ପଦ୍ମପୁର ଉପନିର୍ବାଚନ: ଆଜି ଗଣତି, ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ‌ହେବ

ଭୁବନେଶ୍ବର/ବରଗଡ଼/ପଦ୍ମପୁର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି କରାଯିବ। ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ସମୁଦାୟ ୧୦ଜଣ ନିର୍ବାଚନ ମଇଦାନରେ ଅଛନ୍ତି। ମତାଦାତା କାହାକୁ ବିଧାୟକ ଭାବେ ବାଛିଛନ୍ତି ଭୋଟଗଣତି ପରେ ଜଣାପଡ଼ିବ।

ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ ଗୁରୁବାର ସକାଳ ୮ଟାରୁ ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ହେବ। ସର୍ଭିସ ଭୋଟରଙ୍କ ଭୋଟ୍ ଆସନ୍ତାକାଲି ସକାଳ ୭ଟା ୫୯ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ଏହାପରେ ୩୧୯ଟି ବୁଥ୍‌ରୁ ଆସିଥିବା ଇଭିଏମ୍‌ଗୁଡ଼ିକୁ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ଶେଷରେ ୫ଟି ବୁଥ୍‌ର ଭିଭିପ୍ୟାଟ୍ ସ୍ଲିପ୍ ଗଣତି ହେବ।
ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍‌ ଗଣତି କରାଯିବ। ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଣତି ଚାଲିବ। ଗଣନା ପାଇଁ ୩ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର୍‌ ରହିବେ। ୨୩ ରାଉଣ୍ଡ ଗଣତି ପରେ ଫଳାଫଳ ବାହାରିବ।

ସେହିପରି ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରର ୧୦୦ମିଟର ପରଧି ଅଞ୍ଚଳକୁ କୌଣସି ଗାଡ଼ି ଯାଇପାରିବନି। ଏହାକୁ ପାଦଚଲା ଜୋନ୍ ଘୋଷଣା କରାଯାଇଛି। ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସିଏପିଏଫ୍, ଏସ୍‌ଏପିଏଫ୍‌ ଏବଂ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଛି। ଏହାବାଦ୍ results.eci.gov.in ପୋର୍ଟାଲରେ ସାଧାରଣ ଲୋକ ଭୋଟ୍‌ ଗଣତି ନେଇ ଅପ୍‌ ଟୁ ଡେଟ୍ ତଥ୍ୟ ପାଇପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ସମ୍ବନ୍ଧିତ ଖବର