ପାଟଣା ଥାନାରେ ଆଇଆଇସିଙ୍କ ଥାର୍ଡ ଡିଗ୍ରି : ଯୁବକଙ୍କୁ ଠେଙ୍ଗାରେ ପିଟିଲେ, ଗୋଇଠା ମାରିଲେ

ପାଟଣା : କେନ୍ଦୁଝର ଜିଲ୍ଲାରେ ପୁଲିସ ନିର୍ଯାତନାର ଆଉଏକ କାରନାମା ସାମ୍ନା‌କୁ ଆସିଛି। ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଠେଙ୍ଗାରେ ନିସ୍ତୁକ ମାଡ଼ ମାରୁଛନ୍ତି। ସେତିକିରେ ବି ମନ ନବୁଝିବାରୁ ତାଙ୍କୁ ତଳେ ପକାଇ ଗୋଇଠା ମାରି ଚାଲିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ଆଜି ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ମାଡ଼ ଖାଇଥିବା ଯୁବକଜଣକ ହେଲେ ପାଟଣା ଥାନା ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ଓରଫ ରାଜୁ ମହାନ୍ତ (୨୨)। ତାଙ୍କୁ ଥାନାରେ ମାଡ଼ ମରାଯିବାର କାରଣ ଏକ ଜମିବାଡ଼ି ବିବାଦ ବୋଲି କୁହାଯାଉଛି। ଅପରପକ୍ଷେ ଆଜି ସନ୍ଧ୍ୟାରେ ଭିଡିଓ ଭାଇରାଲ ହେଲା ପରେ କେନ୍ଦୁଝର ଏସ୍‌ପିଙ୍କ ଟ୍ବିଟର ପୃଷ୍ଠାରେ ଘଟଣାର ତଦନ୍ତ ଦାୟିତ୍ବ ଘଟଗାଁ ଏସ୍‌ଡିପିଓଙ୍କ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା। କୌଣସି ପରିସ୍ଥିତିରେ ବି ହାଜତରେ ହିଂସାତ୍ମକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଦର୍ଶାଯାଇଛି।

ଆଜି ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପାଟଣା ଥାନାକୁ ଆସି ଘଟଣାର ତଦନ୍ତ କରିଛନ୍ତି। ତାଙ୍କ କହିବା ଅନୁସାରେ, ଭିଡିଓଟି ୫୫ ଦିନର ପୁରୁଣା। ଗତ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଏକ ଜମିବାଡ଼ି ମାମଲା ଦାଏର ହୋଇଥିଲା। ତାଳସରୁଆ ଗ୍ରାମର ଲଷ୍ମୀଧର ମହାନ୍ତଙ୍କୁ ସେହି ଗାଁର ଯୁବକ ଚିତ୍ତରଞ୍ଜନ ଓରଫ ରାଜୁ ମହାନ୍ତଙ୍କ ସମେତ କଂଗ୍ରେସ ମହାନ୍ତ, ଗୁରୁଚରଣ ମହାନ୍ତ, ଚୈତନ୍ୟ ମହାନ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଲକ୍ଷ୍ମୀଧରଙ୍କ ପତ୍ନୀ ଗାନ୍ଧାରୀ ମହାନ୍ତ ଥାନାରେ ଅଭିଯୋଗ କରିଥିଲେ। ଏହି ୪ ଜଣଙ୍କୁ ଥାନାକୁ ଆଣି ଥାନା ଅଧିକାରୀ ପଚାରଉଚରା କରିଥିଲେ। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନରେ କେସ୍‌ ନମ୍ବର ୫୧/୨୫.୩.୨୦୨୦ ରୁଜୁ ହୋଇଥିଲା। ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି। ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଅପରପକ୍ଷେ ଅନ୍ୟ ଏକ ଭିଡିଓରେ ରାଜୁଙ୍କ କହିବା ଅନୁସାରେ ତାଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଥିଲା। ତାଙ୍କ ଗୋଡ଼ହାତ ଫୁଲିଯାଇଥିଲା। ସେ ଦୀର୍ଘଦିନ ଧରି ଠିକ୍‌ ଭାବେ ଚଲାବୁଲା କରିପାରିନଥିଲେ।

ସମ୍ବନ୍ଧିତ ଖବର