ଅନୁଗୁଳକୁ ଆହୁରି ୨୫୦୦ କ୍ବିଣ୍ଟାଲ ବିହନ ଆବଶ୍ୟକ

ଅନୁଗୁଳ : ଆଉ ୨ ଦିନ ପରେ ଅକ୍ଷୟ ତୃତୀୟା। ଚା‌ଷୀ ଅଖିମୁଠି ଅନୁକୂଳ କରିବ। ହେଲେ ଏପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ଚା‌ଷୀଙ୍କ ପାଖରେ ପହଂଚି ନାହିଁ ଧାନ ବିହନ। ଜିଲ୍ଲାରେ ୭୫୦୦ କୁଇଣ୍ଟାଲ ବିହନର ଦରକାର ଥିବାବେଳେ ମାତ୍ର ୫ ହଜାର କୁଇଣ୍ଟାଲ ବିହନ ବ୍ୟବସ୍ଥା ହୋଇପାରିଛି। ତେବେ ମେ ମାସ ୧୦ ତାରିଖ ପୂର୍ବରୁ ଚାଷୀମାନଙ୍କ ପାଖରେ ବିହନ ପହଂଚିବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ଚିନ୍ତାରେ ପଡ଼ିଯାଇଛି ଏବେ ଚାଷୀ।

ଅନୁୁଗୁଳ ଜିଲ୍ଲାରେ ଶିଳ୍ପାୟନ ଯୋଗୁଁ ଏବେ ମାତ୍ର ୨ ଲକ୍ଷ ୧୧ ହଜାର ୨୯୧ ହେକ୍ଟର ଜମି ଚାଷ ପାଇଁ ରହିଯାଇଛି। ଖରିଫ ଋତୁରେ ବେଶୀ ଧାନ ଚାଷ ହୋଇଥାଏ। ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଚାଷୀମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଅନୁଗୁଳ ବ୍ଲକରେ ୧୨,୫୯୫ ହେକ୍ଟର ଜମି ଧାନ ଚାଷ ପାଇଁ ଉପଯୋଗୀ ହୋଇଥିବାବେଳେ ୨୦,୫୯୫ ହେକ୍ଟର ଜମିରେ ଅଣଧାନ ଫସଲ କରାଯାଇପାରିବ। ସେହିପରି ବଅଁରପାଳ ବ୍ଲକରେ ୧୧,୦୫୦ ହେକ୍ଟର ଜମି ଧାନ ଓ ୧୩,୮୫୪ ହେକ୍ଟର ଜମି ଅଣଧାନ, ଛେଣ୍ଡିପଦା ବ୍ଲକରେ ୧୩,୦୫୦ ହେକ୍ଟର ଜମି ଧାନ ଓ ୨୩,୪୬୩ ହେକ୍ଟର ଜମି ଅଣଧାନ, ଆଠମଲ୍ଲିକ ବ୍ଲକରେ ୧୨,୪୬୭ ହେକ୍ଟର ଜମି ଧାନ ଓ ୨୩,୪୬୩ ହେକ୍ଟର ଜମି ଅଣଧାନ, କିଶୋରନଗର ବ୍ଲକରେ ୮୮୧୫ ହେକ୍ଟର ଜମି ଧାନ ଓ ୧୫,୪୩୫ ହେକ୍ଟର ଜମି ଅଣଧାନ, ତାଳଚେର ବ୍ଲକରେ ୭୯୭୦ ହେକ୍ଟର ଜମି ଧାନ ଓ ୩୯୫୧ ହେକ୍ଟର ଜମି ଅଣଧାନ, କଣିହାଁ ବ୍ଲକରେ ୧୨,୮୬୦ ହେକ୍ଟର ଜମି ଧାନ ଓ ୧୩,୨୦୫ ହେକ୍ଟର ଜମି ଅଣଧାନ ଏବଂ ପାଳଲହଡ଼ା ବ୍ଲକରେ ୧୦,୯୫୮ ହେକ୍ଟର ଜମି ଧାନ ଓ ୯,୫୦୨ ହେକ୍ଟର ଜମି ଅଣଧାନ ଫସଲ ପାଇଁ ଉପଯୋଗୀ ହୋଇଥିବା କୁହାଯାଉଛି। ଅଣଜଳସେଚିତ ଅଂଚଳ ଚାଷୀମାନେ ଧାନବୁଣାକୁ ଗୁରୁତ୍ବ ଦେଇଥାନ୍ତି। ଅକ୍ଷିମୁଠି ଅନୁକୂଳ କରିବା ପରେ ପରେ ଧାନ ବୁଣା ଆରମ୍ଭ ହୋଇଯାଇଥାଏ। ଆସନ୍ତା ୨୬ ତାରିଖ ଦିନ ହେବ ଅକ୍ଷୟ ତୃତୀୟା।

ଧାନ ବିହନ ସଂକ୍ରାନ୍ତରେ ପଚାରିବାରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭୋଳାଶଙ୍କର ବେହେରା କହନ୍ତି, ଅନୁଗୁଳ ଜିଲ୍ଲା ପାଇଁ ୭୫୦୦ କୁଇଣ୍ଟାଲ ବିହନ ଦରକାର ହୋଇଛି। ବିହନ ଗ୍ରାମ ଯୋଜନା ଏବଂ ଜିଲ୍ଲାରେ ଥିବା ଦୁଇଟି ଫାର୍ମରୁ ପୂଜା, ଲଲାଟ, ସ୍ବର୍ଣ୍ଣ, ସହଭାଗୀ, ମୃଣାଳିନୀ ଆଦି ବିଭିନ୍ନ କିସମର ୫ ହଜାର କୁଇଣ୍ଟାଲ ଧାନ ବିହନ ସଂଗ୍ରହ ହୋଇ ରହିଛି। ବାକି ୨୫୦୦ କୁଇଣ୍ଟାଲ ପାଇଁ ଆମକୁ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଆମ ପାଖରେ ଉପଲ୍‌ବଧ ବିହନର ନମୁନା ସାର୍ଟିଫିକେସନ ପାଇଁ ରାଜ୍ୟ ବିହନ ପରୀକ୍ଷାଗାରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ଟ୍ୟାଗିଂ କରାଯାଇ ଚାଷୀମାନଙ୍କୁ ଯୋଗାଇବା ବ୍ୟବସ୍ଥା କରାଯିବ। ତେବେ ଏସବୁ କାମ ହେବାକୁ ଅତିକମ୍‌ରେ ମେ ୧୦ ତାରିଖ ହୋଇଯିବ। କମ୍ ବର୍ଷା ହେଲେ ଢିପ ଜମିରେ ହୋଇଥିବା ଧାନ ଫସଲ ନଷ୍ଟ ହୋଇଯାଉଥିବାରୁ ଏଥର ପ୍ରାୟ ୧ ହଜାର ଏକର ଜମିକୁ ଧାନରୁ ଅଣଧାନ ଫସଲ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର