ମାମଲା ରଫାଦଫା କରିବାକୁ ୧୫ ହଜାର ନେଉଥିଲେ ପୁଲିସ ବାବୁ, ଭିଜିଲାନ୍ସ ହାତରେ ଧରାପଡ଼ିଲେ

ବୌଦ୍ଧ: ଏକ ଅପରାଧିକ ମାମଲାର ରଫାଦଫା କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ପୁଲିସ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସଦର ଥାନା ଅନ୍ତର୍ଗତ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଭିଜିଲାନ୍ସ ବିଭାଗ ଶ୍ରୀ ପ୍ରଧାନଙ୍କ ଅଫିସ ଡ୍ରୟରରୁ ଲାଞ୍ଚ ନେଇଥିବା ୧୫ ହଜାର ଟଙ୍କା ଜବତ କରିଛନ୍ତି।

ଅଭିଯୋଗ ଅନୁସାରେ ବୌଦ୍ଧ ସହର ନୂଆସାହିର ସ୍ବପ୍ନେଶ୍ବର ଖୁଣ୍ଟିଆଙ୍କ ବୈଜୟନ୍ତୀ ଏଗ୍ରୋ ମେସିନାରି ନାମରେ ଏକ ଦୋକାନ ରହିଛି। ତାଙ୍କ ନିକଟରେ କାମ କରୁଥିବା ମନୋଜ ପ୍ରଧାନ ନାମକ କର୍ମଚାରୀ ତିନି ଲକ୍ଷ ଟଙ୍କା ହଡ଼ପ କରିଥିଲା। ପୁଲିସ ତାଙ୍କ ଅଭିଯୋଗ ନରଖିବାରୁ ବୌଦ୍ଧ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟରେ ୨୯.୮.୨୨ରେ ଆସିସି-୨୨/୨୨ରେ ମାମଲା ରୁଜୁ କରି ବୌଦ୍ଧ ଆଦର୍ଶ ଥାନା ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେସ ନଂ ୩୧୩/୨୨ରେ ମାମଲା ରୁଜୁ କରାଯାଇଥିବା ବେରଳେ ଥାନାର ଏଏସଆଇ ତଥା ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଏଏସଆଇ ଶ୍ରୀ ପ୍ରଧାନ ଗୁରୁବାର ଅଭିଯୋଗକାରୀ ଶ୍ରୀ ଖୁଣ୍ଟିଆଙ୍କୁ ଡାକିଥିଲେ। ୧୫ ହଜାର ଟଙ୍କା ଦାବି କରି କେସକୁ ତାଙ୍କ ସପକ୍ଷରେ କରିବେ ବୋଲି କହିଥିଲେ। ଏହାପରେ ଶ୍ରୀ ଖୁଣ୍ଟିଆ ବ୍ରହ୍ମପୁର ଭିଜିଲ୍ଲାନ୍ସ ଅଫିସ ସହ ଯୋଗାଯୋଗ କରିଥିଲେ। ପୂର୍ବ ସୂଚନା ଅନୁସାରେ ଆଜି ଅପରାହ୍ନ ୩ଘ ୧୫ ମିନିଟରେ ଶ୍ରୀ ଖୁଣ୍ଟିଆ ଜହ୍ନାପଙ୍କ ଫାଣ୍ଡିକୁ ଯାଇ ଟଙ୍କା ଦେଇଥିଲେ। ଟଙ୍କା ଗ୍ରହଣ କରି ଡ୍ରୟରରେ ରଖିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳ ମାଡ଼ି ବସିଥିଲେ। ଡ୍ରୟରରୁ କେମିକାଲ ବୋଳା ୩୦ଟି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି। ଏଏସଆଇ ଭଡ଼ାରେ ରହୁଥିବା ବୌଦ୍ଧ ସହର ସଂଲଗ୍ନ ମାଉଲସିଙ୍ଗାସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର