ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ : କୋଭିଡ୍‌ ସଂକ୍ରମଣ ବଢ଼ିବା ପରେ ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାର ବାରଣ କରାଯାଇଛି। ବାହାର ଜିଲ୍ଲାର ଲୋକେ ଆଉ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେନି। ଏହି କଟକଣା ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି। କେବଳ ଜିଲ୍ଲା ଭିତର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେ। କିନ୍ତୁ ଶବଦାହ ପୂର୍ବରୁ ମୃତକ କୋଭିଡ୍‌ ଆକ୍ରାନ୍ତ କି ନୁହେଁ, ତାହାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଆଜି ସ୍ବର୍ଗଦ୍ବାର ପରିଚାଳନା କମିଟି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ସ୍ବର୍ଗଦ୍ବାରକୁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଶବଦାହ ପାଇଁ ପ୍ରତିଦିନ ଭିଡ଼ ଲଗାଉଛନ୍ତି। ଦୈନିକ ଶତାଧିକ ଶବଦାହ ପାଇଁ ଆସୁଛି। କୋଭିଡ୍‌ ସଂକ୍ରମଣ ବଢ଼ିଥିବାରୁ ଶବଦାହ ଦାୟିତ୍ବରେ ରହୁଥିବା ସ୍ବର୍ଗଦ୍ବାରର କର୍ମଚାରୀମାନେ ବି ଏ ଭିତରେ ସଂକ୍ରମିତ ହୋଇ ସାରିଲେଣି। ଅନେକ ଏବେ ବି କୋଭିଡ୍ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଗକୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଥିବାରୁ ସ୍ବର୍ଗଦ୍ବାରକୁ ବାହାର ଜିଲ୍ଲାର ଶବଦାହ କ୍ଷେତ୍ରରେ କଟକଣା ଲଗାଯାଇଛି। ପୂର୍ବରୁ ବି କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରରେ ବାହାର ଜିଲ୍ଲା ଶବଦାହ କ୍ଷେତ୍ରରେ କଟକଣା ଲଗାଯାଇଥିଲା।

ସମ୍ବନ୍ଧିତ ଖବର