ନର୍ଲା କାରଖାନା ନେଇ ତେଜିଲା ରାଜନୀତି

ରେଳମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ଜବାବ
କିଏ ସତ କହୁଛନ୍ତି, ବୟାନବାଜି ଆରମ୍ଭ

କେସିଙ୍ଗା : ନର୍ଲା ରେଳ ଇଞ୍ଜିନ୍‌ କାରଖାନା ନେଇ ରାଜନୀତି ତେଜିଛି। ଜନ ଆଶୀର୍ବାଦ ଯାତ୍ରା ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ନର୍ଲା ରେଳ ଇଞ୍ଜିନ୍‌ ମରାମତି କାରଖାନା ଆରମ୍ଭ ନେଇ ମନ୍ତ୍ରୀ କିଛି ଘୋଷଣା କରିବେ ବୋଲି ଜିଲ୍ଲାବାସୀ ଆଶା ରଖିଥିଲେ। କିନ୍ତୁ ମନ୍ତ୍ରୀ ଜମି ଅଧିଗ୍ରହଣ କଥା କହି ରାଜ୍ୟ ସରକାରଙ୍କ ପାଖକୁ ବଲ୍‌ ଗଡ଼େଇବା ପରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମନ୍ତ୍ରୀଙ୍କ ଏପରି ବକ୍ତବ୍ୟ ପରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ରାଜ୍ୟ ସରକାରଙ୍କ ପକ୍ଷ ରଖି ପାଲଟା ଜବାବ ଦେଇଛନ୍ତି।

ରେଳ ଇଞ୍ଜିନ୍‌ କାରଖାନା ୧୧ ବର୍ଷ ହେଲା ଅନିଶ୍ଚିତତା ମଧ୍ୟଦେଇ ଗତି କରୁଛି। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏଠାକୁ ଗସ୍ତରେ ଆସିଥିବାବେ‌ଳେ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରକଳ୍ପ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଉତ୍ତର ନଦେଇ ଜମି ଅଧିଗ୍ରହଣ କରିଲେ ପ୍ରକଳ୍ପ ଆରମ୍ଭ ହେବ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ବିଜେପି ସାଂସଦ ବସନ୍ତ ପଣ୍ଡା ମଧ୍ୟ ସମାନ ମନ୍ତବ୍ୟ ରଖିଛନ୍ତି। ରେଳମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ଜିଲ୍ଲା ସଭାପତି ଶ୍ରୀ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଜିଲ୍ଲାବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ୧୪୧ ଏକର ଜମି ମିଳିଥିବା ମନ୍ତ୍ରୀ ସଂସଦରେ କହିଥିଲେ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ରର ପ୍ରସ୍ତାବ ଅନୁଯାୟୀ ୩୨୮.୮୧ ଏକର ଜମି ଦରକାର। ଏଥିରୁ ରାଜ୍ୟ ସରକାର ୧୪୧.୦୭ ଏକର ଜମି ଅଧିଗ୍ରହଣ କରି ସାରିଲେଣି। ଯାହାର ରିପୋର୍ଟ କେନ୍ଦ୍ର ରେଳ ବିଭାଗ ପାଖରେ ଅଛି। ବେସରକାରୀ ଜମି ୮୮.୩୫ ଏକର ଅଧିଗ୍ରହଣ ହେବ, ଯାହା ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ ହୋଇଯାଇଛି। ଜଙ୍ଗଲ ବିଭାଗ ଅଧୀନରେ ଥିବା ୮୧.୦୮ ଏକର ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ଅନୁମତି ପାଇଁ ଆବେଦନ ସରିଛି, ଯାହା କେନ୍ଦ୍ରର କାର୍ଯ୍ୟ। ସମସ୍ତ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଯେତିକି ଜମି ଅଧିଗ୍ରହଣ ସରିଛି ରେଳ ବିଭାଗ ଚାହିଁଲେ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିପାରିବ। ତାହା ନକରି ପ୍ରକଳ୍ପକୁ ନେଇ ରାଜନୀତି କରାଯାଉଥିବାରୁ ଜିଲ୍ଲାବାସୀଙ୍କ ପ୍ରତି ବିଶ୍ୱାସଘାତକତା ହେଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ବିଜେଡି ସଭାପତି ଶ୍ରୀ ସିଂହ‌ଦେଓଙ୍କ ବୟାନ ଉପ‌ରେ ଏଠାକାର ରାଜନୀତି ସରଗରମ ହୋଇଉଠିଛି। କିଏ ସତ କହୁଛନ୍ତି, ତାହାକୁ ନେଇ ମଧ୍ୟ ବୟାନ ବାଜି ଆରମ୍ଭ ହୋଇଛି। କିଛି ଲୋକ ‘ସମ୍ବାଦ’କୁ କହିଛନ୍ତି ଯେ ୨୦୧୦ ମସିହାରୁ ଜିଲ୍ଲାବାସୀ ବହୁ ଛଳନାର ଶିକାର ହେଲେଣି। ନିର୍ବାଚନ ଆସିଲେ ଏହି  ପ୍ରସଙ୍ଗ ଉଠେ, ପରେ ଶୀତଳ ଭଣ୍ଡାରକୁ ଚାଲିଯାଏ। କେତେବେଳେ ଯୋଜନା ଅନ୍ୟ ଜିଲ୍ଲାକୁ ଚାଲିଯାଉଛି ତ ଆଉ କେବେ ଅନ୍ୟ ରାଜ୍ୟରେ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଡକାଯାଉଛି। ୟୁପିଏ ସରକାର ଅମଳରେ ଜିଲ୍ଲାରେ ରେଳଡ଼ବା କାରଖାନା ନେଇ ଘୋଷଣା ହୋଇଥିଲା। ତାହା କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଥିଲା। ଏବେ ଇଲେକ୍ଟ୍ରି ରେଳ ଇଞ୍ଜିନ୍‌ ମରାମତି କାରଖାନା ହେବ ବୋଲି ଘୋଷଣା ହୋଇଛି। ଏଣୁ ଲୋକମାନେ ଘୋଷଣା ଅପେକ୍ଷା ବାସ୍ତବିକତାକୁ ଅପେକ୍ଷା କରିଛନ୍ତି। କେନ୍ଦ୍ର- ରାଜ୍ୟ ସରକାରଙ୍କ ମଧ୍ୟରୁ କିଏ ସତ କହୁଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର