ନେସ୍କୋ ଆଦାୟ କଲା ୧୧ କୋଟି ୮୪ ଲକ୍ଷ ଟଙ୍କା

ବାଲେଶ୍ୱର: ନେସ୍କୋର ବକେୟା ବିଲ ଆଦାୟ ଅଭିଯାନ ଆରମ୍ଭ ହୋଇଛି। ବିଗତ ଏକ ସପ୍ତାହ ମଧ୍ୟରେ ନେସ୍କୋ ମୋଟ ୧୧ କୋଟି ୮୪ ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରିଛି। ଏହି ବକେୟା ବିଲ ବାଲେଶ୍ୱର, ଭଦ୍ରକ, ଯାଜପୁର, ବାରିପଦା ଓ କେନ୍ଦୁଝର ଜୋନରୁ ଆଦାୟ ହୋଇଛି। ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ବିଲ ପୈଠ ନ କରିଥିବାରୁ ୭୭୨୪ ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି।

ନେସ୍କୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବକେୟା ବିଦ୍ୟୁତ ବିଲ ସଂଗ୍ରହ ଅଭିଯାନରେ ୧୩୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ବାଲେଶ୍ୱର ଜୋନରେ ୩୮ଟି ଲାଗିଥିଲେ। ଏହି ଜୋନ୍‌ରେ ୮୦୯୮ ଜଣ ଗ୍ରାହକ ବିଦ୍ୟୁତ ବିଲ ପୈଠ କରିଥିଲେ। ସେହିଭଳି ବିଦ୍ୟୁତ ବିଲ ପୈଠ କରି ନଥିବାରୁ ୨୪୮୧ ଜଣ ଗ୍ରାହକଙ୍କ ସଂଯୋଗ କଟାଯାଇଥିଲା। ବିଲ୍‌ ପୈଠ କରିବା ପରେ ୩୩୭ ଜଣ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କରାଯାଇଛି।

ଭଦ୍ରକ ଜୋନରେ ୨୪ଟି ଟିମ ଅଭିଯାନରେ ନିୟୋଜିତ ହୋଇଥିଲେ। ଏହି ଜୋନରେ ୪୦୭୦ ଜଣ ଗ୍ରାହକ ବକେୟା ବିଲ ପୈଠ କରିଥିବା ବେଳେ ୧୪୭୦ ଜଣଙ୍କ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ୨୬ ଜଣ ଗ୍ରାହକଙ୍କୁ ପୁଣି ଥରେ ବିଦ୍ୟୁତ ଯୋଗାଇ ଦିଆଯାଇଥିଲା।

ବକେୟା ବିଲ ପୈଠ କରିବା ପରେ ଯାଜପୁର ଜୋନରେ ୪୬ ଜଣଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏହି ଜୋନରେ ୩୩୭୦ ଜଣ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ବକେୟା ବିଲ ପୈଠ କରି ନଥିବାରୁ ୫୬୩ ଜଣ ଗ୍ରାହକଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଏହି ଜୋନରେ ୨୦ଟି ଟିମ ନିୟୋଜିତ ହୋଇଥିଲେ।

ବାରିପଦା ଜୋନରେ ୨୭ଟି ନିୟୋଜିତ ହୋଇଥିଲେ। ଏମାନେ ୨୪ହଜାର ୯୯୬ ଜଣ ଗ୍ରାହକଙ୍କ ଠାରୁ ବକେୟା ବିଲ ସଂଗ୍ରହ କରିଥିବା ବେଳେ ୧୩୨୫ ଜଣ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟିଥିଲେ। ସେହିପରି ୪୬୧ ଜଣ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କରିଥିଲେ।

କେନ୍ଦୁଝର ଜୋନରେ ୨୪ଟି ଟିମ ବକେୟା ବିଦ୍ୟୁତ ବିଲ ସଂଗ୍ରହରେ ନିୟୋଜିତ ହୋଇଥିଲେ। ସେମାନେ ୫୮୪୦ ଜଣ ଗ୍ରାହକଙ୍କ ଠାରୁ ଟଙ୍କା ବକେୟା ବିଦ୍ୟୁତ ବିଲ ଆଦାୟ କରିଥିବା ବେଳେ ୧୯୩୨ ଜଣ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ସେହିପରି ୧୨୨ ଜଣଙ୍କ ବିଦ୍ୟୁତ ସଂଯୋଗ କରିଥିଲେ।

ସମ୍ବନ୍ଧିତ ଖବର