ସିଏଜି ରିପୋର୍ଟ:ବିଜୁ ପକ୍କାଘର, ଆବାସ ଯୋଜନା ବାଟବଣା

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଭଳି ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ଏସବୁ ଯୋଜନା ବାବଦରେ ଯେଉଁସବୁ ଆର୍ଥିକ ଏବଂ ଗୃହ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା ତାହାକୁ ପଞ୍ଚାୟତିରାଜ ବିଭାଗ ହାସଲ କରିପାରି ନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬୮୮ କୋଟି ଟଙ୍କା ଉପଯୋଗର ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ବାବଦରେ ୫୫ ପ୍ରତିଶତ ( ୯୨୩ କୋଟି ଟଙ୍କା) ଖର୍ଚ ହୋଇଛି। ତେବେ ବାସ୍ତବ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗର ପ୍ରଦର୍ଶନ ଶୋଚନୀୟ ରହିଛି। ୩,୯୬,୧୦୨ଟି ଗୃହ ନିର୍ମାଣ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିବାବେଳେ ଏ ବାବଦରେ ମାତ୍ର ୩୪୩ଟି ୟୁନିଟ୍‌ ଗୃହ ନିର୍ମାଣ ହୋଇଛି, ଯାହାକି ସିଏଜି ଶୂନ ପ୍ରତିଶତ ଲକ୍ଷ୍ୟ ହାସଲ ବୋଲି ଦର୍ଶାଇଛନ୍ତି।
ସେହିଭଳି ବିଜୁ ପକ୍କା ଘର ଯୋଜନାରେ ୭୦୦ କୋଟି ଟଙ୍କାର ଖର୍ଚ କରିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ଯୋଜନାରେ ୩୯୮ କୋଟି ( ୫୭ ପ୍ରତିଶତ) ଖର୍ଚ ହୋଇଛଇ। ତେବେ ବାସ୍ତବ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଦର୍ଶନ ଖରାପ ରହିଛି। ୬୨,୪୧୬ ୟୁନିଟ ବିଜୁ ପକ୍କା ଘର ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ୨୬୩୬ଟି ବିଜୁ ପକ୍କା ଘର ନିର୍ମାଣ ହୋଇଛି। ମୋଟ ନିର୍ମାଣ ଲକ୍ଷ୍ୟର ଏହା ମାତ୍ର ୪ ପ୍ରତିଶତ ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଓଏମ୍‌ସି ହାତଛଡ଼ା କଲା ୧୮୩୮ କୋଟି
ଭୁବନେଶ୍ୱର, ୨୬/୩(ଇମିସ): ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଅପାରଗତାକୁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ଧରିଛନ୍ତି। ୨୦୧୨ରୁ ୨୦୧୭ ମଧ୍ୟରେ ନିଗମ ଧାର୍ଯ୍ୟ ଖଣିଜ ପଦାର୍ଥର ଉତ୍ପାଦନ ହାସଲ କରିପାରି ନାହିଁ। ଉକ୍ତ ୫ ବର୍ଷ ମଧ୍ୟରେ ୧୧୪.୪୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଲୁହାପଥର ଏବଂ ୨.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ରୋମପଥର କମ୍‌ ଉତ୍ପାଦନ କରିଛି। ଏଥିଯୋଗୁଁ ଓଏମ୍‌ସି ୧୮୩୮ କୋଟି ୯୮ ଲକ୍ଷ ଟଙ୍କାର ରାଜସ୍ୱ ଉପାର୍ଜନ କରିବାର ସୁଯୋଗ ହରାଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି। ବିଧାନସଭାରେ ଆଜି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହୋଇଥିବା ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି।
ଏତଦ୍‌ବ୍ୟତୀତ ଓଏମ୍‌ସିକୁ ପ୍ରଦାନ କରାଯାଇଥିବା ୩୪ଟି ଖଣି ପଟ୍ଟା ମଧ୍ୟରୁ ୨୬ଟି ଅଚଳ ରହିଛି। ବୈଧାନିକ ଅନୁମତିର ଅନୁପସ୍ଥିତି ଓ ମହଜୁଦ ଥିବା ଖଣିଜ ପଦାର୍ଥର ନିର୍ଧାରଣ ହୋଇ ନଥିବା ଯୋଗୁ ଖଣି ଗୁଡ଼ିକ ୭ରୁ ୩୭ ବର୍ଷ ପର୍ଯ୍ୟନ୍ତ ଅଚଳ ରହିଥିଲା। ଖଣି ଗୁଡ଼ିକ ଅଚଳ ରହିଥିଲେ ମଧ୍ୟ ଭଡ଼ା ଏବଂ ଜଗାରଖା ଖର୍ଚ ବାବଦରେ ୫୭ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ ବେକାର ଯାଇଛି।
ଓଏମ୍‌ସି ଏହାର କାର୍ଯ୍ୟକ୍ଷମ ଥିବା ୩ଟି ପ୍ରମୁଖ ଖଣିରେ ଗୋଟିଏ ଲୁହାପଥର ପରିଚାଳନା କାରଖାନା, ଭିତ୍ତିଭୂମି ସୁବିଧା ଏବଂ ଏକ ଯାନ୍ତ୍ରିକ ନିଷ୍କାସନ ପ୍ରଣାଳୀ ସ୍ଥାପନ କରିବାରେ ବିଫଳ ହୋଇଛି। ପ୍ରକଳ୍ପ ଗୁଡ଼ିକ ଶେଷ ନହେବାରୁ ତିନୋଟି ପ୍ରକଳ୍ପ ମଧ୍ୟରୁ ଦୁଇଟି ପ୍ରକଳ୍ପ ପାଇଁ ଧାର୍ଯ୍ୟ ୧୧୮୯ କୋଟି ୯୭ କୋଟି ଟଙ୍କାର ଫାଇଦା ହାସଲ କରି ପାରିନାହିଁ।
ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ୧୫ଟି ଉଦ୍ୟୋଗ ୨୦୧୬-୧୭ ଆର୍ଥିକ ବର୍ଷରେ ୫୦୭ କୋଟି ୩୬ ଲକ୍ଷ ଟଙ୍କାର କ୍ଷତି କରିଛନ୍ତି।
ସିଏଜି ରିପୋର୍ଟରୁ ଏହା ଜଣାଯାଇଛି ଯେ, ୨୦୧୭ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୮୪ଟି ସରକାରୀ ଉଦ୍ୟୋଗ ରହିଥିଲା। ଏଥିରୁ ୫୬ଟି ସରକାରୀ ଉଦ୍ୟୋଗ କାର୍ଯ୍ୟରତ ଥିବାବେଳେ ୨୮ଟି ସରକାରୀ ଉଦ୍ୟୋଗ ନିଷ୍କ୍ରିୟ ରହିଥିଲା। ୮୪ଟି ଉଦ୍ୟୋଗରେ ୧୨,୯୨୦ କୋଟି ୫୦ ଲକ୍ଷ ଟଙ୍କା ନିବେଶ ହୋଇଥିଲା। କିନ୍ତୁ ୨୦୧୭ ସେପ୍ଟେମ୍ବର ୩୦ ସୁଦ୍ଧା କାର୍ଯ୍ୟକ୍ଷମ ଥିବା ସରକାରୀ ଉଦ୍ୟୋଗ ଗୁଡ଼ିକ ୨୧,୫୯୬ କୋଟି ୫୪ ଲକ୍ଷ ଟଙ୍କାର କାରବାର ପଞ୍ଜୀକୃତ କରିଥିଲେ। ତେବେ କାର୍ଯ୍ୟକ୍ଷମ ଥିବା ୫୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩୫ଟି ସରକାରୀ ଉଦ୍ୟୋଗ ୨୦୨୮ କୋଟି ୨୩ ଲକ୍ଷ ଟଙ୍କାର ଲାଭ କରିଥିବାବେଳେ ୧୫ଟି ସରକାରୀ ଉଦ୍ୟୋଗ ୫୦୭ କୋଟି ୩୬ ଲକ୍ଷ ଟଙ୍କାର କ୍ଷତି କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଶତାଧିକ କୋଟିର ରାଜସ୍ୱ ହାନି
ଭୁବନେଶ୍ୱର, ୨୬/୩(ଇମିସ): ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ବାବଦରେ ବିପୁଳ ରାଜସ୍ୱ ହରାଇଛନ୍ତି। ଜମି ବିକ୍ରି ମନ୍ଥର ରହିବା କାରଣରୁ ସରକାରଙ୍କୁ ଏ ବାବଦରେ ୩୬.୭୬ ପ୍ରତିଶତ ରାଜସ୍ୱ ହାନି ହୋଇଛି। ୨୦୧୫-୧୬ରେ ସରକାର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି ବାବଦରେ ୨୧୫୭ କୋଟି ଟଙ୍କା ପାଇଥିବାବେଳେ ୨୦୧୬-୧୭ରେ ଏହା ୧୩୬୪ କୋଟି ଟଙ୍କାକୁ ଖସିଯାଇଛି।
ଷ୍ଟାମ୍ପ ଡ୍ୟୁଟି ଓ ଜମି ପଞ୍ଜୀକରଣ ରାଜସ୍ୱ ତୁଳନାରେ ସରକାର ଅଣ ଲୌହ ଖଣିଜ ସାମଗ୍ରୀ ଏବଂ ଧାତବ ଶିଳ୍ପ କ୍ଷେତ୍ରରେ ଅଧିକ ଅର୍ଥାତ ୮୭୩ କୋଟି ୧୭ ଲକ୍ଷ ଟଙ୍କାର କମ୍‌ ରାଜସ୍ୱ ଆୟ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଲୁହାପଥରର ମୂଲ୍ୟ କମ୍‌ ରହିବା ଯୋଗୁଁ ରାଜ୍ୟ ସରକାରଙ୍କ ରାଜସ୍ୱ ହ୍ରାସ ପାଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସରକାରୀ ସମ୍ପତ୍ତି ବିକ୍ରି ନହୋଇ ପାରିବା ଯୋଗୁଁ ସରକାର ଜମି ରାଜସ୍ୱ ବାବଦରେ ୨୨ ପ୍ରତିଶତ କମ୍‌ ଆଦାୟ କରିଛନ୍ତି। ଏ କ୍ଷେତ୍ରରେ ସରକାର ପୂର୍ବବର୍ଷ ତୁଳନାରେ ୧୨୮ କୋଟି ୮୧ ଲକ୍ଷ ଟଙ୍କା କମ୍‌ ରାଜସ୍ୱ ପାଇଛନ୍ତି। ଜଳ କର ଆଦାୟ ଭଲ ମଧ୍ୟ ଭଲ ନରହିବା ଯୋଗୁ ସରକାର ଆଲୋଚ୍ୟ ଆର୍ଥିକ ବର୍ଷରେ ଏ ବାବଦରେ ୩୨୮ କୋଟି ୭ ଲକ୍ଷ ଟଙ୍କାର କମ୍‌ ଟିକସ ପାଇଛନ୍ତି। ସେହିଭଳି ସୁଧ ରାଜସ୍ୱ ଏବଂ ଜମିଜମା ରାଜସ୍ୱ ବାବଦରେ ରାଜ୍ୟ ସରକାର ଯଥାକ୍ରମେ ୧୩୩ କୋଟି ୨ ଲକ୍ଷ ଏବଂ ୧୨୮ କୋଟି ୮୧ ଲକ୍ଷ ଟଙ୍କା କମ୍‌ ପାଇଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ ତୈଳ ନିଗମ ଭାଟ୍‌ ବାବଦରେ ୧୭୯୬ କୋଟି ଟଙ୍କା ଅଟକାଇ ଦେବା ଦ୍ୱାରା ମଧ୍ୟ ରାଜ୍ୟର ରାଜସ୍ୱ ଆଦାୟ ବାଧାପ୍ରାପ୍ତ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର