ସଂସଦ ସାମନାରେ ଧାରଣା ଦେବେ ପିହୁର ପରିବାର

ଯାଜପୁରସଦର : ବିଂଝାରପୁର ଥାନା ଅଞ୍ଚଳର ପିହୁ ନିଖୋଜ ଘଟଣା ଜିଲ୍ଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ଶେଷରେ ରାଜ୍ୟ ପୁଲିସ ଉପରୁ ଭରସା ତୁଟାଇଲେ ନିଖୋଜ ନାବାଳିକା ପିହୁର ପରିବାର। ଆଜି ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଉ ନିଜ ଝିଅକୁ ଖୋଜିବା ପାଇଁ ନେହୁରା ହେବେ ନାହିଁ ବୋଲି ପିହୁର ମାଆ ଜଣାଇ ଦେଇଛନ୍ତି।

ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ୩ ବର୍ଷର ଝିଅ ପିହୁ ନିଖୋଜ ଘଟଣାକୁ ୯ ମାସ ବିତିଗଲାଣି। ହେଲେ ରାଜ୍ୟ ପୁଲିସ ବାହିନୀ ଏହି ନିଖୋଜ ଝିଅ ବିଷୟରେ ସନ୍ଧାନ ନେଇପାରିଲେ ନାହିଁ। ନ୍ୟାୟ ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ୍‌ପି, ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମନାରେ ଧାରଣା ଦେଇଥିଲେ। ସବୁଠି କେବଳ ପ୍ରତିଶ୍ରୁତି ଦିଆଯାଇଥିଲା। ଯାଜପୁର ଏସପି ପିହୁ ପରିବାରକୁ ବାରମ୍ବାର ଭେଟି ସ୍ବତନ୍ତ୍ର ଟିମ୍‌ ଜରିଆରେ ତଦନ୍ତ ଚାଲିଥିବାର କହିଥିଲେ ହେଁ ଆଜି ପର୍ଯ୍ୟନ୍ତ ଝିଅର ସନ୍ଧାନ ପାଇପାରିଲେ ନାହିଁ। ଶେଷରେ ପିହୁର ପୋଷ୍ଟର ଲଗାଇବା ସହ ଘର ପାଖ ପୋଖରୀ ଶୁଖାଇଥିଲା ପୁଲିସ। ସବୁ ଆଡୁ ନିରାଶ ହେବା ପରେ ପିହୁର ମା’ ଆଜି ଶେଷଥର ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଛନ୍ତି।

ଅନ୍ୟପଟେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପୁଲିସ ଏନେଇ କାର୍ଯ୍ୟ କରୁଥିବା କହିଥିଲେ। ପିହୁ ପରିବାର ଆଉ ପ୍ରଶାସନ କିମ୍ବା ପୁଲିସ କଥାକୁ ବିଶ୍ବାସ ନକରି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଦିଲ୍ଲୀରେ ସଂସଦ ଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର