ବାଣଫୁଟା ଓ ବିକ୍ରି ଉପରେ କଟକଣା ପାଇଁ ଜନସ୍ୱାର୍ଥ ମାମଲା

କଟକ : ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ବାଣ ଫୁଟିବା ଦ୍ୱାରା ପରିବେଶ ଉପରେ ଭୟଙ୍କର କୁପ୍ରଭାବ ପଡୁଛି। ଦୀପାବଳି ଉତ୍ସବ ଉତ୍ସାହ ଭିତରେ ପାଳନ କରାଯାଉଥିବା ବେଳେ ମଜା ପାଇଁ ଲୋକମାନେ ବାଣ ଫୁଟାଇଥାନ୍ତି। ବାଣ ଫୁଟାଇବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ହୋଇଥାଏ। ଅଧିକରୁ ଅଧିକ ବାଣ ଓ ଶକ୍ତିଶାଳୀ ବାଣ ଫୁଟାଇବା ଏକ ପ୍ରକାର ପରମ୍ପରାରେ ପରିଣତ ହୋଇଛି। କିନ୍ତୁ ବାଣ ଫୁଟାଇବା ଦ୍ୱାରା ପରିବେଶ ସଂପୂର୍ଣ୍ଣ ଭାବେ ପ୍ରଦୂଷିତ ହେଉଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ବାଣ ଫୁଟା ଦ୍ୱାରା ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଲୋକଙ୍କ ଧନଜୀବନ ହାନି ହେଉଥିବା ବେଳେ ପଶୁପକ୍ଷୀମାନେ ମଧ୍ୟ ଏହାର କୁପ୍ରଭାବରୁ ବାଦ ପଡୁ ନାହାନ୍ତି। ଏପରି ପରିସ୍ଥିତିରେ ବାଣ ଫୁଟାଇବା ଉପରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଙ୍କୁଶ ଜାରି କରାଯିବା ଉଚିତ।

ଦିଲ୍ଲୀରେ ବାଣ ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହ ସମଗ୍ର ରାଜ୍ୟରେ ଯେଉଁ ସବୁ ବ୍ୟବସାୟୀଙ୍କୁ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯାଉ ବୋଲି ସେ ଆବେଦନ କରିଛନ୍ତି। ଦୀପାବଳି ଉତ୍ସବକୁ ଦୀପ ଜାଳି ଲୋକମାନେ ପାଳନ କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଦାୟର ଆବେଦନରେ ରାଜ୍ୟ ଆଇନ ସଚିବ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର