ଥମୁନି ପାନପୋଷ ଆଇଟିଡିଏ ଦୁର୍ନୀତି: ବଦଳିର ୭ ମାସ ପରେ ଗାଦି ଛାଡୁନାହାନ୍ତି ଅଧିକାରୀ

ପିସି କାରବାର ସନ୍ଦେହ, ତଦନ୍ତ ଦାବି

ରାରାଉରକେଲା: ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାର ରହିଛି। ପିସି ନ ଦେଲେ ଅଫିସ୍‌ରେ ଫାଇଲ୍‌ ଘୁଞ୍ଚୁ ନଥିବାର ବାରମ୍ବାର ଅଭିଯୋଗ ହେଉଛି। ପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରତ୍ୟେକ କାମ ପାଇଁ ଟେଣ୍ଡର ବାଧ୍ୟତାମୂଳକ। କିନ୍ତୁ ପାନପାଷ ଆଇଟିଡିଏରେ ଏଥିରେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଟେଣ୍ଡର ଏଡାଇବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇ କୋଟି କୋଟିର କାମକୁ ଡିପାର୍ଟମେଣ୍ଟାଲ କାମ ନାଁରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି। ‘ ମୋ ସ୍କୁଲ ଅଭିଯାନ’ରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ ହେଉ ଅବା ଆଦିବାସୀ ଛାତ୍ରାବାସ ମରାମତି ଓ ନଳକୂପ ବସାଇବା ଆଦି କାମରେ ମାଳ ମାଳ ଦୁର୍ନୀତି ରହିଛି। କନିଷ୍ଠ ଯନ୍ତ୍ରୀମାନେ ଏହି ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି।

ବଦଳି ନିର୍ଦ୍ଦେଶ ଆସିଲେ ବିଭାଗୀୟ ଉଚ୍ଚ ଅଧିକାରୀ ହେଉ ଅବା ରାଜନୈତିକ ଚାପ ପ୍ରୟୋଗ କରି ବାତିଲ କରିଦେଉଛନ୍ତି। ନିକଟରେ ଅନ୍ୟ ବିଭାଗରୁ ଜଣେ ଜେଇ ଡେପୁଟିଟେସନ୍‌ରେ ଆସିଥିଲେ। ତାଙ୍କୁ ଏଠାରୁ ଭୁବନେଶ୍ବର ଏସ୍‌ଟି ଏସି ବିଭାଗକୁ ବଦଳି କରି ଦିଆଯାଇଥିଲା। ମାତ୍ର କେଇ ମାସ ରହିବା ପରେ ସଲାସୁତୁରା କରି ପୁଣି ପାନପୋଷ ଆଇଟିଡିଏରେ ନିଯୁକ୍ତି ପାଇଛନ୍ତି। ସେମିତି ସୁନ୍ଦରଗଡ଼ ଆଇଡିଏର ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ( ଉପ ନିର୍ବାହୀ ଯନ୍ତ୍ରୀ) ସୁରେନ୍ଦ୍ର ବେହେରା ପାନପୋଷ ଆଇଡିଏ  ଉପ ନିର୍ବାହୀ ଯନ୍ତ୍ରୀ ଦାୟିତ୍ବରେ ରହିଛି। ତାହା ପୁଣି ୩/୪ ମାସ ନୁହେଁ ବର୍ଷ ବର୍ଷ ଧରି ରହିଛନ୍ତି। ଦୁଇ ଦୁଇଟି ଆଇଟିଡିଏ ରହିଥିବା ଶ୍ରୀ ବେହେରାଙ୍କୁ ଗତ ୨୦୨୧ ଅଗଷ୍ଟ ୧୬ରେ ଜଳ ସମ୍ପଦ ବିଭାଗକୁ ବଦଳି ହୋଇଛନ୍ତି।

