ଥମୁନି ଘୁଷୁରି ମଡ଼କ : ଆଉ ୧୩ ମଲେଣି

ବ୍ରହ୍ମପୁର : ସହରରେ ମାଡ଼ି ଚାଲିଛି ଘୁଷୁରି ମଡ଼କ। ମଙ୍ଗଳବାର ଦିନ ପୁଣିଥରେ ସହରର ବିଭିନ୍ନ ୱାର୍ଡ଼ରେ ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଛି।  ଘୁଷୁରି ମଡ଼କକୁ ନେଇ ସହରସାରା ଭୟର ବାତାବରଣ ସୃଷ୍ଟି ହୋଇଛି। ଘୁଷୁରି ମରିବାର କାରଣ କଣ ? କାହଁକି ଏତେ ସଂଖ୍ୟାକ ଘୁଷୁରି ମରୁଛନ୍ତି ସେ ନେଇ କେହି କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଏଭଳି ଘଟଣାକୁ ନେଇ ସ୍ବାଇନ୍‌-ଫ୍ଲୁ ବ୍ୟାପିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପ୍ରାୟ ସପ୍ତାହେ ହେଲା ଘୁଷୁରି ମଡ଼କ ଘଟଣା ନଜରକୁ ଆସୁଥିବା ବେଳେ ପ୍ରଶାସନିକ ସ୍ତରରେ ବର୍ତ୍ତମାନ ସୁଦ୍ଧା କୌଣସି ସତର୍କତାମୂଳକ  ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପ୍ରଶାସନ ଏଦିଗରେ ବେଫିକର ରହିଥିବା ଭଳି ମନେ ହେଉଛି। ବାରମ୍ବାର ଘୁଷୁରି ମଡ଼କ ଘଟୁଥିବାରୁ ତୁରନ୍ତ ଏ ଦି‌ଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।
ବ୍ରହ୍ମପୁର ସହରର ଆସିକା ରୋଡ଼ ଓ ପୁରୁଣା ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସାହିରେ ଲୋକେ ଘୁଷୁରି ପାଳନ କରୁଛନ୍ତି। ଗତ କିଛିଦିନ ହେଲା ସହରର ବିଭିନ୍ନ ସ୍ଥାନରେ ବହୁ ଲୋକଙ୍କ ଘୁଷୁରି ମରି ଯାଉଥିବା ନଜରକୁ ଆସିଛି। ସୁସ୍ଥ ଥିବା ଘୁଷୁରି ହଠାତ୍‌ ମରି ଯାଉଛନ୍ତି। ଏହା ପଛରେ ନିଶ୍ଚିତ ରୂପେ କୌଣସି ଅଜଣା ରୋଗ ଥିବ ବୋଲି ସନ୍ଦେହ କରାଯାଉଛି। ଗତକାଲି ଶ୍ରୀରାମନଗର ଦଶଘରିଆ ଲାଇନ୍‌, ରଥସାହି, ପାଣିଗ୍ରାହୀପେଣ୍ଠ, ଆନନ୍ଦନଗର, ନେଳିଆବନ୍ଧ ସାହି ବସ୍ତି, ପିଚିପିଚାନଗର ବସ୍ତି ଓ ଗେଟ୍‌ବଜାରର ବିଭିନ୍ନ ଅଞ୍ଚଳରେ ଘୁଷୁରି ମରିବା ଘଟଣା ନଜରକୁ ଆସିଥିଲା। ଏ ନେଇ ବିଏମ୍‌ସି ତରଫରୁ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗକୁ ଅବଗତ କରାଯାଇଥିଲା। ଆଜି ପୁଣି ଥରେ ଘୁଷୁରି ମଡ଼କ ଘଟଣା ନଜରକୁ ଆସିଛି। ଶ୍ରୀରାମନଗର ଜଗନ୍ନାଥବିହାରରେ ଦୁଇଟି ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ପାଣିଗ୍ରାହୀପେଣ୍ଠରେ ଦୁଇଟି, ନେଳିଆବନ୍ଧ ହୁଡ଼ା ସାହିରେ ଦୁଇଟି, ୨୦ନମ୍ବର ୱାର୍ଡ଼ ଗୋଲାପଲ୍ଲୀ ହରିଜନ କଲୋନିରେ ୪ଟି ଓ ୨୧ନମ୍ବର ୱାର୍ଡ଼ କେନାଲ ହୁଡ଼ା ସାହିରେ ୩ଟି ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଏମ୍‌ସିର ସଫେଇ କର୍ମଚାରୀ ଘୁଷୁରି ଶବ ନେଇ ଫୋପାଡ଼ି ଥିବା ଦେଖିବାକୁ ମିଳିଥିଲା।
କେଉଁ କାରଣରୁ ଏଭଳି ଘୁଷୁରି ମଡ଼କ ଘଟୁଛି ସେ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟ କିଛି ସ୍ପଷ୍ଟ କରିପାରୁ ନାହିଁ। ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ କିଛି କୁହାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଆଜି ସୁଦ୍ଧା ନମୁନା ସଂଗ୍ରହ ହୋଇନଥିବା ଜଣେ କର୍ମଚାରୀ କହିଛନ୍ତି। ଘୁଷୁରି ମଡ଼କକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।  ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧିତ ଖବର