ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍: ବୁଥକୁ ଗଲେ ପୋଲିଂ କର୍ମଚାରୀ, ଚାଲିଛି ମତଦାନ ପ୍ରସ୍ତୁତି

ସୁନ୍ଦରଗଡ଼ ଜିଲ୍ଲାର ୪ ବ୍ଲକର ୯ ଜିଲ୍ଲା ପରିଷଦ ଆସନରେ ୪୨ ପ୍ରାର୍ଥୀ

ସୁନ୍ଦରଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୬ ତାରିଖ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଜିଲ୍ଲାର ବଡ଼ଗାଁ, କୁଆରମୁଣ୍ଡା, ଲାଠିକଟା ଓ ବଣାଇଁଗଡ଼ ବ୍ଲକରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ତାରିଖ ଅପରାହ୍ନରେ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ସମେତ ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀ ବ୍ଲକ୍ କାର୍ଯ୍ୟାଳୟରୁ ବାଲେଟ୍ ବକ୍ସ ଓ ଅନ୍ୟ କାଗଜପତ୍ର ନେଇ ବୁଥରେ ପହଞ୍ଚିଛନ୍ତି। ସେଠାରେ ବାଲେଟ୍ ପେପର୍ ଯାଞ୍ଚ କରିବା ସହ ମତଦାନ କେନ୍ଦ୍ର ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦେଇଛନ୍ତି।

ବଡ଼ଗାଁ ବ୍ଲକରେ ୯୨ ଜଣ ପ୍ରିଜାଇଡିଂ ଓ ୧୦୩ ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି କୁଆରମୁଣ୍ଡାରେ ୧୧୫ ପ୍ରିଜାଇଡିଂ ଓ ୧୧୬ ପୋଲିଂ ଅଧିକାରୀ, ଲାଠିକଟାରେ ୬୯ ପ୍ରିଜାଇଡିଂ ଓ ୯୨ ଜଣ ପୋଲିଂ ଅଧିକାରୀ ଓ ବଣାଇଁଗଡ଼ ବ୍ଲକରେ ୧୮୬ ପ୍ରିଜାଇଡିଂ ଓ ୨୦୪ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ, ଯାହା ଅପରାହ୍ନ ୧ଟା ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୪ଟି ବ୍ଲକର ୮୭୩ ବୁଥରେ ୨୮୧୦୬୯ ଭୋଟର ୯ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୨ ପ୍ରାର୍ଥୀ ସମେତ ୱାର୍ଡସଭ୍ୟ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଭାବେ ଲଢ଼ୁଥିବା ୯୬୭ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ସମ୍ବନ୍ଧିତ ଖବର