କଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ୍‌ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ

ପଞ୍ଚାୟତ ପ୍ରତିଧ୍ୱନି-୨ ଲୋକାର୍ପିତ

ଭୋଗରାଇ : ସରକାର ପଞ୍ଚାୟତସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଦୀର୍ଘଦିନ ବିତିବା ପରେ ଜନମାନସରୁ ଲିଭିଯାଉଛି। ପ୍ରତିଟି ଜନକଲ୍ୟାଣମୂଳକ କୃତିତ୍ୱର ଦସ୍ତାବିଜ ପ୍ରସ୍ତୁତି ଭବିଷ୍ୟତ ପିଢି ଏବଂ ଜନ ପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଗତକାଲି ଭୋଗରାଇ ବ୍ଲକ ଦେହୁର୍ଦ୍ଦା ଥାନାଛକ ଠାରେ ଅନୁଷ୍ଠିତ ପଞ୍ଚାୟତ ପ୍ରତିଧ୍ୱନି-୨ର ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରୀୟ ଗୌରବ ସମ୍ମାନପ୍ରାପ୍ତ ଦେହୁର୍ଦ୍ଦାର ପୂର୍ବତନ ସରପଂଚ ରମାକାନ୍ତ କରଣଙ୍କ ଦ୍ୱାରା ରଚିତ ପୁସ୍ତକର ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଚିକିତ୍ସାବିତ ହରିଶଙ୍କର ଦାସ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭୋଗରାଇ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟବକ୍ତା ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ପ୍ରାକ୍ତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପ୍ରାକ୍ତନ ବିଧାୟିକା ଉମାରାଣୀ ପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ମୟୂରଭଂଜ ସମବାୟ ବ୍ୟାଙ୍କ ସଭାପତି ରାଜକିଶୋର ଆଚାର୍ଯ୍ୟ, ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ପୂର୍ବତନ ସରପଂଚ ଶ୍ରୀ କରଣ ୨୦୧୨ରୁ ସରପଞ୍ଚ ଭାବେ ମନୋନୀତ ହେବା ପରଠାରୁ  ପଂଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ଭଳି ଲୋକପ୍ରିୟ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଛନ୍ତି। ଏଥିସହ ସମସ୍ତ କାର୍ଯ୍ୟର ଦସ୍ତାବିଜ ପ୍ରତିଧ୍ୱନି-୧ ପ୍ରକାଶନ ମାଧ୍ୟମରେ ୨୦୧୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହେବା ସହ ପଂଚାୟତକୁ ମଧ୍ୟ ଜାତୀୟସ୍ତରରେ ପରିଚିତ କରାଇ ପାରିଛନ୍ତି। ଶେଷରେ ନଳିନୀକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀକୁମାର ଘୋଷ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର