ହିଞ୍ଜିଳିରେ ବେଆଇନ ବାଲି ଚାଲାଣ ଓ ଗାଡ଼ି ପୋଡ଼ି ଘଟଣା : ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ, ଥାନା ଆଗରେ ବିକ୍ଷୋଭ, ପଥର ମାଡ଼ରେ ୩ ପୁଲିସ ଆହତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପୁରୁଷୋତ୍ତମପୁର ବ୍ଲକ୍ କୋଳିଦାସପୁର ଗ୍ରାମ ଋଷିକୁଲ୍ୟା ନଦୀ ପଠାରୁ ବେଆଇନ୍‌ ବାଲି ଚାଲାଣର ପ୍ରତିବାଦ ଓ ୬ଟି ଗାଡ଼ିକୁ ଗ୍ରାମବାସୀ ପୋଡ଼ି ଦେବା ଘଟଣାକୁ କେନ୍ଦ୍ର କରି ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ଗତକାଲି ରାତିରେ ପୁଲିସ ଗ୍ରାମର ୫ଜଣଙ୍କୁ ଥାନାକୁ ଉଠାଇ ନେବା ପ୍ରତିବାଦରେ ଥାନା ଆଗରେ ଶତାଧିକ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନତମାମ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗି ରହିଥିବା ବେଳେ ପୁଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡ଼ିଛି। ଗ୍ରାମବାସୀଙ୍କ ଟେକାମାଡ଼ରେ ୩ ପୁଲିସ ମଧ୍ୟ ଆହତ ହୋଇଛନ୍ତି।

ଋଷିକୁଲ୍ୟା ନଦୀପଠାରୁ ଚୋରା ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ମନରେ ପୁଞ୍ଜୀଭୂତ ଅସନ୍ତୋଷ ଶୁକ୍ରବାର ରାତିରେ ଉଗ୍ର ରୂପ ନେଇଥିଲା। ସେମାନେ ବାଲି ନେଇ ଯାଉଥିବା ତିନିଟି ଟିପର୍, ଗୋଟିଏ ଟ୍ରାକ୍ଟର୍, ବାଇକ୍ ଓ ସ୍କୁଟି ଏଭଳି ୬ଟି ଗାଡ଼ିକୁ ପୋଡ଼ିଦେଇଥିଲେ। ଏହାସହ ଏକ ଜେସିବିକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସର ଏକ ଟିମ୍ ଗତକାଲି ରାତିରେ ଗାଁରେ ଚଢ଼ଉ କରି ୫ଜଣଙ୍କୁ ଉଠାଇ ଆଣି ଗିରଫ କରିଥିଲା। ଏହା ଜାଣିବା କ୍ଷଣି ଗ୍ରାମବାସୀ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଶତାଧିକ ଗ୍ରାମବାସୀ ଆଜି ସକାଳ ପ୍ରାୟ ୮ଟାରେ ଥାନା ସମ୍ମୁଖରେ ପହଞ୍ଚି ବନ୍ଦ ହୋଇଥିବା ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରବଳ ହୋହଲ୍ଲା କରିଥିଲେ। ଏପରିକି ଥାନା ସମ୍ମୁଖ ରାସ୍ତାକୁ ଅବରୋଧ କରିଦେଇଥିଲେ। ଥାନାରେ ଥିବା ୫ ଜଣ ଗ୍ରାମବାସୀଙ୍କୁ ଛାଡ଼ିବାକୁ ଜିଦ୍ କରିବା ସହ ବାଲିମାଫିଆ ଓ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କୋଭିଡ୍ ସମୟରେ ଲୋକେ ଆଇନକାନୁନ ନିଜ ହାତକୁ ନେଇ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଲାଗି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ପୋଲିସ ଅଧିକାରୀ ପହଞ୍ଚିଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହ ଗ୍ରାମର କିଛି ମୁଖିଆ ଓ ବୟୋଜ୍ୟେଷ୍ଠଙ୍କ ସହ ଆଲୋଚନା କରି ସମସ୍ୟାର ସଂଗେ ସଂଗେ ସମାଧାନ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା।

ତେବେ ଗ୍ରାମବାସୀ ଏଥିରେ ଶାନ୍ତ ପଡ଼ି ନଥିଲେ। ଥାନା ସମ୍ମୁଖରୁ ଉଠି ପୁଣି ବିଜୁ ପଟ୍ଟନାୟକ ଛକରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ। ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ନିର୍ଯାସ ନ ବାହାରିବାରୁ ପୁଣି ଉତ୍ତ୍ୟକ୍ତ ଗ୍ରାମବାସୀ ଥାନାମୁହାଁ ହୋଇ ଥିଲେ। ପୁଲିସ ଫୋର୍ସ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୫ଜଣଙ୍କୁ ତୁରନ୍ତ ଛାଡ଼ିବା ଜିଦ୍‌ରେ ସେମାନେ ଅଟଳ ଥିଲେ। ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ପ୍ରଥମେ ମୃଦୁ ଲାଠିଚାଳନା ହୋଇଥିଲା। ଏହାର ଜବାବରେ ଗ୍ରାମବାସୀ ପୁଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ। ଏଥିରେ ୩ଜଣ କର୍ମଚାରୀ ଆହତ ହୋଇଥିଲେ। ଶେଷରେ ପୁଲିସ ଗ୍ରାମବାସୀଙ୍କୁ ଗୋଡ଼ାଇ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଶତାଧିକ ଗ୍ରାମବାସୀ ଥାନା ଆଗରୁ ଛତ୍ରଭଙ୍ଗ ଦେଇଥିଲେ। ତାରାତାରିଣୀ ରୋଡ଼୍ ଓ ଥାନା ସାହି ଆଡ଼କୁ ଦୌଡ଼ିଥିବା ଗ୍ରାମବାସୀଙ୍କୁ ପୁଲିସ ଫୋର୍ସ ଗୋଡ଼ାଇଥିଲେ। ଅଧଘଣ୍ଟା କାଳ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲା।

ଶେଷରେ ପରିସ୍ଥିତି ନିୟନ୍ତ୍ରଣରେ ବାହାରକୁ ଚାଲିଯିବାରୁ ପୁଲିସ ଉକ୍ତ ୫ଜଣଙ୍କୁ ଥାନାରୁ ଛାଡ଼ିଦେଇଥିଲା। ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ ଥାନାରେ ପହଞ୍ଚି ସେମାନଙ୍କୁ ଜିମାରେ ନେଇଥିଲେ। ସେହିପରି ଥାନା ଘେରାଉ ସହ ଆଇନ୍ ନିଜ ହାତକୁ ନେବା ଅଭିଯୋଗରେ ପୁଲିସ ନିଜ ଆଡ଼ୁ କେସ୍ ନମ୍ବର ୨୯୦ ଅନୁସା‌‌ରେ ଏକ ମାମଲା ରୁଜୁ କରି ୮ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ଏହି ୮ ଗ୍ରାମବାସୀ ମଧ୍ୟ ଜାମିନ୍‌‌ରେ ମୁକୁଳିଥିଲେ। ଗଞ୍ଜାମ ଏସ୍‌.ପି. ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର