୨୦ ଲକ୍ଷ ଖର୍ଚ୍ଚରେ ବି ପଞ୍ଚାୟତ ନିର୍ବାଚନ ଜିତିବା ସୁନିଶ୍ଚିତ ନୁହେଁ, ୨୦ ଟଙ୍କାରେ ସରପଞ୍ଚ ହୋଇଥିଲେ ଏହି ବ୍ୟକ୍ତି

ଭୁବନେଶ୍ବର: ସମୟ ବଦଳିବା ସହିତ ଲୋକମାନଙ୍କର ମାନସିକତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। ସମାଜରେ ଭଲ ମଣିଷର ଅଭାବ ରହିଛି। ଗୋଟିଏ ପଟରେ ଭଲ ମଣିଷ କମ୍‌ ଥିବା ବେଳେ ଏମାନଙ୍କୁୁ ମଧ୍ୟ ଅଣଦେଖା କରାଯାଉଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଘମାଘୋଟ ରାଜନୈତିକ ଲଢ଼େଇ ହେବ। ଏଥି ପାଇଁ ନେତାମାନେ ପ୍ରବଳ ଟଙ୍କା ଖର୍ଚ୍ଚ କରିବେ। ଦିନ ଥିଲା, ଲୋକେ ଭଲ ମଣିଷ ଦେଖି ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଉଥିଲେ। ଆଜିକାଲି ସେମିତି ହୋଇପାରୁ ନାହିଁ। ଜଣେ ବ୍ୟକ୍ତିଙ୍କୁ ନେତା ହୋବକୁ ହେଲେ ପ୍ରବଳ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ତାଲିକା ପ୍ରକାଶ କରିଛନ୍ତି।  ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଅତିବେଶୀରେ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ବାଧିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। କିନ୍ତୁ ସରକାରଙ୍କ ଦ୍ବାରା ରଖାଯାଇଥିବାା ବଜେଟ ଅନୁସାରେ ଜଣେ ବ୍ୟକ୍ତି ନିର୍ବାଚନରେ ଜିତିପାରିବ ନାହିଁ। ଜଣେ ବ୍ୟକ୍ତିଙ୍କୁ ସରପଞ୍ଚ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିବାକୁ ହେଲେ ଅତିକମ୍‌ରେ ୨୦ ଲକ୍ଷ ଟଙ୍କା ଦରକାର ପଡୁଛି। କିନ୍ତୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ବି ନିର୍ବାଚନ ଜିତିବା ସହଜ ନୁହେଁ। କାରଣ ବିରୋଧରେ ଛିଡ଼ା ହୋଇଥିବା ନେତା ମଧ୍ୟ ସେତିକିି ବା ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାଇପାରନ୍ତି।

ନିର୍ବାଚନ ଜିତିବା ପାଇଁ ହେଲେ ଆଜିକାଲି ଭୋଟ କିଣିବାକୁ ପଡୁଛି। ପୁଣି ଯେତିକି ଭୋଟରଙ୍କୁ ଭୋଟ୍‌ ଦେବା ପାଇଁ ଟଙ୍କା ଦିଆଯାାଇଥିବା, ସେ କେଉଁ ନେତାଙ୍କୁ ଭୋଟ ଦେବେ ତାହା କହିହେବ ନାହିଁ। ଅତୀତରେ ନିର୍ବାଚନରେ ଏତେ ଟଙ୍କା ଖର୍ଚ୍ଚ ହେଉ ନଥିଲା, ଯାହାକି ବର୍ତ୍ତମାନ ସରପଞ୍ଚ ନିର୍ବାଚନ ବ୍ୟୟବହୁଳ ହୋଇପଡ଼ିଛି। ଘରୁ ବାହାରକୁ ବାହାରିଲେ ଖାଲି ଟଙ୍କା ଆଉ ଟଙ୍କା ଦରକାର। ନିର୍ବାଚନ ନୁହେଁ ସତେ ଯେମିତି ଟଙ୍କା ପଇସାର ଖେଳ ଚାଲିଛି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗ୍ରାମର ୮୯ବର୍ଷୀୟ ପୂର୍ବତନ ସରପଞ୍ଚ ବୈକୁଣ୍ଠ ମହାନ୍ତି। ସେ ମାତ୍ର ୨୦ଟଙ୍କା ଖର୍ଚ୍ଚ କରି ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୧୯୮୫ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଶ୍ରୀ ମହାନ୍ତି ସରପଞ୍ଚ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେତେବେଳେ ପୁରୁଣାବାନ୍ଧଗୋଡ଼ା ଓ ଗଁପୁର ମିଶିକରି ଗୋଟିଏ ପଞ୍ଚାୟତ ଥିଲା। ତାଙ୍କ ବିରୋଧରେ ଆଉ ୫ଜଣ ପ୍ରାର୍ଥୀ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ ବଂଶୀଧର ଜେନାଙ୍କଠାରୁ ୧୭୬ଟି ଭୋଟ୍ ଅଧିକ ପାଇ ସେ ବିଜୟୀ ହୋଇଥିଲେ। ସେତେବେଳେ କେବଳ ଗାଁକୁ ଗାଁ ବୁଲି ପ୍ରଚାର ହେଉଥିଲା। ଲୋକମାନେ ସମ୍ମାନର ସହ ଗ୍ରାମରେ ନେତାଙ୍କୁ ସ୍ବାଗତ କରୁଥିଲେ। ନିଜ ପକ୍ଷରୁ ସେ କେବଳ ମାତ୍ର ୨୦ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ଶହେଟି ପୋଷ୍ଟର ଯୋଗାଇ ଦିଆଯାଇଥିଲା। ସେ ୧୯୯୦ ପର୍ଯ୍ୟନ୍ତ ୫ ବର୍ଷ ଧରି ସରପଞ୍ଚଭାବେ ସଫଳତାର ସହିତ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର