+୨ ବିଜ୍ଞାନ ପରୀକ୍ଷା ଫଳ : କମିଲା ପାସ୍‌ ହାର, ବିଜେବି କଲେଜ ଛାତ୍ର ଭବାନୀ ଶଙ୍କର ଟପର୍‌

ବାଲେଶ୍ବର ଆଗରେ, ଗଜପତି ଜିଲ୍ଲା ପଛରେ, ୯୦% ଉପରେ ୬୦ ଜଣ ପରୀକ୍ଷାର୍ଥୀ, ୯ କଲେଜରେ ‘ଶୂନ’, ୨୯ରେ ସମସ୍ତେ ପାସ୍‌

ଭୁବନେଶ୍ବର : ମାଟ୍ରିକ୍‌ ପରେ ଯୁକ୍ତ୨ ବିଜ୍ଞାନରେ ବି କମିଲା ପାସ୍‌ହାର। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ସାଙ୍ଗକୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା, ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା, ମୋବାଇଲ୍‌ କଟକଣା ଯୋଗୁଁ ଲଗାତାର ଦ୍ବିତୀୟ ବର୍ଷ ଲାଗି ପାସ୍‌ହାର ହ୍ରାସ ପାଇଛି। ୨୦୧୭ରେ ବିଜ୍ଞାନରେ ପାସ୍‌ହାର ୮୧.୧୧% ରହିଥିଲା। ୨୦୧୮ରେ ୭୬.୯୮%କୁ ଖସିଥିଲା। ଏଥର ଆହୁରି ୪ ପ୍ରତିଶତ ହ୍ରାସ ପାଇ ୭୨.୩୩% ପହଞ୍ଚିଛି।

ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୯୭ହଜାର ୭୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ ହଜାର ୭୦୬ ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ୮୭ ହଜାର ୩୭୩ ଜଣ ପରୀକ୍ଷା ଦେଇଥିବା ବେଳେ ୬୬ ହଜାର ୩୧୯ ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୧୦ ହଜାର ୩୩୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ହଜାର ୩୮୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ରେଗୁଲାରରେ ପାସ୍‌ହାର ୭୫.୯୦% ଓ ଏକ୍ସ-ରେଗୁଲାରରେ ୪୨.୨୭% ରହିଛି।

ବାଲେଶ୍ବର ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୬.୫୬% ରହିଛି। ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦% ରହିଛି। ଗତବର୍ଷ କୌଣସି ଗୋଟିଏ ବି କଲେଜ ‘ଶୂନ’ ରେଜଲ୍ଟ କରି ନ ଥିଲେ। ଏଥର ରାଜ୍ୟର ୯ଟି କଲେଜର ରେଜଲ୍ଟ ‘ଶୂନ’ ହୋଇଛି। ୨୯ଟି କଲେଜ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ୪୦୬ ଜଣ ପରୀକ୍ଷାର୍ଥୀ କପି କରି ଏମ୍‌ପି(ମାଲପ୍ରାକ୍ଟିସ୍‌) ହୋଇଛନ୍ତି। କମ୍ପାର୍ଟ‌ମେଣ୍ଟାଲ୍‌ରେ ୬୩୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ମାତ୍ର ୩ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି।

ଭୁବନେଶ୍ବରସ୍ଥିତ ବିଜେବି କଲେଜର ଛାତ୍ର ଭବାନୀ ଶଙ୍କର ପଟ୍ଟନାୟକ ୬୦୦ରୁ ୫୫୯ ମାର୍କ ରଖି ରାଜ୍ୟରେ ଟପର‌୍‌ ହୋଇଛନ୍ତି। ୯୭ ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ସେହି ବିଜେବି କଲେଜର ଛାତ୍ରୀ ଶୁଭଶ୍ରୀ ମହାରଣା ୫୫୮ ନମ୍ବର ରଖି ଦ୍ବିତୀୟ, ଜୁପିଟର ସାଇନ୍ସ କଲେଜର ଛାତ୍ର ଅଂଶୁମାନ କର ୫୫୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଟପ୍‌ ୧୦ ତାଲିକାରେ ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ପାସ୍‌ହାର ଲଗାତାର ଭାବେ ହ୍ରାସ ପାଉଥିଲେ ମଧ୍ୟ ମେଧାବୀଙ୍କ ସ˚ଖ୍ୟା କିନ୍ତୁ ବଢ଼ିଚାଲିଛି। ଗତ ୩ ବର୍ଷ ତୁଳନାରେ ଏଥର ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୨୦୧୬ରେ ୪୩ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ୨୦୧୭ରେ ୨୭, ୨୦୧୮ରେ ୪୧ ଜଣ ରହିଥିଲେ। ଏଥର ଏହି ସଂଖ୍ୟା ୬୦ରେ ପହଞ୍ଚିଛି। ୧୮୭୨ ଜଣ ପରୀକ୍ଷାର୍ଥୀ ୮୦ରୁ ୮୯% ମଧ୍ୟରେ ମାର୍କ ରଖିଛନ୍ତି। ସେହିପରି ୫,୮୮୫ ଜଣ ଛାତ୍ରଛାତ୍ରୀ ୭୦ରୁ ୭୯% ମଧ୍ୟରେ ମାର୍କ ରଖିଛନ୍ତି।

ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ଗତବର୍ଷ ତୁଳନାରେ ବଢ଼ିଛି। ୨୦୧୮‌ରେ ୧୯ ହଜାର ୫୬୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଏଥର ୨୦ ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଗତବର୍ଷ ୨୪ ହଜାର ୧୬୪ ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଏଥର ତାହା ହ୍ରାସ ପାଇ ୨୩ ହଜାର ୯୦୪‌ରେ ପହଞ୍ଚିଛି। ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ପାସ୍‌ କରିଛନ୍ତି। କମ୍ପାର୍ଟମେଣ୍ଟାଲ ଦେବା ଲାଗି ୬୩୬ ଜଣ ରହିଛନ୍ତି।

ଏଥର ବି ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରିଛନ୍ତି। ଚଳିତବର୍ଷ ୫୬ ହଜାର ୯୦୧ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୪୦ ହଜାର ୫୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୦.୩୯% ରହିଛି। ୧୧,୮୯୭ ଜଣ ପ୍ରଥମ, ୧୨,୫୯୪ ଜଣ ଦ୍ବିତୀୟ ଓ ୧୫,୨୩୬ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୪୦ ହଜାର ୮୪୯ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୦ ହଜାର ୬୪୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୫.୦୨% ରହିଛି। ୮ ହଜାର ୯୦୯ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୧୧ ହଜାର ୩୧୦ ଦ୍ବିତୀୟ ଓ ୧୦ ହଜାର ୧୨୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ଅନୁସୂଚିତ ଜାତି ବର୍ଗର ୧୨ ହଜାର ୩୯୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮ ହଜାର ୯୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୬୫.୨୧% ରହିଛି। ୪୭୬୮ ଜଣ ଛାତ୍ର ଓ ୩,୩୯୩ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୧୩ ହଜାର ୫୩୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬,୮୪୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୧.୯୦% ରହିଛି। ପରୀକ୍ଷା ଦେଇଥିବା ୬,୮୧୪ ଜଣ ଛାତ୍ରଙ୍କ ମଧ୍ୟରୁ ୩,୪୬୨ ଜଣ ପାସ୍‌ କରିଛନ୍ତି। ୬,୩୬୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩,୪୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଭୁବନେଶ୍ବର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର