ବେପାରୀ ବେଶରେ ବଜ୍ରକାପ୍ତା ରାକେଟ୍ ଠାବ କଲେ ବନ କର୍ମଚାରୀ, ୪ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ବଜ୍ରକାପ୍ତା ରାକେଟ୍। ଆଜି ବାଲିଗୁଡ଼ା ବନବିଭାଗ କର୍ମଚାରୀଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଛଦ୍ମ ବେଶରେ ବେପାରୀ ଦଳ ସାଜି ଏକ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏକ ବିଶାଳ ବଜ୍ରକାପ୍ତା ଜବତ କରିବା ସହ ରାକେଟ୍‌ର ୪ ଜଣଙ୍କୁ ଗିରଫ କରିଛନ୍ତି।

ସୂଚନାରୁ ଜଣାପଡ଼ିଛି, ବାଲିଗୁଡ଼ା ଥାନା ଅଧୀନ ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକ ବଜ୍ରକାପ୍ତା ଚୋରା କାରବାର କରୁଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା ଆଜି ବନ ବିଭାଗ କର୍ମଚାରୀମାନେ ପୂର୍ବ ପ୍ରସ୍ତୁତି ପ୍ରକାରେ ବେପାରୀ ବେଶ ଧାରଣ କରି ବଜ୍ରକାପ୍ତା କାରବାର କରୁଥିବା ବ୍ୟକ୍ତି ପାଖରେ ପହଞ୍ଚିଥିଲେ। ସେମାନେ ବଜ୍ରକାପ୍ତା କିଣିବାର ଇଛା ପ୍ରକାଶ କରିଥିଲେ। ବ୍ୟକ୍ତି ଜଣକ ଛଦ୍ମ ବେଶରେ ଥିବା ବନ କର୍ମଚାରୀଙ୍କୁ ଚିହ୍ନି ନପାରି ଏକ ବଜ୍ରକାପ୍ତା ଦେଖାଇଥିଲା। ଏହି ସମୟରେ ପ୍ରସ୍ତୁତ ଥିବା ଅନ୍ୟ ବନ କର୍ମଚାରୀ ମାନେ ଉକ୍ତ ଲୋକକୁ ମାଡ଼ି ବସିବା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ କାବୁ କରି ନେଇଥିଲେ। ଘଟଣାସ୍ଥଳରୁ ବଜ୍ରକାପ୍ତା ସହ ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।

ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୧୦୫ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୧୦ କିଲୋରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।  ଗିରଫ ମାନେ ହେଲେ ମହାସିଙ୍ଗିର ମହାଦେବ ବେହେରଦଳାଇ, ପାରିଗଡ଼ର ଭୀମସେନ ବଡ଼ସେଠ, କ.ନୁଆଗାଁର ସୁକଦେବ ଦିଗାଳ ଓ ଟିକାବାଲି  ପଣସପଦରର ସୀତାଂଶୁ ମୁଖୀ। ବାଲିଗୁଡ଼ା ବନବିଭାଗ କେସ୍ ନମ୍ବର ୧୭/୨୧ ରୁଜୁ କରି ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବାଲିଗୁଡ଼ା ବନଖଣ୍ତ ଅଧିକାରୀ ବିଶ୍ବରାଜ ପଣ୍ତା ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏସସିଏଫ୍‌ ଡ.ରୁଦ୍ର ପ୍ରସାଦ ରଥ ଓ ସୌମ୍ୟ ରଂଜନ ସାହୁ, ରେଞ୍ଜର୍ ଉଦିତ ପ୍ରଧାନ ଓ ବନପାଳ ମାନସ ସାହୁ ପ୍ରମୁଖ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର