ବ୍ରହ୍ମପୁର ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର: ପୁଲିସ-ଡ୍ରାଇଭର ଖଣ୍ଡଯୁଦ୍ଧ

ଠେଙ୍ଗା, ପଥର ମାଡ଼ରେ ଏସ୍‌ଡିପିଓ, ଆଇଆଇସି ଆହତ

ଛତ୍ରପୁର/ବ୍ରହ୍ମପୁର/ଗୋପାଳପୁର : ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ ଗୁରୁବାର ଦିନ ଉଗ୍ରରୂପ ନେଇଛି। ବ୍ରହ୍ମପୁର ସହର ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୁଲିସକୁ ଗୋଡ଼ାଇଗୋଡ଼ାଇ ପିଟିଛନ୍ତି। ପଥର ଫିଙ୍ଗି ଲହୁଲୁହାଣ କରିଛନ୍ତି। ଏସ୍‌ଡିପିଓ, ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି।

ଆନ୍ଦୋଳନକାରୀମାନେ ବ୍ରହ୍ମପୁର ସହରର ବିଭିନ୍ନ ପ୍ରବେଶପଥରେ ଆନ୍ଦୋଳନ ଜାରି ରଖିଥିଲେ। ଦଳଦଳ ହୋଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଗାଡ଼ି ଅଟକାଇ ରାସ୍ତା ଅବରୋଧ କରିବାରୁ ପୁଲିସ ସେମାନଙ୍କୁ ବାରଣ କରିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ବଳ ପ୍ରୟୋଗ କରିବାକୁ ଉଦ୍ୟମ କରିବାରୁ ‌ଜଗନ୍ନାଥପୁର ଛକରେ ହଠାତ୍‌ ଡ୍ରାଇଭର୍‌ମାନେ ଉଗ୍ର ହୋଇ ଉଠିଥିଲେ। ହାତରେ ଠେଙ୍ଗା ଓ ପଥର ଧରି ପୁଲିସକୁ ଆକ୍ରମଣ କରିଥିଲେ। ଏପରିକି କିଛି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇଗୋଡ଼ାଇ ପିଟିଥିଲେ। ପଥର ମାଡ଼ କରିବାରୁ ପୁଲିସ ଫୋର୍ସ ଜୀବନରକ୍ଷା କରିବାକୁ ଯାଇ ଛତ୍ରଭଙ୍ଗ ଦେଇଥିଲା। ସେମାନେ ପୁଲିସ ଗାଡ଼ି ଭଙ୍ଗାରୁଜା କରି ଜାତୀୟ ରାଜପଥରେ ଆତଙ୍କରାଜ ସୃଷ୍ଟି କରିଥିଲେ। ସେମାନଙ୍କୁ ଆୟତ୍ତ କରିବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ପୁଲିସ ବଡ଼କଷ୍ଟରେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା। କେତେକ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି।

ଡ୍ରାଇଭର୍‌ଙ୍କ ଆକ୍ରମଣରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏସ୍‌ଆଇ ଜୟଚନ୍ଦ୍ର ମଲ୍ଲିକ, ଏସ୍‌ଆଇ ମହେନ୍ଦ୍ର ବେହେରା, ଜଗନ୍ନାଥପୁର ଛକ ବିଟ୍‌ ହାଉସ୍‌ ଇନ୍‌ଚାର୍ଜ ଏଏସ୍‌ଆଇ ଅରୁଣ ରାଉତ, କନେଷ୍ଟବଳ ଅକ୍ଷୟ ରଇତଙ୍କ ସମେତ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌., ଗଞ୍ଜାମ ଏସ୍‌.ପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କିଛି ଡ୍ରାଇଭର୍‌ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ବେଳକୁ ଉଭୟ ପୁଲିସ ଓ ଡ୍ରାଇଭରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ସମ୍ବନ୍ଧିତ ଖବର