ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ଅବହେଳା ପ୍ରସଙ୍ଗ : ୫ ବର୍ଷ‌ରେ ୧୧ ମାମଲା, ଏବେ ବି ୬ ବିଚାରାଧୀନ

ଭୁବନେଶ୍ବର : ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି। ଅନେକ କ୍ଷେତ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି। ଗଣମାଧ୍ୟମରେ ଏ ସଂପର୍କିତ ରିପୋର୍ଟ ନିୟମିତ ପ୍ରକାଶ ପାଉଛି। ବର୍ଷ ବର୍ଷ ଧରି ମାମଲା କମିସନଙ୍କ ବିଚାରାଧୀନ ରହୁଛି। ଏଭଳି ପରିସ୍ଥିତିରେ କେବେ ମାମଲାର ବିଚାର ହେବ ଓ ପୀଡ଼ିତା ନ୍ୟାୟ ପାଇବ, ତାହା ସନ୍ଦେହ ଭିତରେ ରହିଛି। ସୂଚନା ଆଇନ ବଳରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୧୯ମସିହା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଡାକ୍ତରଖାନାରେ ‌ରୋଗୀଙ୍କୁ ଚିକିତ୍ସା ଅବହେଳାର ୧୧ଟି ଅଭିଯୋଗ ରହିଛି। ତହିଁରୁ ୬ଟି ମାମଲା ଆଜି ପର୍ଯ୍ୟନ୍ତ ବିଚାରାଧୀନ ଥିବା ବେଳେ ୫ଟି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ କମିସନ ମାମଲାକୁ ବନ୍ଦ କରି ଦେଇଛନ୍ତି।

୨୦୧୪ ମସିହାରେ ରାୟଗଡ଼ା ଜିଲ୍ଲା କେ.ସିଂହପୁର ସିଏଚ୍‌ସିରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ଅତିରିକ୍ତ ସ୍ବାସ୍ଥ୍ୟସେବା ନିର୍ଦେଶକ ଏହାର ତଦନ୍ତ କରିବା ସହ ରିପୋର୍ଟ କମିସନଙ୍କୁ ପ୍ରଦାନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହା ବିଚାରାଧୀନ ରହିଛି। ସେହିବର୍ଷ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଚିକିତ୍ସାରେ ଅବହେଳା ସଂପର୍କିତ ଅଭିଯୋଗ ମାନବାଧିକାର କମିସନରେ ହୋଇଥିଲା। ଘଟଣାର ତଦନ୍ତ କରାଯାଇ କମିସନଙ୍କ ରିପୋର୍ଟ ପ୍ରଦାନ କରାଯାଇଛି। ୫ବର୍ଷ ପରେ ମଧ୍ୟ ମାମଲା କମିସନଙ୍କ ନିକଟରେ ପଡ଼ି ରହିଛି।

୨୦୧୫ ମସିହାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟମିତ ବ୍ୟବଧାନରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ କମିସନରେ ଅଭିଯୋଗ ହୋଇଥିଲା। ଅତିରିକ୍ତ ସ୍ବାସ୍ଥ୍ୟସେବା ନିର୍ଦେଶକ(ମାତୃ ସ୍ବାସ୍ଥ୍ୟ) ଘଟଣାର ତଦନ୍ତ କରିବା ସହ କମିସନଙ୍କ ରେଜିଷ୍ଟ୍ରାର୍‌ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏହା ଭିତରେ ୪ବର୍ଷ ବିତିଗଲାଣି, କମିସନଙ୍କ ନିକଟରେ ମାମଲା ପଡ଼ି ରହିଛି। ସେହି ବର୍ଷ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବତୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ ହୋଇଥିଲା। ସ୍ବାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀ ଏହି ମାମଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରି ସାରିଲେଣି। ହେଲେ କମିସନଙ୍କ ନିକଟରୁ କୌଣସି ରାୟ ପ୍ରକାଶ ପାଇନାହିଁ। ୨୦୧୬ ମସିହାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କୁ ଚିକିତ୍ସା‌ରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ହୋଇସାରିଥିଲେ ହେଁ ମାମଲା କମିସନଙ୍କ ନିକଟରେ ବିଚାରାଧୀନ ରହିଛି।

ସେହିପରି ଅନେକ ମାମଲାରେ ଆବେଦନକାରୀ ମଧ୍ୟ କମିସନଙ୍କୁ ସହଯୋଗ କରୁ ନ ଥିବା ନଜରକୁ ଆସିଛି। ମାମଲା ଦାୟର କରିବା ପରେ କମିସନଙ୍କ ନିକଟରେ ନିଜର ପକ୍ଷ ରଖୁ ନାହାନ୍ତି। ଫଳରେ କମିସନ୍‌ ମାମଲାକୁ ନିଜ ଆଡ଼ୁ ବାଧ୍ୟ ହୋଇ ବନ୍ଦ କରିଦେଉଛନ୍ତି। ୨୦୧୫ ମସିହାରେ କନ୍ଧମାଳ ଜିଲ୍ଲାରେ ଜାନୁଆରିରୁ ମେ’ ମାସ ମଧ୍ୟରେ ଏକାଧିକ ନବଜାତକଙ୍କ ମୃତ୍ୟୁ ନେଇ କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ପକ୍ଷରୁ ମଧ୍ୟ ଏହାର ତଦନ୍ତ କରାଯିବା ସହ ଆବେଦନକାରୀଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। ମାତ୍ର ଆବେଦନକାରୀ କ‌ୌଣସି ମତ ନ ରଖିବାରୁ ମାମଲାକୁ ବନ୍ଦ କରି ଦିଆଯାଇଛି। ସମାନ ଢଙ୍ଗରେ ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବେହଳା ପ୍ରସଙ୍ଗରେ ଆବେଦନକାରୀ ଉତ୍ତର ନ ରଖିବା କାରଣରୁ ମାମଲାକୁ ବନ୍ଦ କରି ଦିଆଯାଇଥିଲା।

ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ କହିବାନୁଯାୟୀ, ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା କରାଯାଉଥିବା ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବର୍ଷ ବର୍ଷ ଧରି ମାମଲା ବିଚାରାଧୀନ ରହିଥିବାରୁ ପୀଡ଼ତଙ୍କୁ ତ୍ବରିତ ନ୍ୟାୟ ମିଳୁନାହିଁ। ଫଳରେ ଉଭୟ ଡାକ୍ତରଖାନା ଓ କମିସନଙ୍କ ନିକଟରେ ନ୍ୟାୟ ନ ପାଇ ପୀଡ଼ିତ/ପୀଡ଼ିତା ଆଶା ହରାଇ ବସୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର