ପଲିଥିନ୍ ତଳେ ବିତୁଛି ଜୀବନ

ଡାବୁଗାଁ : ଗରିବ ତଥା ଅସହାୟଙ୍କୁ ପକ୍କାଘର ‌େଯାଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହି ଯୋଜନା ପହଞ୍ଚି ପାରୁୁନି। ବର୍ତମାନ ବି କିଛି ‌େଲାକ ଅସହାୟ ଅବସ୍ଥାରେ ଦଦରା ଘରେ ନଚେତ୍ ପଲିଥିନ୍ ତଳେ ରହୁଛନ୍ତି। ଏଭଳି ଏକ ଗରିବ ପରିବାର ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାରେ।

ଡାବୁଗାଁ ରେଭିନ୍ୟୁଗୁଡାର ଜଗନ୍ନାଥ ନାୟକ ଦୀର୍ଘ ବର୍ଷ ହେଲା ଏକ ଭଙ୍ଗା ଦଦରା ମାଟି ଘରେ ପତ୍ନୀ ପଦ୍ମିନୀ ଓ ଏକମାତ୍ର ପୁଅକୁ ନେଇ ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି। ଜଗନ୍ନାଥ ରକ୍ତ ଶିକୁଳି ରୋଗରେ ପୀଡିତ ହୋଇଥିବାରୁ ଅଧିକ ପରିଶ୍ରମ କରିବାକୁ ଡାକ୍ତର ମନା କରିଛନ୍ତି। ତେଣୁ ପତ୍ନୀ କୁଲି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି। ପରିବାର ଚଳିବା ପାଇଁ ଏହି ଟଙ୍କା ଯଥେଷ୍ଟ ହେଉନି। ପାଖରେ ଟଙ୍କା ନଥିବାରୁ ଜଗନ୍ନାଥ ନିଜ ଘର ମରାମତି କରିପାରୁନାହାନ୍ତି। ୨୦୧୪ ମସିହାରୁ ପ୍ରତିବର୍ଷ ବର୍ଷା ଦିନରେ ଜଗନ୍ନାଥ ତହସିଲ କାର୍ଯ୍ୟାଳୟରେ ଆବେଦନ କରି ଭଙ୍ଗା ଘର ଉପରେ ପଲିଥିନ ଢାଙ୍କି ରହି ଆସୁଛନ୍ତି। ଗତବର୍ଷ ରାଜସ୍ବ ବିଭାଗ ଜଗନ୍ନାଥଙ୍କ ଭଙ୍ଗା ଘରକୁ ପର୍ଯ୍ୟବେକ୍ଷଣ କରିଥିଲେ। କିନ୍ତୁ କେବଳ ପଲିଥିନ୍‌ ଟିଏ ଦେଇ ସମସ୍ତେ ଚୁପ୍ ହୋଇଯାଇଛନ୍ତି। ଅନ୍ୟପଟେ ପକ୍କାଘର ପାଇଁ ଦୀର୍ଘ ୩ବର୍ଷ ତଳେ ଜଗନ୍ନାଥ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ ପର୍ଯ୍ୟାୟକ୍ରମେ ତାଲିକାରେ ନାମ ଆସିଲେ ଗୃହ ଯୋଗାଇ ଦିଆଯିବ ବୋଲି ପିଇଓ କହୁଥିବା ଜଗନ୍ନାଥ କୋହଭରା କଣ୍ଠରେ କହିଛନ୍ତି। ଆବେନର ଦୀର୍ଘ ୩ବର୍ଷ ପରେ ଗରିବ ଜଗନ୍ନାଥଙ୍କୁ ପକ୍କାଘର ନମିଳିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଶୀଘ୍ର ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଜଗନ୍ନାଥଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର