କରୋନାକୁ କହନ୍ତୁ ନା…ବନନ୍ତୁ ନାହିଁ ପେସେଣ୍ଟ୍‌ ନଂ ୩୧ !

ଭୁବନେଶ୍ବର: ଗତକାଲି ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସମୂହ ସଂକ୍ରମଣର ଆଶଙ୍କା କରିଛନ୍ତି। ତେବେ ରାଜ୍ୟବାସୀ ସଜାଗ ରହିଲେ ସମୂହ ସଂକ୍ରମଣକୁ ରୋକି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆମେ ଯଦି ଘରେ ରହିବା ତେବେ କରୋନା ଭାଇରସ୍‌ର ସଂକ୍ରମଣ ଚକ୍ର ବା ସାଇକେଲ୍‌କୁ ଭାଙ୍ଗି ପାରିବା। ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ୨.୨୪ରୁ ୩.୫୮ ପ୍ରତିଶତ ବ୍ୟକ୍ତିଙ୍କୁ ସଂକ୍ରମଣ କରିଥାଏ। ଅର୍ଥାତ ୨ରୁ ୪ ଜଣକୁ ସଂକ୍ରମିତ କରିଥାଏ। ଫଳରେ ସଂକ୍ରମଣ ଦିନକରେ ବହୁଗୁଣିତ ହୋଇଥାଏ ବୋଲି ବାଗ୍‌ଚୀ ଚେତାଇ ଦେଇଛନ୍ତି।

ଏହି କ୍ରମରେ ସେ ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ ବ୍ୟାପିବାରେ ମୁଖ୍ୟ ସୂତ୍ରଧର ସାଜିଥିବା ଜଣେ ୬୧ ବର୍ଷୀୟା ମହିଳାଙ୍କ କାହାଣୀ ଅବତାରଣା କରିଥିଲେ। ଏହି ମହିଳା ସାରା ବିଶ୍ବରେ ବର୍ତ୍ତମାନ ‘ସୁପର ସ୍ପ୍ରେଡର୍’ ଭାବେ ପରିଚିତି ପାଇଛନ୍ତି। କାରଣ ସେ ୧୧୬୦ ଜଣକୁ ସଂକ୍ରମିତ କରିଥିଲେ। ଉଲ୍ଲେଖଯୋଗ୍ୟ, ସେ ମହିଳା ଜଣକ ସଂକ୍ରମଣ ଶିକାର ହେବା ପୂର୍ବରୁ ଦକ୍ଷିଣ କୋରିଆରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ସଂକଟଜନକ ନଥିଲା। କିନ୍ତୁ ପରେ ସଂକ୍ରମଣ ପ୍ରବଳ ବେଗରେ ବ୍ୟାପି ଯାଇଥିଲା। ବର୍ତ୍ତମାନ ଏହି ମହିଳା ଜଣକ ଏବେ ବିଶ୍ବ ପରିସରରେ ‘ପେସେଣ୍ଟ ନଂ-୩୧’ ଭାବେ କୁଖ୍ୟାତ ହୋଇ ଯାଇଛନ୍ତି ବୋଲି ବଖାଣି ଥିଲେ ସୁବ୍ରତ ବାଗ୍‌ଚୀ।

କରୋନାକୁ ରୋକିବା ଲାଗି ଓଡ଼ିଶାବାସୀଙ୍କୁ ଘରର ସୀମା ରେଖା ଭିତରେ ରହିବାକୁ ଆହ୍ବାନ ଦେଇଛନ୍ତି ବାଗ୍‌ଚୀ। ଏଥିସହ ସେ ସମସ୍ତଙ୍କୁ ‘ପେସେଣ୍ଟ ନମ୍ବର ୩୧’ ନ ହେବା ଲାଗି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର