ଆନ୍ଧ୍ର ମୁହାଁ ଏମ୍ପଲୱାଲସାବାସୀ; ନାଗାବଳୀ ଡେଇଁଲେ ମିଳେ ଭତ୍ତା, ବର୍ଜନ କରିବେ ପଞ୍ଚାୟତ ନିର୍ବାଚନ!

ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ୪୦ ବର୍ଷ ତଳେ ମିଳିଥିବା ଇନ୍ଦିରା ଆବାସ ଘର ଜରାଜୀର୍ଣ୍ଣ ଅବସ୍ଥାରେ। ମରାମତି କିମ୍ବା ନୂତନ ଗୃହ ପାଇଁ ଅନୁଦାନ ମିଳିନଥିବାରୁ ପଲିଥିନ୍ ଢ଼ାଙ୍କି ରହୁଛନ୍ତି ଗ୍ରାମବାସୀ। ଭତ୍ତା ପାଇଁ ନାଗାବଳୀ ପାର ହେବାକୁ ପଡ଼ୁଥିବା ବେଳେ ଗାଁଠୁ ୪ କିମି ଦୂର କେରେଡ଼ାରେ ରହିଛି ମେଡ଼ିକାଲ୍, ଅଙ୍ଗନବାଡ଼ି ଓ ସ୍କୁଲ୍ ସୁବିଧା। ବହୁ ଦାବି ପରେ ଗ୍ରାମବାସୀଙ୍କ ଦୁଃଖ ଦୂର କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଛନ୍ତି ଏମ୍ପଲୱାଲସା ଗ୍ରାମବାସୀ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ରହିଛି ଏମ୍ପଲୱାଲସା ଗ୍ରାମ। ରାୟଗଡ଼ା ବ୍ଲକ୍ କେରେଡ଼ା ପଞ୍ଚାୟତ ଅଧୀନରେ ଥିବା ଏହି ଗ୍ରାମବାସୀ ଦୈନିକ ଜୀବନଯାପନ ପାଇଁ ଆନ୍ଧ୍ର ଉପରେ ନିର୍ଭର କରି ଆସୁଛନ୍ତି। ଏମ୍ପଲୱାଲସାରୁ ଆନ୍ଧ୍ରର ଦୂରତା ୧ କିମି ହୋଇଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଗ୍ରାମବାସୀ ଆନ୍ଧ୍ରରେ ମିଶିବାକୁ ମନ ବଳାଇଛନ୍ତି। ଗ୍ରାମରେ ପ୍ରାୟ ୪୦ଟି ପରିବାରର ୨୦୦ରୁ ଊର୍ଦ୍ଧ୍ବ ଲୋକ ବାସ କରନ୍ତି। ପ୍ରଥମେ ଏହି ଗାଁ ପାହାଡ଼ ଉପରେ ଅବସ୍ଥିତ ଥିଲା। ପାହାଡ଼ ଉପରକୁ ଚଢ଼ି ପ୍ରଶାସନିକ ଅଧିକାରୀ ସୁଖଦୁଃଖ ବୁଝିବାରେ ସମସ୍ୟା ହେବାରୁ ତତ୍କାଳୀନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ପାହାଡ଼ ତଳକୁ ଓହ୍ଲାଇ ଆସିଥିଲେ। ଇତି ମଧ୍ୟରେ ଦୀର୍ଘ ୪୦ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମର ଆଖିଦୃଶିଆ ବିକାଶ ହୋଇପାରିନି। ଗ୍ରାମରେ ଆଜି ସୁଦ୍ଧା ଅଙ୍ଗନବାଡ଼ିକେନ୍ଦ୍ର କିମ୍ବା ସ୍କୁଲ୍ ନିର୍ମାଣ ହୋଇପାରିନି।

ସେହିପରି ସ୍ବାସ୍ଥ୍ୟସେବା ପାଇଁ ଗ୍ରାମବାସୀ କେରେଡ଼ା ଆସିବାକୁ ପଡୁଛି। ଜରୁରି କାମରେ ଲୋକଙ୍କୁ ନାଗାବଳୀ ନଦୀ ପାର ହେବାକୁ ପଡୁଥିବାରୁ ଗ୍ରାମବାସୀ ୧ କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା କୋମରଡା ବ୍ଲକର ପୋଦୁଗୁବାଲସା ଉପରେ ନିର୍ଭର କରି ଆସୁଛନ୍ତି। ଧୀରେ ଧୀରେ ସୀମାନ୍ତ ଏହି ଗ୍ରାମବାସୀ ଆନ୍ଧ୍ର ମୁହାଁ ହେବାରେ ଲାଗିଥିଲେ ମଧ୍ୟ ପ୍ରଶାସନ ଏମ୍ପଲୱାଲସାର ବିକାଶ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବହୁ ସମୟରେ ଗ୍ରାମର ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଇ ନିରାଶ ହୋଇ ଫେରୁଥିବା କହିଛନ୍ତି। ଗାଁଠାରୁ ୨ କିମି ଦୂରରେ ଥିବା ଅନିଜା ନିକଟରେ ନାଗାବଳୀ ଉପରେ ବ୍ରିଜ୍ ନିର୍ମାଣ ଚାଲିଛି।

ନିର୍ମାଣ ସଂପୂର୍ଣ୍ଣ ହୋଇପାରିନଥିବାରୁ ଅନିଜା, ଏମ୍ପଲୱାଲସାବାସୀ ବିପଦପୂର୍ଣ୍ଣ ଭାବେ ନାଗାବଳୀ ପାର ହୋଇ ଜିଲ୍ଲା ଓ ପଞ୍ଚାୟତ ମୁଖ୍ୟାଳୟକୁ ଆସିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ଏ ନେଇ ଗ୍ରାମବାସୀ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ବହୁବାର ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି। ସମସ୍ୟା ସମାଧାନ ହେଉନଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ସହ ଆନ୍ଧ୍ରରେ ମିଶିଲେ ସମସ୍ୟା ଦୂର ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନ ଦେଲେ ସୀମାନ୍ତ ଗ୍ରାମବାସୀ ଆନ୍ଧ୍ରର ବଶୀଭୂତ ହେବାକୁ ବେଶି ସମୟ ଲାଗିବ ନାହିଁ।

ସମ୍ବନ୍ଧିତ ଖବର