ବିଜେପୁରରେ ପ୍ରାକ୍ ନିର୍ବାଚନୀ ହିଂସା! ବିଜେପି କର୍ମୀଙ୍କୁ ଆକ୍ରମଣ

ଗତ ଉପନିର୍ବାଚନ ବେଳେ ଫୁଟିଥିଲା ଗୁଳି

ବରଗଡ଼/ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ପ୍ରାକ୍ ନିର୍ବାଚନୀ ହିଂସା ବି ଆରମ୍ଭ ହୋଇଯାଇଛି। ଆଜି ବିଜେପୁର ବ୍ଲକ୍‌ ପଡ଼ା ଗାଁରେ ମନୋରଞ୍ଜନ ମେହେର ନାମକ ଜ‌ଣେ ବିଜେପି କର୍ମୀଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ମନୋରଞ୍ଜନ ତାଙ୍କ ଜଣେ ସାଙ୍ଗଙ୍କ ସହ ସୋହେଲାରୁ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ୪/୫ଜଣ ଅଜଣା ଯୁବକ ଅଟକାଇଥିଲେ। ଅଚାନକ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ମନୋରଞ୍ଜନଙ୍କ ହାତ ଏବଂ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ବିଜେପୁର ଡାକ୍ତରଖାନା ଏବଂ ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ କିମ୍ବା ଆକ୍ରମଣକାରୀଙ୍କ ସଂପର୍କରେ କିଛି ସୂଚନା ମିଳିନଥିବା ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି। ତେବେ ମନୋରଞ୍ଜନଙ୍କ ସାଙ୍ଗରେ ଥିବା ବ୍ୟକ୍ତି ଜଣକ ସୁରକ୍ଷିତ ଅଛନ୍ତି।

ଗତ ଉପନିର୍ବାଚନ ବେଳେ ମଧ୍ୟ ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଗତବର୍ଷ ଜାନୁଆରି ୭ ତାରିଖ ପଡ଼ାସ୍ଥିତ ମନୋରଞ୍ଜନଙ୍କ ବାସଗୃହ ଉପରକୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ।  ଗୁଳି ମନୋରଞ୍ଜନଙ୍କ ଘର କବାଟ ଏବଂ କାନ୍ଥରେ ବାଜିଥିଲା। ତେବେ ଏଥିରେ କେହି ଆହତ ହୋଇନଥିଲେ। ଏହି ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ।  ଏବେ ପୁନର୍ବାର ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିବାରୁ ଏହା ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ମାମଲାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହୁଛି।

ସମ୍ବନ୍ଧିତ ଖବର