ବିହନ ପାଇଁ ବାହୁନା : କମ୍ପାନି କବ୍‌ଜାରେ ସମ୍ବଲପୁର ବଜାର

ଦେଶୀ ଓ ସରକାରୀ ବିହନର ନକାରାତ୍ମକ ପ୍ରଚାର
ଲକ୍‌ଡାଉନରେ କଂପାନିଙ୍କ ଅନ୍‌ଲାଇନ୍‌ ବ୍ୟବସାୟ
ଅଧିକ ମୂଲ୍ୟ, ରୋଗପୋକ ଆଶଙ୍କା ସତ୍ତ୍ବେ ଚାହିଦା ବୃଦ୍ଧି

ସମ୍ବଲପୁର : ସରକାରୀ ବିହନ ଯୋଗାଣରେ ଅବ୍ୟବସ୍ଥା ଓ ବିହନର ମାନକୁ ନେଇ ସବୁବେଳେ ଦ୍ବନ୍ଦ୍ବ ଲାଗିଛି। ଫଳ ଏମିତି ଯେ, ସରକାରୀ ବିହନ ନିମ୍ନମାନର ଓ ଏହାକୁ ଠିକ୍‌ ସମୟରେ ପାଇ ହେବ ନାହିଁ ବୋଲି ନକାରାତ୍ମକ ପ୍ରଚାର ଜୋରସୋର ଚାଲିଛି। ଏହାଭିତରେ ବିଭିନ୍ନ ଘରୋଇ କଂପାନି ହାଇ ଇଲ୍‌ଡିଂ ଓ ହାଇବ୍ରିଡ୍‌ କହି ଚାଷୀଙ୍କୁ ଚଢ଼ା ଦରରେ ସେମାନଙ୍କ ବିହନ ବିକ୍ରି କରିବାରେ ସଫଳ ହେଉଛନ୍ତି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ ଏପରି କଂପାନି ବିହନର ଚାହିଦା ବଢ଼ିବ‌ାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ ରୋଗପୋକ ଲାଗିବାର ଅଧିକ ଆଶଂକା ଥିବା ସତ୍ତ୍ବେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇ କଂପାନି ବିହନ କିଣିବାକୁ ପଛାଉନାହାନ୍ତି।

୧୦ ବର୍ଷ ପୂର୍ବରୁ ଜିଲ୍ଲାରେ କମ୍ପାନି ବିହନ ବ୍ୟବସାୟ ୪ରୁ ୫ ପ୍ରତିଶତ ମଧ୍ୟରେ ରହୁଥିଲା। କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୨୫ ପ୍ରତିଶତକୁ ବୃଦ୍ଧି ପାଇଥିବା କହିଛନ୍ତି ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଏସ୍‌.କେ ରାୟ। ଜଳସେଚିତ ଅଞ୍ଚଳ ଓ ଏବଂ କୁଚିଣ୍ଡା ଅଞ୍ଚଳର କିଛି ଚାଷୀ ଏହାର ବେଶି ବ୍ୟବହାର କରୁଥିବା ସେ କହିଛନ୍ତି। ଚାଷୀ ସଙ୍ଗଠନ ଅନୁସାରେ, କମ୍ପାନି ବିହନ ବ୍ୟବହାର ଜଳସେଚିତ ସହ ଅଣଜଳସେଚିତ ତଥା ସମଗ୍ର ଜିଲ୍ଲାକୁ ବ୍ୟାପି ସାରିଛି। ଏଜେଣ୍ଟମାନଙ୍କ ଦ୍ବାରା କଂପାନିର ଲୋଭନୀୟ ପ୍ରଚାର ଓ ଗାଁ ଗହଳିରେ ଭିଡିଓ ପ୍ରଦର୍ଶନ ତଥା ବିଜ୍ଞାପନ ଚାଷୀଙ୍କୁ ଆକର୍ଷଣ କରିଛି। ଏମିତିକି ଲକ୍‌ଡାଉନ୍‌ରେ ଅନ୍ୟ ସବୁ କାମ ବନ୍ଦ ହୋଇ ଯାଇଥିଲେ ବି ଏହି ସମୟର ଭରପୂର ଫାଇଦା ନେଇଛନ୍ତି ବିହନ କଂପାନିମାନେ। ପୂର୍ବରୁ ସେମାନଙ୍କ ପ୍ରତିନିଧି ଗାଁ-ଗାଁ ବୁଲି ବୈଠକ କରୁଥିଲେ। ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ଜୁମ୍‌ ଆପ୍‌ ଜରିଆରେ ଅନ୍‌ଲାଇନରେ ବୈଠକ କରାଯାଉଛି ଏବଂ ଆକର୍ଷଣୀୟ ଭିଡିଓ ପ୍ରସ୍ତୁତ କରାଯାଇ ଗାଁ ଲୋକଙ୍କ ପାଇଁ ପ୍ରସାରିତ କରାଯାଉଛି।

ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଘରେ ଘ‌ରେ ଏବେ ପଶ୍ଚିମବଙ୍ଗର ହାଇ-ଇଲ୍ଡ ଯମୁନା ବିହନର ଚାହିଦା। ୩୦ କେଜିର ସରକାରୀ ବିହନ ପ୍ୟାକେଟ୍‌ ମୂଲ୍ୟ ୫୭୦ ଟଙ୍କା ଥିବା ବେଳେ ଚାଷୀ ପାଖାପାଖି ସାଢେ ୩ ଗୁଣ ଅଧିକ ଟଙ୍କା ଦେଇ ଉପରୋକ୍ତ ବିହନ କିଣୁଛନ୍ତି। କେବଳ ଏହି ଗୋଟିଏ ପ୍ରକାର ବିହନ ନୁହେଁ, ଭଳିକି ଭଳି ନାଁରେ ଏବେ ବିହନ ମିଳୁଛି। ବାହାର ରାଜ୍ୟର କଂପାନି ସାଙ୍ଗକୁ ସିନଜେଣ୍ଟା, ପାୟୋନିଅର, ତାଓ ଭଳି ବିଦେଶୀ ହାଇବ୍ରିଡ୍‌ ବିହନ କଂପାନି ବି ଜିଲ୍ଲାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ହାଇବ୍ରିଡ ବିହନ କମ୍ପାନି ଏକର ପ୍ରତି ୨୫ରୁ ୩୦ କ୍ବିଣ୍ଟାଲ ଏବଂ ହାଇଇଲ୍ଡ କମ୍ପାନି ୨୦ରୁ ୨୨ କ୍ବିଣ୍ଟାଲ ଅମଳର ଲୋଭ ଦେଖାଉଥିବାରୁ ଚାଷୀ ସେଥିପ୍ରତି ଆକର୍ଷିତ ହେଉଥିବା କହନ୍ତି ସମ୍ବଲପୁର ଜିଲ୍ଲା ତାଲବ ଗାଁ ଚାଷୀ ବ୍ୟୋମକେଶ ଠାକୁର। ଏହାର ପରିଣାମ ସ୍ବରୂପ ପୂର୍ବରୁ ଯେଉଁଠି ଚାଷୀ ବିହନରେ ଆଦୌ ଖର୍ଚ କରୁନଥିଲା, ବର୍ତ୍ତମାନ ହାଇବ୍ରିଡ ବିହନ ପାଇଁ ଏକର ପ୍ରତି ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛି।

କୁକୁଡ଼ାପାଲି ଚାଷୀ ଧୀରେନ୍ଦ୍ର ପ୍ରଧାନଙ୍କ ଅନୁସାରେ ସରକାରୀ ବିହନଗୁଡ଼ିକ ନିମ୍ନମାନର, ଠିକ ସମୟ ଗଜା ନହେବା ତଥା ମିଳିବାରେ ସମସ୍ୟା ହେଉଥିବାରୁ ଏଥିପ୍ରତି ଆଗ୍ରହ ରହୁନାହିଁ। ମାତ୍ର ଚାଷୀ ସଙ୍ଗଠନର ବରିଷ୍ଠ କର୍ମକର୍ତ୍ତାଙ୍କ ଅନୁସାରେ, ପ୍ରତି ଗାଁରେ ବିହନ କମ୍ପାନି ବର୍ତ୍ତମାନ ଜୁମ୍‌ ଆପ୍‌ ଜରିଆରେ ସେହିଭଳି ଚାଷୀଙ୍କୁ ନେଇ ପ୍ରତି ସପ୍ତାହରେ ବୈଠକ କରାଯାଉଛି। ଲକ୍‌ଡାଉନ୍‌ରେ ମଧ୍ୟ ସବୁ ଦୋକାନରେ ଯେପରି ବିହନ ଉପଲବ୍ଧ ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ସରକାରୀ ବିହନକୁ ନେଇ ଲଗାତାର ନକାରାତ୍ମକ ପ୍ରଚାର ମଧ୍ୟ ସେମାନଙ୍କ ବିହନ ବିକ୍ରିର ପାଇଁ ମୁଖ୍ୟ ଆୟୁଧ ହେଉଛି। ଅନ୍ୟଦିଗରେ ସରକାରୀ ବିହନ ପ୍ରଚାର ପାଇଁ ଅଧିକାରୀ କିମ୍ବା ସ୍ଥାନୀୟ ସ୍ତରର କୃଷି ପ୍ରତିନିଧି କୌଣସି କାର୍ଯ୍ୟ କରୁ ନାହାନ୍ତି। ବରଂ ପୂର୍ବରୁ ବିହନ ଯୋଗାଣ ନେଇ ସେମାନଙ୍କ ଉପରେ ରହୁଥିବା ଚାପରୁ ମୁକ୍ତି ପାଇବା ପାଇଁ କମ୍ପାନି ବିହନ ପାଇଁ ରାସ୍ତା ଖୋଲି ଦେଉଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଖର୍ଚ ବହୁଳ କମ୍ପାନି ବିହନ ଯୋଗୁଁ ପାଣି ବ୍ୟବହାର ବଢିବା ସହିତ କିଛିବର୍ଷ ମଧ୍ୟରେ ଚକଡ଼ା, ଗଣ୍ଠି ପୋକ ସମେତ ରୋଗ-ପୋକ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ଏଥିପାଇଁ ଅଧିକ ଔଷଧ ଓ କୀଟନାଶକ ପ୍ରୟୋଗର ବି ଆବଶ୍ୟକତା ରହିଛି। ଏହାର ପରିଣାମ କେତେ ସାଂଘାତିକ ହୋଇପାରେ ତାହା ପଡ଼ୋଶୀ ବରଗଡ଼ ଜିଲ୍ଲାରୁ ସ୍ପଷ୍ଟ ପ୍ରମାଣିତ ହୋଇସାରିଛି। ଏବେ ଏହା ରାଜ୍ୟର କ୍ୟାନ୍‌ସର କ୍ୟାପିଟାଲ ହୋଇସାରିଛି। ସାମୟିକ ଫାଇଦା ପାଇଁ ବଡ଼ ଧରଣର ବିପଦ ଆଡ଼କୁ ସମ୍ବଲପୁର କୃଷି ଅଗ୍ରସର ହେଉଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଏସ୍‌କେ ରାୟ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ୧୫ ହଜାର ୫୦୦ କ୍ବିଣ୍ଟାଲ ବିହନ ବିକ୍ରିର ଟାର୍ଗେଟ୍‌ ରହିଛି। ସେଥିରୁ ୧୨ ହଜାର ୭୮୫ କ୍ବିଣ୍ଟାଲ ବିଭିନ୍ନ ପ୍ୟାକ୍ସକୁ ଯୋଗାଣ ହୋଇଛି। ବୁଣିବା ପରେ ଯାହାର ଗଜା ମରୁଡ଼ି ହେବ ସେମାନେ ଏହି ବିହନ କ୍ରୟ କରିବେ।

ସମ୍ବନ୍ଧିତ ଖବର