ମଦ ଦୋକାନ ଉଚ୍ଛେଦ ଦାବିରେ ୮ ଘଣ୍ଟା ରାସ୍ତାରୋକ, ଭାଟି ଓ ଦୋକାନ ଜାଳିଦେଲେ

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତକୁ ମଦ ମୁକ୍ତ କରିବା ଦାବିରେ ବୁଧବାର ଶତାଧିକ ମହିଳା ଓ ପୁରୁଷ ବଣିଆ ବାଡ଼ି ଛକ ଠାରେ ପୂର୍ବାହ୍ନ ସାଢ଼େ ୬ଟାରୁ ବେଗୁନିଆପଡା-ଅଙ୍ଗାରଗାଁ ଓ ସୁମଣ୍ଡଳ-ଭେଜିପୁଟ ରାସ୍ତାକୁ ଦୀର୍ଘ ୮ ଘଣ୍ଟା ଧରି ଅବରୋଧ କରିଥିଲେ। ପରେ ଆନ୍ଦୋଳନକାରୀ ଦେଶୀ ମଦ ଭାଟି ସମେତ ଦୁଇଟି ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲା। ସେମାନଙ୍କ ଦାବି ଅନୁସାରେ ସୁମଣ୍ଡଳ ପଞ୍ଚାୟତରେ ଥିବା ସମସ୍ତ ମଦ ଦୋକାନ ଓ ମଦ ଭାଟି ବନ୍ଦ କରିବା ପାଇଁ ୧୫ ଦିନ ପୂର୍ବେ ମହିଳାମାନେ ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅବକାରୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଯୋଗୁଁ ଶତାଧିକ ମହିଳା ଓ ପୁରୁଷ ଉତ୍ତ୍ୟକ୍ତ ହୋଇ ମଦ ଭାଟି ଓ ଦୋକାନରେ ନିଆଁ ଲଗାଇଥିଲେ। ପରିସ୍ଥିତି ଅଣାୟତ ହେବା ଦେଖି ଘଟଣା ସ୍ଥଳରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଅବକାରୀ ବିଭାଗ ଇନ୍ସପେକ୍ଟର ନବସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାବୁଝି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା। ଅନ୍ୟ ପକ୍ଷରେ ରାସ୍ତା ବନ୍ଦ ହେବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲlଗି ରହିଛି l ସେପଟେ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ପକ୍ଷରୁ ତିନିଟି ଏତଲା ଦିଆ ଯାଇଥିବା ବେଳେ ରାସ୍ତା ରୋକ ପାଇଁ ପୁଲିସ ପକ୍ଷରୁ ମଧ୍ୟ ଏକ ମାମାଲା ରୁଜ୍ଜୁ କରା ଯାଇଥିବା ସୂଚନା ମିଳିଛି l

ସମ୍ବନ୍ଧିତ ଖବର