ରଘୁନାଥଙ୍କୁ ଘେରିଲେ ଦଳୀୟ କର୍ମୀ; ପୂର୍ବତନ ସରପଞ୍ଚଙ୍କ ଘରକୁ ଯାଇଥିବାରୁ ତୀବ୍ର ବିରୋଧ, ପୁଲିସ୍‌ ପହଞ୍ଚି ମୁକୁଳାଇଲା

ବାଣପୁର : ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପାଖେଇ ଆସୁଥିବେଳେ ଗୋଟିଏ ଗୋଟିଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାରର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଗୋବିନ୍ଦପୁର ପଞ୍ଚାୟତରେ ଘଟିଥିବା ଘଟଣା ସେମିତି ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ହେଉଛି, ବିଜେଡି ନେତା ତଥା ପୂର୍ବତନ ବିଧାୟକ ରଘୁନାଥ ସାହୁ ଜଣେ ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚଙ୍କ ଘରକୁ ଯାଇ ନିଜ ଦଳର କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ, ପୁଲିସର ତ୍ବରିତ୍‌ ପଦକ୍ଷେପ ଯୋଗୁ ଏକ ବଡ଼ଧରଣର ସଂଘର୍ଷକୁ ଏଡ଼ାଇ ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗୁରୁବାର ସକାଳେ ଗୋବିନ୍ଦପୁର ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ସମୟରେ ପୂର୍ବତନ ବିଧାୟକ ଶ୍ରୀ ସାହୁ ନିଜ କାର୍‌ରେ ବିଜେଡି ପତାକା ଲଗାଇ ସେଠାରେ ପହଞ୍ଚିଥିଲେ। ପରେ, ସେ ବିଜେପି କର୍ମୀଙ୍କ ସହ ପୂର୍ବତନ ସରପଞ୍ଚଙ୍କ ଘରେ ପହଞ୍ଚି ନିଭୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଖବର ପାଇ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ଗୋପୀନାଥ ମହାରଣା, ସମିତିସଭ୍ୟ ପ୍ରାର୍ଥୀ ମାନସରଞ୍ଜନ ପ୍ରଧାନ, ମନୋଜ ପ୍ରଧାନଙ୍କ ସମେତ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ପୂର୍ବତନ ସରପଞ୍ଚଙ୍କ ଘରବାହାରେ ରୁଣ୍ଡ ହୋଇଥିଲେ। ଏପରିକି, ଧାରଣା ଦେବାସହ ‘ରଘୁନାଥ ଦଳ ବିରୋଧୀ କାର୍ଯ୍ୟ କରି ବିଜେପିକୁ ସମର୍ଥନ ଦେଉଛନ୍ତି’ ବୋଲି ନାରାବାଜି କରିଥିଲେ। ଶ୍ରୀସାହୁ ତାଙ୍କ ଘରୁ ବାହାରିବା ପରେ ବିଜେଡି କର୍ମୀ ତାଙ୍କୁ ଘେରି ଯାଇଥିଲେ। ବାଣପୁର ଏସ୍‌ଡିପିଓ ମାନସରଞ୍ଜନ ବାରିକ, ଥାନା ଆଇଆଇସି ସଦଳବଳେ ସେଠାରେ ପହଞ୍ଚି ଶ୍ରୀ ସାହୁଙ୍କୁ ଦଳୀୟ କର୍ମୀଙ୍କ କବଳରୁ ସୁରକ୍ଷିତଭାବେ ମୁକୁଳାଇଥିଲେ।

ଏହି ଘଟଣାକୁ ନେଇ କିଛି ସମୟଧରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି, ପୁଲିସ୍‌ ସଠିକ୍‌ ସମୟରେ ପହଞ୍ଚି ନଥିଲେ ହୁଏତ ଏହି ଘଟଣା ସଂଘର୍ଷର ରୂପ ନେଇଥା’ନ୍ତା ବୋଲି କୁହାଯାଉଛି। ତେବେ, କର୍ମୀମାନେ ତାଙ୍କୁ କାହିଁକି ବିରୋଧ କରୁଛନ୍ତି ବୋଲି ସେ ସମ୍ପର୍କରେ ସେ ଜାଣନ୍ତିନି ବୋଲି ପ୍ରତିକ୍ରିୟାରେ ଶ୍ରୀସାହୁ କହିଛନ୍ତି। ‘ ଦଳ ବିରୋଧରେ କୌଣସି କାର୍ଯ୍ୟ କରିନାହାନ୍ତି, କେବଳ ନିଜର ବ୍ୟକ୍ତିଗତ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଛନ୍ତି,’ ବୋଲି କହିଛନ୍ତି ଶ୍ରୀ ସହୁ।

ଅନ୍ୟପକ୍ଷରେ, ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ୬ଟି ଜୋନର ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନେ ଆଜି ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରଘୁନାଥ ସାହୁଙ୍କ ଏହି ଅନ୍ତର୍ଘାତୀ କାର୍ଯ୍ୟ ଦଳକୁ କ୍ଷତି ପହଞ୍ଚାଉଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ହାଇକମାଣ୍ଡ୍‌ଙ୍କୁ ଜଣାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର