ନିଷ୍ପତ୍ତି ବଦଳାଇଲେ ସରକାର: କେବଳ ଅନ୍‌ଲାଇନ୍‌ ନୁହେଁ, ଡିସେମ୍ବର ୩୧ ଯାଏ ଅଫ୍‌ଲାଇନ୍‌ରେ ମଧ୍ୟ ମିଳିବ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର ନେଇ ରାଜ୍ୟ ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତି। ଆହୁରି ୩ ମାସ ଯାଏଁ ଅଫ୍‌ଲାଇନ୍‌ରେ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ। ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଲୋକଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରମାଣପତ୍ର ହାସଲ କରିବାକୁ ଅପିଲ କରିଛି । ଏ ନେଇ ପରିବହନ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଡିସିପି ଓ ଆରଟିଓ କାର୍ଯ୍ୟାଳୟକୁ ବିଜ୍ଞପ୍ତି ଜାରି କରାଯାଇଛି।

ନୋଟିସ୍‌ ଅନୁସାରେ ଲୋକେ ଡିସେମ୍ବର ୩୧ ଯାଏଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ର ନେଇପାରିବେ। ପୂର୍ବରୁ ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଥିଲା।

ଯାନବାହନ ତୁଳନାରେ ରାଜ୍ୟରେ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରଗୁଡ଼ିକ କମ୍‌ ସଂଖ୍ୟାରେ ଅଛି। ଫଳରେ ପ୍ରଦୂଷଣ ଯାଞ୍ଚ ପାଇଁ ଲୋକଙ୍କୁ ଦୀର୍ଘ ସମୟ ଧରି ଲାଇନ୍‌ରେ ଅପେକ୍ଷା କରିବାକୁ ପଡୁଛି। ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ସବୁ ଜିଲ୍ଲାରେ ଅଧିକ ପ୍ରଦୂଷଣ ଟେଷ୍ଟିଂ ୟୁନିଟ ଖୋଲିବା ଲାଗି ସରକାର ବ୍ୟବସ୍ଥା କରୁଛନ୍ତି । ଅନ୍ୟପକ୍ଷରେ ଉଚ୍ଚଶିକ୍ଷିତ ଲୋକେ ଅନ୍‌ଲାଇନ୍‌ ପ୍ରକ୍ରିୟାରୁ ଅଧିକ ଲାଭ ଉଠାଇ ପାରୁଥିବା ବେଳେ ଅଫ୍‌ଲାଇନ୍‌ ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଦୂଷଣ ପ୍ରମାଣପତ୍ର ଗ୍ରହଣ କରିବା ସୁବିଧା ହେଉଛି।

ସମ୍ବନ୍ଧିତ ଖବର