କେବଳ ଶ୍ରୀ ବେହେରା ନୁହେଁ  ଏସ୍‌ଟି ଓ ଏସ୍‌ ବିଭାଗର ଅନ୍ୟ ଦୁଇ ଉପ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପାତ୍ର ଓ ପ୍ରଦୀପ କୁମାର ସାମଲଙ୍କୁ ମଧ୍ୟ ଜଳ ସମ୍ପଦ ବିଭାଗକୁ ବଦଳି କରାଯାଇଛି। ରାଜ୍ୟ ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗର ସଚିବ ଚିଠି ନଂ ୧୫୬୦୮( ୧୬.୮.୨୦୨୧)ରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମାକୁ ଇତି ମଧ୍ୟରେ ୭ ମାସ ବିତି ଯାଇଥିଲେ ହେଁ ଶ୍ରୀ ବେହେରା ସୁନ୍ଦରଗଡ଼ ଓ ରାଉରକେଲା ଆଇଟିଡିଏ ଛାଡି ନାହାନ୍ତି। ଜଳ ସମ୍ପଦ ବିଭାଗକୁ ବଦଳି କରାଯିବା ସତ୍ବେ ତାଙ୍କୁ କେମିତି ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗରୁ ଦରମା ଦିଆଯାଉଛି, ତାକୁ  ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ଦିନରେ ଉଭୟ ସୁନ୍ଦରଗଡ଼ ଓ ପାନପୋଷ ଆଇଟିଡିଏର ଅନେକ କାମରେ ଦୁର୍ନୀତିର ମାଳ ମାଳ ଅଭି‌ଯୋଗ ଆସିଥିଲା। ପାନପୋଷ ଆଇଟିଡିଏ ‘ ମୋ ସ୍କୁଲ ଅଭିଯାନ’ରେ ୧୦ଟି ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ୩ କୋଟି ୭୧ ଲକ୍ଷ ୮୦  ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସ୍କୁଲ ପିଛା ୩୦ଲକ୍ଷରୁ ଆରମ୍ଭ କରି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି।

ତେବେ ଆଇନକୁ ଆଖିଠାର ମାରି କାମର ଖୋଲା-ଇ ଟେଣ୍ଡର କରାଯାଇ ନାହିଁ। ଡିପାର୍ଟମେଣ୍ଟାଲ କାମ ନାଁରେ ପ୍ରତ୍ୟେକ ସ୍କୁଲକୁ ୪ ଜଣ କରି ୧୦ଟି ସ୍କୁଲକୁ ପ୍ରାୟ ୪୦ ଠିକାଦାରଙ୍କୁ ବାଣ୍ଟି ଦିଆଯାଇଥିଲା। ଅନ୍ୟପଟେ ଅଧିକାରୀ, କନିଷ୍ଠ ଯନ୍ତ୍ରୀଙ୍କ ଓ ଠିକା ସଂସ୍ଥା ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ‌ବେହେରାବାବୁ ନାମକ ଜନୈକ ବ୍ୟକ୍ତି। ବେହେରା ବାବୁ ଠିକା ସଂସ୍ଥାଗୁଡ଼ିକ ପ୍ରତ୍ୟେକ କାମର ପିସି ଆଣି ‌ଅଧିକାରୀ ଓ ଜେଇଙ୍କୁ ଦେଉଥିବା ଅଭିଯୋଗ ହେଉଛି। ଯାହା ତଦନ୍ତ ସାପେକ୍ଷ। ସେପଟେ ଏଭଳି ଆଇଟିଡିଏର ଏଭଳି ଦୁର୍ନୀତି ରୋକିବାକୁ ଉଭୟ କଂଗ୍ରେସ ଓ ବିଜେପି ପ୍ରତିବାଦ କରିଥିଲେ। ଆଇଟିଡିଏ ଅଫିସ୍‌ ଘେରାଉ କରିଥିଲେ।  ଏହା ସତ୍ବେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

ସେମିତି ଝିରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମିର ଓ ଅନ୍ୟାନ୍ୟ କାମ ପାଇଁ ପ୍ରାୟ ୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। ନିର୍ମାଣ କାମରେ ଟେଣ୍ଡର ପ୍ରକ୍ରିୟାରେ ୮ ଠିକଂ ସଂସ୍ଥା ଅଂଶଗ୍ରହଣ କରିଥିଲେ। ପାନପୋଷ ଆଇଟିଡିଏ ଅଧିକାରୀ ଜଣକ କିନ୍ତୁ ଜାଣିଶୁଣି ନିଜ ପାଖକୁ କାମ ଦେଇଥିଲେ। ଟେଣ୍ଡର ପ୍ରକ୍ରିୟା ତ୍ରୁଟି ପଦାକୁ ଆସିବା ପରେ ଅଧିକାରୀଙ୍କ କଳା କାରନାମା ପଦାରେ ପଡିଥିଲା। ଆଇଟିଡିଏ ପ୍ରକଳ୍ପ ପ୍ରଶାସନକ ଦାୟିତ୍ବରେ ଥିବା ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର ଟେଣ୍ଡରକୁ ବାତିଲ କରିଥିଲେ। ପୁନଃ ଲଟେରି ଜରିଆରେ ଯୋଗ୍ୟ ଠିକା ସଂସ୍ଥାକୁ କାମ ଦେଇଥିଲେ। ତେବେ ପାନପୋଷ ଆଇଟିଡିଏ କାମର ସ୍ବଚ୍ଛତା ଆଣିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର