ପାରଳାଖେମୁଣ୍ଡି ବିଧାନସଭା : ହାଇଦ୍ରାବାଦର ଦାଦନ ଭୋଟରଙ୍କ ଉପରେ ନେତାଙ୍କ ଆଖି

ପାରଳାଖେମୁଣ୍ଡି, (ତ୍ରିନାଥ ଖାଡ˚ଗା): ୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜନୈତିକ ଉଷ୍ଣତା ଜୋର୍‌ରେ ବୃଦ୍ଧି ପାଇଛି।

ପାରଳାଖେମୁଣ୍ଡି ପୈାର ପରିଷଦ, କାଶିନଗର ବ୍ଲକ୍‌ ଓ ଏନ୍‌ଏସି, ଗୋସାଣୀ ଓ ଗୁମ୍ମା ବ୍ଲକକୁ ନେଇ ପାରଳା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ।

ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କ˚ଗ୍ରେସ ଦଳର କେ ସୂରୀୟା ରାଓ ମାତ୍ର ୧୪୧୯ ଖଣ୍ଡ ଭୋଟରେ ବିଜେଡ଼ି ଦଳର ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ବର୍ତମାନ ଉଭୟ କ˚ଗ୍ରେସ ଓ ବିଜେଡ଼ି ଦଳର ଆଶାୟୀଙ୍କ ମଧୢରେ ଟିକଟ ଆପଣେଇବାକୁ କସରତ ଚାଲିଥିବା ବେଳେ ଏଠାକାର ରାଜନୀତି ପାଣିପାଗ ଘଡ଼ିକେ ଘୋଡ଼ା ଛୁଟୁଛି।

କ˚ଗ୍ରେସ ଦଳର ଟିକଟ ପାଇଁ ବିଧାୟକ କେ ସୂରୀୟା ରାଓ ଓ ହାଇଟେକ ଗ୍ରୁପ୍‌ର ଅଧୢକ୍ଷ ଡ. ତିରୁପତି ପାଣିଗ୍ରାହୀ ଦୈାଡ଼ରେ ରହିଛନ୍ତି। କିଛି ମାସ ପୂର୍ବେ ଉଭୟଙ୍କ ମଧୢରେ ବୁଝାମଣା ହୋଇଥିଲା। ୨୦୧୯ ମସିହା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ, ତାଙ୍କ ସ୍ଥାନରେ ତିରୁପତି ପାଣିଗ୍ରାହୀ ଲଢିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏବ˚ ପିସିସିଙ୍କ ନିକଟରେ ବିଧାୟକ ସୂରୀୟା ପ୍ରସ୍ତାବ ଦେଇଥିଲେ। ଏହାର କିଛିଦିନ ପରେ ବିଧାୟକ ଶ୍ରୀ ସୂରୀୟା ରାଓ କ˚ଗ୍ରେସ ଦଳ ପ୍ରତି ଆଗ୍ରହ ନଦେଖାଇ ବିଜେଡିର ନିକଟତର ହେବାକୁ ଉଦ୍ୟମ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏବଂ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଗୁଣଗାନ କରୁଥିଲେ। ସେତେବେଳେ ସେ ବିଜେଡ଼ିରେ ମିଶିବାକୁ ଉଦ୍ୟମ କରୁଥିବା ସ˚ପର୍କରେ ମଧୢ ଆଲୋଚନା ହେଉଥିଲା। ଏବେ ଆଉଥରେ କ˚ଗ୍ରେସ ଦଳ ତରଫରୁ ଲଢିବେ ବୋଲି ବିଧାୟକ ଶ୍ରୀ ସୂରୀୟା ରାଓ ସାମାଜିକ ଗଣମାଧୢମରେ ପ୍ରଚାର କରି ପିସିସିକୁ ଜଣାଇବା ଘଟଣା ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅପରପକ୍ଷରେ କ˚ଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଇଚ୍ଛା ପ୍ରକାଶ କରି ତିରୁପତି ପାଣିଗ୍ରାହୀ ଗତ କିଛି ମାସ ହେଲା ପାରଳା ବିଧାନସଭା ନିର୍ବାଚନମଣଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ସଭା ସମିତିରେ ଯୋଗଦେଉଥିବା ଦେଖିବାକୁ ମିଳିଛି।

ସେହିଭଳି ବିଜେଡ଼ି ଟିକଟ ଆଶାୟୀଙ୍କ ସ˚ଖ୍ୟା ବହୁତ ଲମ୍ବା। ଗତ ୨୬ ତାରିଖରେ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡିରେ ମିଶିବା ପରେ ପୂର୍ବତନ ବିଧାୟକ କେ ନାରାୟଣ ରାଓଙ୍କ ରକ୍ତଚାପ ବଢିଯାଇଛି। କଲ୍ୟାଣୀ ଦେବୀଙ୍କ ନିକଟତର ସମର୍ଥକଙ୍କ କହିବା ଅନୁଯାୟୀ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ଇଚ୍ଛାପ୍ରକଟ କରିଛନ୍ତି। ଟିକଟ ଆଶାୟୀଙ୍କ ମଧୢରେ ରାଜକୁମାରୀ କଲ୍ୟାଣୀ ଦେବୀ, ପୂର୍ବତନ ବିଧାୟକ କେ ନାରାୟଣ ରାଓ, ସ୍ବେଚ୍ଛାସେବୀ ସ˚ସ୍ଥାର ମୁଖ୍ୟ କେ ଜଗନ୍ନାଥ ରାଓ ଏବ˚ ଯୁବ ନେତା ମହରୁତ ପାଳ ପ୍ରମୁଖ ରହିଛନ୍ତି। ରାଜକୁମାରୀ କଲ୍ୟାଣୀ ଦେବୀ କିମ୍ବା କେ ନାରାୟଣ ରାଓଙ୍କ ମଧୢରୁ କେହି ଟି‌େକଟ ପାଇବା ସମ୍ଭାବନା ରହଥିବା ଆଲୋଚନା ହେଉଥିବାବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୁଖ୍ୟ କେ ଜଗନ୍ନାଥ ରାଓଙ୍କ ଲବି ମଧୢ ତୃତୀୟ ମହଲା ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି।

ବିଜେପିକୁ ଗତ ନିର୍ବାଚନରେ ସନ୍ତୋଷଜନକ ଭୋଟ ମିଳିନଥିଲା। ତେବେ, ବିଜେପି ଯେଉଁଭଳି ଭାବେ ଚଳଚଞ୍ଚଳ ହୋଇ ଉଠିଛି, ତାହାର ପ୍ରଭାବ ଏହି ନିର୍ବାଚନମଣ୍ଡଳୀ ଉପରେ ପଡ଼ିଛି। ସେଥିପାଇଁ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଆଇନଜୀବୀ ଜୁଲୁ ମିଶ୍ର, ଗତଥରର ପ୍ରାର୍ଥୀ ତିରୁପତି ନାୟକ ଏବ˚ ଜିଲ୍ଲା ବିଜେପି ସଭାପତି କେ ରାବଣା ରାଓଙ୍କ ନାମ ଶୁଣାଯାଉଛି।

କ˚ଗ୍ରେସ ଦଳରୁ ତିରୁପତି ପାଣିଗ୍ରାହୀ ଏବ˚ ବିଜେଡ଼ିରୁ ରାଜକୁମାରୀ କଲ୍ୟାଣଦେବୀଙ୍କୁ ଟିକଟ ମିଳିଲେ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଏବ˚ କ˚ଗ୍ରେସ ଦଳର ବିଧାୟକ ଶ୍ରୀ ସୂରୀୟା ରାଓଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ।

ଆଉ ଏକ ଉଲେଖନୀୟ ବିଷୟ ହେଉଛି ପାରଳା ରାଜନେତାଙ୍କ ଆଖି ବର୍ତମାନ ହାଇଦ୍ରାବାଦ ଅଞ୍ଚଳରେ ରହୁଥିବା ଗଜପତି ଜିଲ୍ଲାର ଦାଦନ ଏବ˚ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଯାଇଥିବା ୧୫ ହଜାର ଭୋଟରଙ୍କ ଉପରେ ରହିଛି। ଗତ ମାସରେ ବିଜେଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ତାଙ୍କ ସମର୍ଥକଙ୍କ ସହ ହାଇଦ୍ରାବାଦ ଯାଇ ସଭା ଆୟୋଜନ କରିଥିଲେ। ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବା ସହ ଅନେକ ପ୍ରତିଶ୍ରୁତି ଦେଇ ଫେରିଛନ୍ତି।

ସେ ଫେରି ଆସିବା ପରେ କ˚ଗ୍ରେସ ଟିକଟ ଆଶାୟୀ ତିରୁପତି ପାଣିଗ୍ରାହୀ ମଧୢ ଶନିବାର ଦିନ ୪୩ ଜଣ ସମର୍ଥକଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ। ସେଠାରେ ରହୁଥିବା ପାରଳା ବିଧାନସଭା ଅଞ୍ଚଳର ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରି ତାଙ୍କ ସପକ୍ଷରେ ମତଦାନ କରିବାକୁ ବୁଝାଇଥିଲେ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରୁ ପ୍ରାୟ ୧୫ ହଜାର ବାସିନ୍ଦା ଦାଦନ ଶ୍ରମିକ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଯାଇ ରହିଛନ୍ତି। ନିର୍ବାଚନ ସମୟରେ ୭ରୁ ୮ ହଜାର ଭୋଟର ଗାଁକୁ ଭୋଟ ଦେବାକୁ ଆସିଥାନ୍ତି। ଗତଥର ପାରଳା ଏବ˚ ମୋହନା ବିଧାନସଭା ନିର୍ବାଚନ ୧୦୦ ରୁ ୧୪୦୦ ଭୋଟ ବ୍ୟବଧାନରେ ହରାଜିତ୍‌ର ଫଇସଲା ହୋଇଥିବାରୁ ହାଇଦ୍ରାବାଦରେ ରହୁଥିବା ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ପ୍ରକାଶଥାଉକି, ୧୯୫୧ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ପାରଳା ବିଧାନସଭାରେ ପାଇଁ ୧୫ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ୭ ଥର କ˚ଗ୍ରେସ ଦଳ, ୪ ଥର ସ୍ବାଧୀନ ପ୍ରାର୍ଥୀ , ବିଜେଡି- ଜନତା ଦଳ ଦୁଇ ଥର, କମ୍ୟୁନିଷ୍ଟ ଓ ସ୍ବତନ୍ତ୍ର ଦଳ ଥରୁଟିଏ ଲେଖାଏଁ ନିର୍ବାଚିତ ହୋଇଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ   କେ. ସୂର୍ଯ୍ୟା ରାଓ       ୬୧,୦୧୪
ବିଜେଡି    କେ. ନାରାୟଣ ରାଓ   ୫୯,୫୯୫
ବିଜେପି    ତ୍ରିପତି ନାୟକ          ୬,୯୩୮

ସମ୍ବନ୍ଧିତ ଖବର