‌ସରପଞ୍ଚ ଉଠାଇ ନେଇଥିଲେ ରାସନ୍‌ ସାମଗ୍ରୀ, ଅଭିଯୋଗ ପରେ ବି ସମସ୍ତେ ଚୁପ୍‌

କଟକ : ଜିଲ୍ଲାପାଳ କ୍ଷମତା ଦେଇ କରୋନା ମୁକାବିଲାରେ ଆଗଧାଡିରେ ସରପଂଚମାନଙ୍କୁ ଛିଡ଼ାକରିଛନ୍ତି ସରକାର। ହେଲେ ସେହି ସରପଂଚଙ୍କ ମଧ୍ୟରୁ ଜଣେ ଏବେ ରାସନ ସାମଗ୍ରୀ ସହ ସହାୟତା ରାଶି ଉଠାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ଏ ସଂପର୍କରେ ଅଭିଯୋଗ ପରେ ବି ସମସ୍ତେ ଚୁପ୍ ରହିବା ଘଟଣା ବିବାଦର କାରଣ ହୋଇଛି। ଗରିବ ହିତାଧିକାରୀ ରାସନ୍‌ ସାମଗ୍ରୀରୁ ବଂଚିତ ହେଉଥିବାର ଅଭିଯୋଗ ହେଉଛି।

ଆଧାର କାର୍ଡ ନାହିଁ କହି କାହାକୁ ସାମଗ୍ରୀରୁ ବଂଚିତ କରାଯାଉଛି ତ କାହାର କଚ୍ଚାଘରକୁ କୋଠାଘର ଦର୍ଶାଇ ରାସନ୍‌ କାର୍ଡରୁ ବଂଚିତ କରାଯାଇଛି। କିନ୍ତୁ ଏଭଳି ସ୍ଥିତିରେ କଟକ ଜିଲ୍ଲାର ଜଣେ ମହିଳା ସରପଞ୍ଚ ଉଠାଉଛନ୍ତି ରାସନ ସାମଗ୍ରୀ। କରୋନା ପାଇଁ ଆସିଥିବା ହଜାରେ ଟଙ୍କାର ସହାୟତା ରାଶି ବି ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ମଣିଜଙ୍ଗର ସରପଞ୍ଚ ରଂଜିତା ନାୟକଙ୍କ ନାଁରେ ରାସନ୍‌ କାର୍ଡ ଥିବା ବେଳେ ସେ ଦୀର୍ଘ ୩ବର୍ଷ ହେଲା ରାସନ୍‌ ସାମଗ୍ରୀ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କ ରାସନ୍‌ କାର୍ଡ ନମ୍ବର ହେଉଛି ୦୭୧୧୨୫୧୧୦୦୪। ତାଙ୍କର କୋଠା ଘର ରହିଛି। ସେ ପୁଣି ଜଣେ ନିର୍ବାଚିତ ଜନପ୍ରତିନିଧି। ହେଲେ ରାସନ୍‌ କାର୍ଡରେ ସେ ଦୀର୍ଘ ୩ବର୍ଷ ହେଲା ଉଠାଇ ଚାଲିଛନ୍ତି ରାସନ ସାମଗ୍ରୀ। ଏବେ କରୋନା ପାଇଁ ତିନି ମାସର ଅଗ୍ରୀମ ରାସନ୍‌ ଦିଆଯିବା ସମୟରେ ଜଣାପଡିଲା ଯେ ସରପଞ୍ଚ ନିଜେ ରାସନ୍‌କାର୍ଡଧାରୀ। ଏ ସଂପର୍କରେ ଜଣାପଡିବା ପରେ ଗ୍ରାମର ମନ୍ମଥ ସାହୁ, ଧରଣୀଧର ମଳିକଙ୍କ ସମେତ ଅନେକ ବ୍ୟକ୍ତି ନିଶ୍ଚିନ୍ତକୋଇଲି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୫/୬ଦିନ ହେଲା ଅଭିଯୋଗ ପରେ ବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯାଗକାରୀମାନେ ଦର୍ଶାଇଛନ୍ତି। ଯେଉଁଠି ଭଙ୍ଗାକୁଡିଆରେ ରହୁଥିବା ଗରିବ ହିତାଧିକାରୀଙ୍କୁ ରାସନ୍‌ କାର୍ଡ ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି, ସେଭଳି କ୍ଷେତ୍ରରେ ଜଣେ କୋଠାଘରେ ରହୁଥିବା ଜନପ୍ରତିନିଧି ରାସନ୍‌ କାର୍ଡରେ କିଭଳି ସାମଗ୍ରୀ ଓ ସହାୟତା ଉଠାଇ ଚାଲିଛନ୍ତି, ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି।

ଏ ସଂପର୍କରେ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦାର କହିଛନ୍ତି ଯେ, ଏଭଳି ଅଭିଯୋଗ ସେ ପାଇନାହାନ୍ତି। ଅଭିଯୋଗ ମିଳିଲେ ତାହାର ତଦନ୍ତ କରାଯିବ। ଅନ୍ୟପଟେ କଟକ ଜିଲ୍ଲାରେ ଏବେ ବି ଦେଢ କୋଟି ଟଙ୍କାର ସହାୟତା ‌ନେଇ ନାହାନ୍ତି ରାସନ୍‌ କାର୍ଡଧାରୀ। ପାଖାପାଖି ୧୫ ହଜାର ହିତାଧିକାରୀ ହଜାରେ ଟଙ୍କା ନେଇ ନଥିବାବେଳେ ଚାଉଳ କିନ୍ତୁ ଜିଲ୍ଲାର ସମସ୍ତ ହିତାଧିକାରୀ ନେଇଛନ୍ତି ବୋଲି ପ୍ରଶାସନର ରିପୋର୍ଟ କହୁଛି। ଏଭଳି ଘଟଣା କଟକ ଜିଲ୍ଲାରେ ଚାଲିଥିବା ରାସନ ସାମଗ୍ରୀ ଦୁର୍ନୀତିର ଗୁମର ଖୋଲୁଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ତୁରନ୍ତ କାର୍ଯ୍ୟାନୁ‌ଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର