ଅକ୍ସିଜେନ୍‌କୁ ନେଇ ତାତିଲା ରାଜନୀତି

ନବୀନଙ୍କର କିଛି ଭୂମିକା ନାହିଁ: ବିଜେପି
ସରକାରଙ୍କୁ ଘେରିବା ଲାଗି ବିଜେପିର ପ୍ରସ୍ତୁତି
ସହିପାରୁ ନାହାନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ବର : ‘‘କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ।’’ ସରକାର କୋଭିଡ୍ ଟେଷ୍ଟିଂ ବୃଦ୍ଧି କରିବା ଦରକାର। ଶଯ୍ୟା, ଔଷଧ ଏବଂ ଅକ୍ସିଜେନ୍ ଯୋଗାଣରେ ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ। କେବଳ ସେତିକି ନୁହେଁ, ସଂକ୍ରମଣକୁ ରୋକିବା ଲାଗି ଦୁଆର ଦୁଆର ବୁଲି ଯାଞ୍ଚ କରାଯାଉ।

ସୋମବାର ଦିନ ବିଏମ୍‌ସି କମିସନରଙ୍କୁ ଭେଟି ଭୁବନେଶ୍ବର ଜିଲ୍ଲା ବିଜେପି ପ୍ରତିନିଧି ଦଳ ପକ୍ଷରୁ ଏଭଳି ଦାବିରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ। ଭୁବନେଶ୍ବର ଭଳି ରାଜ୍ୟର ସମସ୍ତ ଜିଲ୍ଲାର ବିଜେପି ସଭାପତିମାନେ ଦଳର ବରିଷ୍ଠ ନେତାଙ୍କୁ ନେଇ ପର୍ଯ୍ୟାୟକ୍ରମେ ଜିଲ୍ଲାପାଳମାନଙ୍କୁ ଭେଟି ଏହି ଦାବି ଦୋହରାଇବେ। କରୋନା ମୁକାବିଲାର ଦୋଷ ତ୍ରୁଟି ସାମ୍ନାକୁ ଆଣି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବେ। ବିଜେପିର ଶୀର୍ଷସ୍ତରରୁ ମିଳିଥିବା ଖବର ଅନୁସାରେ ଏସଂକ୍ରାନ୍ତରେ ରଣନୀତି ଆଜି ଆପାତତଃ ଚୂଡାନ୍ତ ହେବା ପରେ ଭୁବନେଶ୍ବରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

କୋଭିଡ୍ ସଂକ୍ରମିତ ରାଜ୍ୟମାନଙ୍କୁ ଅକ୍ସିଜେନ୍ ଯୋଗାଣରେ କାହାର ଭୂମିକା ଅଧିକ, ଏହାକୁନେଇ ଦୁଇ ଦିନ ଧରି ବୟାନ ବାଜି ଚାଲିଥିବା ବେଳେ ବିଜେପିର ଏଭଳି ପଦକ୍ଷେପ ରାଜନୈତିକ ମହଲରେ ଆଲୋଚନା ପାଇଁ ଖୋରାକ୍‌ ଯୋଗାଇଛି। କେଉଁଠି ନା କେଉଁଠି ସଙ୍କେତ ମିଳୁଛି ଯେ ଆଗକୁ ଏହି ପ୍ରସଙ୍ଗ ନେଇ ବିଜେଡି ଏବଂ ବିଜେପି ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ।

କୋଭିଡ୍ ସଂକ୍ରମିତ ରାଜ୍ୟରେ ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବା ସହିତ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାରଙ୍କୁ ଅକ୍ସିଜେନ୍ ଯୋଗାଣ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତୀ ସମୟରେ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାର ସହଯୋଗ ଲୋଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରମୁଖ ଏଥିପାଇଁ ନବୀନଙ୍କୁ ସାଧୁବାଧ ଜଣାଇଛନ୍ତି।

psuconnect.in

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ସୋମବାର ପୂର୍ବାହ୍ନ ସୁଦ୍ଧା ୬୭ଟି ଟ୍ୟାଙ୍କର ବା କଣ୍ଟେନର ଯୋଗେ ୧୨୬୮ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ୍ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍ବାବଧାନରେ ଆଇନଶୃଙ୍ଖଳା ଏଜିଡି ଯଶୋବନ୍ତ କୁମାର ଜେଠଵା ଏହାର ତଦାରଖ କରୁଛନ୍ତି। ଏକ ସ୍ବତନ୍ତ୍ର କରିଡ଼ର ସୃଷ୍ଟି କରି ଅକ୍ସିଜେନ୍ ଯୋଗାଣ କରାଯାଉଛି। କେଉଁ କେଉଁ କଂପାନି କେତେ ଅକ୍ସିଜେନ୍ ଯୋଗାଣ କରୁଛନ୍ତି, ସେନେଇ ମଧ୍ୟ ସରକାର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ବିଭିନ୍ନ ରାଜ୍ୟକୁ ଓଡ଼ିଶାରୁ ଅକ୍ସିଜେନ୍ ଯୋଗାଣ ନେଇ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ରାଜ୍ୟ ସରକାର ମିଛ ବାହାଦୂରି ନେଉଛନ୍ତି। ଅକ୍ସିଜେନ ଉତ୍ପାଦନ ପାଇଁ ରାଜ୍ୟ ସରକାରଙ୍କ କୌଣସି କାରଖାନା ନାହିଁ। ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ସରକାରଙ୍କ ପିଏସ୍‌ୟୁ(ଷ୍ଟିଲ୍‌) କିମ୍ବା ଘରୋଇ ଷ୍ଟିଲ୍‌ କମ୍ପାନି କରନ୍ତି। ଉଭୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଭିତରେ। ଅକ୍ସିଜେନ୍‌ ଅଭାବ ପୂରଣ କରିବା ପାଇଁ ୪ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ସରକାରୀ ଓ ଘରୋଇ ଷ୍ଟିଲ୍‌ କମ୍ପାନି ଗୁଡ଼ିକୁ ଅନୁରୋଧ କରିଥିଲେ। ତାଙ୍କର ଅନୁରୋଧ କ୍ରମେ ଶିଳ୍ପ ସଂସ୍ଥା ଅକ୍ସିଜେନ୍ ଯୋଗାଉଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବ୍ୟବସ୍ଥା ହୋଇଛି। ଏଥିରେ‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କିଛି ଭୂମିକା ନାହିଁ। ରାଜ୍ୟ ସରକାରଙ୍କ ଦାୟିତ୍ୱ କେବଳ ଅକ୍ସିଜେନ୍‌କୁ ସୀମାନ୍ତରେ ପହଞ୍ଚାଇବା। ଖାଲି ଏତିକି କାମ ପାଇଁ ବାହାଦୂରି ନେବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

ସଂଯୋଗବଶତଃ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ହୋଇଥିବା କାରଣରୁ ଏହି ପ୍ରସଙ୍ଗଟି ରାଜନୈତିକ ରୂପ ନେଇଛି। ଅକ୍ସିଜେନ୍ ଯୋଗାଣରେ ଧର୍ମେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଏକା ପ୍ରଶଂସା ଗୋଟାଇବେ ବୋଲି ରାଜ୍ୟ ବିଜେପି ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିବୃତି ଦେବା ଜାରି ରଖିଛି।

ଏହାକୁ ନେଇ ବିତର୍କ ଶେଷ ହୋଇ ନ ଥିବା ବେଳେ ବିଜେପି ଶୀର୍ଷ ନେତୃତ୍ବ କୋଭିଡ୍ ପରିଚାଳନା ତ୍ରୁଟିବିଚ୍ୟୁତିକୁ ଧରି ସରକାରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ କରୋନା ଦ୍ବିତୀୟ ଲହରର ଅତି ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଦିଲ୍ଲୀରେ ପଜିଟିଭ୍ ହାର ହେଉଛି ପ୍ରତି ତିନିଜଣରେ ଜଣେ। ଏପରିସ୍ଥଳେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଢେର୍ ପଛରେ ଥିବା ଓଡ଼ିଶା କେତେ ପ୍ରସ୍ତୁତ ରହିଛି, ତାହା ଏବେ ସାମ୍ନାକୁ ଆସିବା ଦରକାର।

ରାଜ୍ୟ ବିଜେପି ନେତାମାନେ କହିଛନ୍ତି ଯେ ପଞ୍ଚଦଶ ଅର୍ଥ କମିସନଙ୍କ ରିପୋର୍ଟ ଅନୁସାରେ, ଓଡ଼ିଶାରେ ପ୍ରତି ୧୮୬୪ ଜଣରେ ଜଣେ ଡାକ୍ତର ଅଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୬୬୮୮ ଡାକ୍ତର ଆବଶ୍ୟକ ଥିବା ବେଳେ ୧୩୨୬ ମଞ୍ଜୁରିପ୍ରାପ୍ତ ପଦବି ରହିଛି ଏବଂ ୪୦୯ ପଦବି ଖାଲି। ଜିଲ୍ଲା ହସ୍ପିଟାଲରେ ୧୪୨୭ରୁ ୧୦୯୪ ଡାକ୍ତର ଅଛନ୍ତି ଓ ସବ୍‌ଡିଭିଜନାଲ୍ ହସ୍ପିଟାଲରେ ୫୬୭ରୁ ୩୪୭ ଡାକ୍ତର ଅଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫୨୯ରୁ ୧୨୭୬ ପଦବି ଖାଲି।

ଦିଲ୍ଲୀରେ ସାଢେ ତିନି କୋଟି ଲୋକଙ୍କ ପାଇଁ ୮୮ ହସ୍ପିଟାଲ, ୨୦ ହଜାର ୩୦୮ଟି ଶଯ୍ୟା, ୪୬୪୫ ଆଇସିୟୁ ଥିବା ପରେ ବି ସ୍ଥିତି ଏବେ ଶୋଚନୀୟ। ଓଡ଼ିଶାରେ ସାଢେ ଚାରି କୋଟି ଲୋକଙ୍କ ପାଇଁ ୬୮ଟି ହସ୍ପିଟାଲ, ୮୫୮୦ ଶଯ୍ୟା, ୨୨୪୮ ଆଇସିୟୁ କୋଭିଡ୍ ପାଇଁ ରହିଛି। ଯଦି ଦିଲ୍ଲୀ ସ୍ଥିତି ସୃଷ୍ଟି ହୁଏ, ତେବେ ପରିସ୍ଥିତି କେତେ ଭୀଷଣ ହେବ, ତାହା ଅନୁମେୟ। ପୁଣି ବୌଦ୍ଧ, ନବରଙ୍ଗପୁର ଭଳି ଜିଲ୍ଲାରେ ଆଇସିୟୁ ନାହିଁ ଏବଂ ଅନୁଗୁଳ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଜିଲ୍ଲାରେ ଆଇସିୟୁ ଅତି କମ୍ ସଂଖ୍ୟକ ରହିଛି। ପଶ୍ଚିମ ଓଡ଼ିଶାରେ ଅକ୍ସିଜେନ୍ ଅଭାବ ଅଭିଯୋଗ ଆସିଲାଣି। ସରକାର ଏଭଳି ପରିସ୍ଥିତିକୁ ମୁକାବିଲା କରିବା କଷ୍ଟସାଧ୍ୟ ଜାଣି ଟେଷ୍ଟିଂ ବୃଦ୍ଧି କରୁନାହାନ୍ତି ଏବଂ ଆତ୍ମ ପ୍ରଚାରରେ ବିଭୋର ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ତେବେ ଏହି ପ୍ରସଙ୍ଗରେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ ସାରା ଦେଶକୁ ତରଳ ମେଡିକାଲ ଅକ୍ସିଜେନ୍ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ରାଜ୍ୟ ବିଜେପି ତାହାକୁ ସହିପାରୁନି। ଓଡ଼ିଶାର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ବିଜେପି ନେତ୍ରୀ ଲେଖାଶ୍ରୀ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଛନ୍ତି। ଅକ୍ସିଜେନ୍ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ପରି ରାଜ୍ୟର ଲୋକଙ୍କୁ ଜୀବନ ଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏପରି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏପରି ପ୍ରଶଂସାକୁ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ। ବିଜେପି ନେତ୍ରୀଙ୍କ ବକ୍ତବ୍ୟରୁ ଏହା ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର