ସମିତି ସଭ୍ୟଙ୍କ ଆଇନ ଅମାନ୍ୟ ଆନ୍ଦୋଳନ : ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ

୨ ମହିଳା ସଦସ୍ୟାଙ୍କ ସମେତ ୧୬ ଆହତ, ୨୭ ଗିରଫ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଛି ଲୋୟର ପିଏମ୍‌ଜି। ଅଧିକାର ସାବ୍ୟସ୍ତ ପାଇଁ ସମଗ୍ର ରାଜ୍ୟରୁ ଆସିଥିବା ପାଖାପାଖି ୨ ହଜାର ସମିତି ସଭ୍ୟ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିବା ବେଳେ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଶୋଭାଯାତ୍ରାରେ ଆସି ଏହି ଜନନେତାମାନେ ପୁଲିସ୍‌ ବାରିକେଡ୍‌ ଡେଇଁ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ପିଟିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲାଠିମାଡ଼ ଯୋଗୁଁ ତଳେ ପଡ଼ି ୨ ଜଣ ମହିଳା ସମିତି ସଦସ୍ୟାଙ୍କ ସମେତ ୧୬ ଆହତ ହୋଇଛନ୍ତି। ପ୍ରବଳ ଖରାରେ ତଳେ ପଡ଼ିଯିବାରୁ ଦୁଇଜଣ ବେହୋସ ହୋଇ ଯାଇଛନ୍ତି। ଧସ୍ତାଧସ୍ତିରେ ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସଦସ୍ୟମାନେ ଭୟରେ ଛତ୍ରଭଙ୍ଗ ଦେବା ପରେ ପୁଲିସ ଧାରଣାସ୍ଥଳକୁ ଯାଇ ସଭାପତି ଶରତ ଖିଲାରଙ୍କ ସମେତ ୨୭ ଜଣଙ୍କୁ ଗିରଫ କରି ଆଣିଛି। ନରସିଂହପୁର ବ୍ଲକ୍‌ର ସୁକାନ୍ତ ବେହେରା, ବାଙ୍କି ତୁଳସୀପୁରର ପ୍ରମିଳା ପ୍ରଧାନ, ଉପସଭାପତି ଗୋପବନ୍ଧୁ ସ୍ୱାଇଁ, ସଂଗଠନ ସମ୍ପାଦକ ରଞ୍ଜନ ଦାସ ପ୍ରମୁଖ ଗୁରୁତର ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତିି କରାଯାଇଛି। ଏହି ଲୋକପ୍ରତିନିଧିମାନେ ଟେକା ମାଡ଼ କରିବାରୁ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଏଭଳି କରିଛି ବୋଲି କହିଥିବା ବେଳେ ଆନ୍ଦୋଳନରତ ସଦସ୍ୟମାନେ କୌଣସି ପ୍ରକାରର ଆକ୍ରମଣ କରିନଥିବା କହିଛନ୍ତି।

ଅନ୍ୟପଟେ ଆଜିର ଏଭଳି ମୁହାଁମୁହିଁ ପରେ ବି ଧାରଣା ଜାରି ରହିଛି। ଶତାଧିକ ସଦସ୍ୟ ଧାରଣାସ୍ଥଳରେ ବସି ରହିଛନ୍ତି। ପୁଲିସ୍‌ର ଏଭଳି ଲାଠିମାଡ଼କୁ ସଦସ୍ୟମାନେ ତୀବ୍ର ନିନ୍ଦା କରିବା ସହ ମାଡ଼ ପୁଲିସର ନୁହେଁ, ବରଂ ସରକାରଙ୍କର ବୋଲି ମତ ଦେଇଛନ୍ତି। ସଭାପତିଙ୍କ ସମେତ ସାଧାରଣ ସମ୍ପାଦକ ସୁକାନ୍ତ ସାମଲ, ସମ୍ପାଦକ ନିତ୍ୟାନନ୍ଦ ବେହେରା, ଉପଦେଷ୍ଟା ଧୀରେନ୍ଦ୍ରନାଥ ବେହେରା, ଉପସଭାପତି ପାର୍ବତୀ ହେମ୍ବ୍ରମ, ବିଶ୍ୱନାଥ ବାରିକ, ବିକାଶ ପରିଡ଼ା, ଅନୀଲ ସାହୁ, ଧନେଶ୍ୱର ନାଥ, ଅକ୍ଷୟ ଦଳାଇ ପ୍ରମୁଖ ଗିରଫ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ସେମାନଙ୍କ ସହ ଆଲୋଚନା କରାଯାଇ ନାହିଁ କିମ୍ବା ଆନ୍ଦୋଳନକାରୀଙ୍କୁ ଛଡ଼ା ଯାଇ ନାହିଁ। ଫଳରେ ଏହି ଜନପ୍ରତିନିଧିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାତି ସୁଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ପଞ୍ଚାୟତିରାଜର ତ୍ରିସ୍ତରୀୟ ଶାସନ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥିଲେ ମଧ୍ୟ ପଞ୍ଚାୟତ ସମିତି ସଭ୍ୟମାନଙ୍କୁ ଅବହେଳା କରାଯାଇଛି। କେବଳ କାଗଜପତ୍ରରେ କ୍ଷମତାସୀନ କରାଯାଇଥିବା ବେଳେ ବାସ୍ତବରେ ସେମାନଙ୍କୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ କରାଯାଉ ନାହିଁ। ଏଣୁ ପଞ୍ଚାୟତ ସମିତିରେ କାମ ହେବା ପାଇଁ ହେଉଥିବା ଖର୍ଚ୍ଚ ପାଇଁ ସରପଞ୍ଚ ଓ ସମିତିସଭ୍ୟଙ୍କ ଯୁଗ୍ମ ଦସ୍ତଖତରେ ଟଙ୍କା ଉଠିବା, ଭତ୍ତା ୧୮୮୦ରୁ ୩୦ ହଜାର ହେବା, ୫ ବର୍ଷ ପରେ ପେନସନ ପାଇବା, ପଞ୍ଚାୟତରେ ସରପଞ୍ଚ ଯେଭଳି ମତଦାନର ଅଧିକାର ଉପଭୋଗ କରୁଛନ୍ତି ସେଭଳି ଏହି ସଭ୍ୟମାନଙ୍କୁ ଦେବା ଦାବିରେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟସଭ୍ୟା ଗତ ୧୯ ତାରିଖରୁ ରାଜଧାନୀରେ ଧାରଣା ଦେଇଛନ୍ତି। ଗତ ୨୩ ତାରିଖରେ ରାଜସ୍ୱ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ସଭ୍ୟମାନେ ଆଜି ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଚରମ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର