ସଂକଟରେ ୟୁନିଭରସିଟି ହାଇସ୍କୁଲ: ୬୩୦ ପିଲାଙ୍କୁ ୫ ନିୟମିତ ଶିକ୍ଷକ, ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ୟୁନିଭରସିଟି ହାଇସ୍କୁଲ। ରାଜଧାନୀର ଏକ ପୁରୁଣା ବିଦ୍ୟାଳୟ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି। ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ପରି ବ୍ୟକ୍ତିବିଶେଷଙ୍କୁ ତିଆରି କରିଛି ଏହି ଶିକ୍ଷାନୁଷ୍ଠାନ। ଅନେକ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ସାମ୍ବାଦିକ, ଶିକ୍ଷାବିତ୍‌ ମଧ୍ୟ ଏଠାରୁ ପଢ଼ି ନିଜର କ୍ୟାରିଅର ଗଢ଼ିଛନ୍ତି। କିନ୍ତୁ ଏଭଳି ଏକ ଶିକ୍ଷାନୁଷ୍ଠାନ ଏବେ ସଙ୍କଟରେ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୬୩୦ ପିଲା ପଢ଼ୁଥିଲେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ବିକାଶ ପାଇଁ ଆନ୍ତରିକତାର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ସବୁଥାଇ ନିଃସ୍ବ ହେବାକୁ ବସିଛି ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ। ହାଇସ୍କୁଲର ୬୩୦ଜଣ ପିଲାଙ୍କୁ ଶିକ୍ଷା ଦେବା ଲାଗି ମାତ୍ର ୫ ଜଣ ନିୟମିତ ଶିକ୍ଷକ ରହିଛନ୍ତି। ୩ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। କିଛି ବର୍ଷ ତଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାଠପଢ଼ା ଚାଲିଥିଲା। ମାତ୍ର ତାହା ବନ୍ଦ ହୋଇଗଲା। ପରବର୍ତୀ ସମୟରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତ ‌ହେଉଥିଲେ ମଧ୍ୟ ସେମାନେ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ଏବେ ୩ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ମିଶାଇ ମୋଟ ୮ଜଣ ରହିଛନ୍ତି। ଅର୍ଥାତ୍‌ ୮୦ଜଣ ପିଲାଙ୍କ ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି।

ହିନ୍ଦୀ,ସଂସ୍କୃତ, ପିଇଟି ଶିକ୍ଷକ ଆଦୌ ନାହାନ୍ତି। ଆଗରୁ ଗୋଟିଏ କ୍ଲାସକୁ ଏକାଧିକ ସେକ୍ସନ୍‌ରେ ବିଭକ୍ତ କରାଯାଇ ଶିକ୍ଷା ଦିଆଯାଉଥିଲା। ମାତ୍ର ଏବେ ଶିକ୍ଷକ ଅଭାବ ପାଇଁ ତାହା ବି ବନ୍ଦ ହୋଇଯାଇଛି। ଗୋଟିଏ ସେକ୍ସନରେ ଖୁନ୍ଦାଖୁନ୍ଦି ହୋଇ ପିଲା ପଢ଼ୁଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଆଉ କିଛି ଶିକ୍ଷକ ବି ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ରାଜ୍ୟ ସରକାର ହାଇସ୍କୁଲର ବିକାଶ କଥା କହୁଥିବା ବେଳେ ଅନ୍ୟପଟେ ରାଜଧାନୀ ଛାତି ଉପରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଏଭଳି ଅବସ୍ଥାରେ ୟୁନିଭରସିଟି ହାଇସ୍କୁଲ ରହିଛି। ସ୍ଥିତିକୁ ନେଇ ପୁରାତନ ଛାତ୍ରଛାତ୍ରୀ ବି ସ୍ବର ଉଠାଇଛନ୍ତି। କେତେଜଣ ପୋଷ୍ୟ ସ୍କୁଲ ଭାବେ ଏହାକୁ ଗ୍ରହଣ କରିଛନ୍ତି। ମାତ୍ର ବଦଳି ପାରିନି ୟୁନିଭରସିଟି ହାଇସ୍କୁଲର ସମସ୍ୟା।

ଗଣଶିକ୍ଷା ବିଭାଗ ଅଧୀନ ହାଇସ୍କୁଲଗୁଡ଼ିକର ରୂପ ବଦଳୁଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଉତ୍କଳ ବିଶ୍ବବିଦ୍ୟାଳୟ କତୃତ୍ବରେ ଥିବା ଏହି ଶିକ୍ଷାନୁଷ୍ଠାନ ଅବହେଳିତ ହୋଇଛି। ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବି ପୂରଣ ଲାଗି ଡିସେମ୍ବର ୨୨ରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲେ। ମାତ୍ର ଉଚ୍ଚଶିକ୍ଷା ବିଭାଗ ଆଜି ଯେଉଁ ଉତ୍ତର ଦେଇଛି, ତାହା ଆଶ୍ଚର୍ଯ୍ୟ କଲା ଭଳି। ବିଭାଗୀୟ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା କୁଳସଚିବଙ୍କୁ ପତ୍ର ଲେଖି କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ସହ ୟୁନିଭରସିଟି ହାଇସ୍କୁଲ ପରିଚାଳନା ଉଚ୍ଚଶିକ୍ଷା ବିଭାଗର ଦାୟିତ୍ବ ନୁହେଁ। ତା’ ପରେ ବି ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ/ଅଣଶିକ୍ଷକ ପଦବି ପୂରଣ ଲାଗି ଆପଣ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯିବ। ଏଥିପାଇଁ କେତେକ ତଥ୍ୟ ଦେବାର ଆବଶ୍ୟକତା ରହିଛି। ହାଇସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର କେବେ ନିର୍ଦେଶ ଦେଇଥିଲେ। ପଦବି କେବେ ସୃଷ୍ଟି ହୋଇଥିଲା। ଅନୁମୋଦିତ ପଦବି ସଂଖ୍ୟା କେତେ ଓ ଏବେ କେତେ ଜଣ କାର୍ଯ୍ୟରତ ରହିଛନ୍ତି ଏବଂ କେତେ ସଂଖ୍ୟକ ପଦବି ଖାଲି ପଡ଼ିଛି, ତାହାର ତଥ୍ୟ ପ୍ରଦାନ କର। ଏଥିସହ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ତଥ୍ୟ, ଗତ ୫ବର୍ଷ ମଧ୍ୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ଏବଂ କେତେଜଣ କୃତକାର୍ଯ୍ୟ ହୋଇଛନ୍ତି, ସେ ସମ୍ପର୍କିତ ତଥ୍ୟ ବିଭାଗକୁ ପଠାଇବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର