ଆପୋଲୋ ହସ୍ପିଟାଲ୍‌ରେ ନିଆଁ ପରେ ୨ ରୋଗୀ ମୃତ

ଭୁବନେଶ୍ବର : ଗତ ଶନିବାର ଦିନ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ଯେଉଁ ୨୬ ଜଣ ରୋଗୀଙ୍କୁ ବିଭିନ୍ନ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା ‌େସମାନଙ୍କ ମଧ୍ୟରୁ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ‌ ହେଲେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ଶଙ୍କର୍ଷଣ ଦୋରା(୫୧) ଓ କଳିଙ୍ଗନଗର ଅଞ୍ଚଳର ଦୀପ୍ତିମୟୀ ‌ବାନାର୍ଜୀ(୭୮)। ସହିଦନଗର ଥାନା ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ସୂଚନା ମୁତାବକ, ଗତ ୨୮ତାରିଖ ଦିନ ଶଙ୍କର୍ଷଣଙ୍କୁ ହୃଦ୍‌ଘାତ ହୋଇଥିଲା। ପରିବାର ଲୋକ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରା‌ଇଥିଲେ। ସେ କୋମାରେ ଥିଲେ। ଶନିବାର ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ଆମ୍ରି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି।

ସେହିପରି ଗତ କିଛିଦିନ ତଳେ କଳିଙ୍ଗନଗର ଅଞ୍ଚଳର ଦୀପ୍ତିମୟୀ ବାନାର୍ଜୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ଲାଗି ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେ ଆପୋଲୋ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଆପୋଲୋ କର୍ତୃପକ୍ଷ ତାଙ୍କୁ କଳିଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଶନିବାର ଦିନ ପ୍ରାୟ ସାଢ଼େ ୧୦ଟାରେ ଆପୋଲୋ ହସ୍ପିଟାଲ୍‌ର ୫ମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ହସ୍ପିଟାଲ୍‌ ଧୂଆଁମୟ ହୋଇଯିବା ସହ ନିଆଁ ବ୍ୟାପିବାକୁ ଲାଗିଥିଲା। ହସ୍ପିଟାଲ୍‌ କର୍ତୃପକ୍ଷ ୫ମ ମହଲାରେ ଥିବା ୨୬ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର