ଫଳକ ପୋତି, ବିଜ୍ଞାପନ ଦେଲେ ବିକାଶ ହୁଏନି: ନିରଞ୍ଜନ

ମୋଦୀଙ୍କ ବିମାନ ବନ୍ଦର, ସାର କାରଖାନା ଉଦ୍‌ଘାଟନ ପ୍ରସଙ୍ଗ

ଭୁବନେଶ୍ୱର : କେବଳ ପ୍ରକଳ୍ପ ଫଳକ ପୋତି ଗଣମାଧ୍ୟମରେ ବିଜ୍ଞାପନ ଦେଲେ ଦେଶର ବିକାଶ ହୁଏନାହିଁ। ସେଥିପାଇଁ ଉପଯୋଗୀ ଯୋଜନା ପ୍ରସ୍ତୁତି ଏବଂ ତାହାର ରୂପାୟନ ଲୋଡ଼ା ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହିତ ତାଳଚେରଠାରେ ସାର କାରଖାନାର ପୁନଃନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଯେଉଁ ବିଜ୍ଞାପନ ଦିଆଯାଇଛି, ତାହାକୁ ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି।

ଏକ ପ୍ରେସ୍‌ ବିବୃତିରେ ସେ କହିଛନ୍ତି, ୧୯୯୯ରେ ତତ୍କାଳୀନ ଏନଡିଏ ସରକାର ତାଳଚେର ସାର କାରଖାନା ବନ୍ଦ କରିବାକୁ ଆଦେଶ ଦେଇଥିଲେ। କର୍ମଚାରୀଙ୍କୁ ୨୦୦୨ରେ ଭିଆରଏସ୍‌ ଦିଆଗଲା। ୨୦୦୪ରେ ଉପା ସରକାର କ୍ଷମତାକୁ ଆସିବାପରେ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ୨୦୦୯ରେ ପଦକ୍ଷେପ ନିଆଯାଇଥିଲା। ପ୍ଲାଣ୍ଟର ପୁନରୁଦ୍ଧାର ନେଇ ୨୦୧୨ରେ ଘୋଷଣା କରାଗଲା। କିନ୍ତୁ ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରେ ତାହା କରାଗଲା ନାହିଁ। ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଇବା ସକାଶେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ୨୦୧୬ ନଭେମ୍ବରରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଘୋଷଣା କରାଗଲା। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ତାହାର ଶୁଭ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆସୁଛନ୍ତି। ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦରକୁ ୨୦୧୨ରେ ମଧ୍ୟ ଏଠାରୁ ବ୍ୟାବସାୟିକ ଭାବରେ ବିମାନ ଚଳାଚଳ କରିଥିଲା। ଏବେ ସେହି ବିମାନ ବନ୍ଦର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ, ତାଙ୍କ ଦଳର ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ଯେଉଁଭଳି ବାହାଦୂରୀ ନେବାକୁ ଚାହୁଁଛନ୍ତି, ତାହା ଓଡ଼ିଶାବାସୀ ଭଲ ଭାବରେ ଜାଣନ୍ତି।

ସମ୍ବନ୍ଧିତ ଖବର