନାହିଁ? ୩୦ଦିନର ଅବଧିଯାକ ମଣ୍ଡି ବନ୍ଦ ଥିଲା କି? କ୍ରୟ କାର୍ଯ୍ୟ ସଂପାଦକ କରିବା ପାଇଁ ମଣ୍ଡିରେ ଧାର୍ଯ୍ୟ ଲକ୍ଷ୍ୟ ଅଭାବ ଥିଲା କି? ସଂପୃକ୍ତ ଅବଧି ସମୟରେ ଚାଷୀଙ୍କୁ ଅବହେଳା କରି ପରବର୍ତ୍ତୀ ଚାଷୀଙ୍କ ଠାରୁ ଧାନ କିଣାଯାଇଥିଲା କି? ଏବଂ ମଣ୍ଡି ପରିଚାଳନା ଠିକ୍ ଭାବେ ସଂପାଦନା କରାଯାଇଥିଲା ନା ନାହିଁ? ଏଭଳି ୭ଟି ପ୍ରଶ୍ନ ଉପରେ ଯୋଗାଣ ବିଭାଗ ତନାଘନା କରି କାର୍ଯ୍ୟାନୁଷ୍ଠାନ େନଇଥିବା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର